fbpx

ରେପୋ ରେଟ୍ ଅପରିବର୍ତ୍ତିତ ରଖିଲା RBI

ନୂଆଦିଲ୍ଲୀ: ଗତ ୫ ତାରିଖ ଠାରୁ ଚାଲିଥିବା ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ର ମୁଦ୍ରା ନୀତି କମିଟି (ଏମସି)ରେ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି । ରେପୋ ରେଟକୁ ୬.୫ ପ୍ରତିଶତରେ ଅପରିବର୍ତ୍ତିତ ରଖାଯାଇଛି । କ୍ରମାଗତ ୮ମ ଥର ପାଇଁ ରେପୋ ରେଟରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ । ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏ ବାବଦରେ ସୂଚନା ଦେଇଛନ୍ତି । ଲୋକସଭା ନିର୍ବାଚନ ଫଳାଫଳ ଘୋଷିତ ହେବା ପରେ ଏହା ଥିଲା ପ୍ରଥମ ଏମପିସି ବୈଠକ ।

ଏହା ପୂର୍ବରୁ ଚଳିତ ଆର୍ଥିକ ବର୍ଷ ୨୦୨୪-୨୫ର ପ୍ରଥମ ଏମପିସି ବୈଠକରେ ମଧ୍ୟ ପଲିସୀ ରେଟକୁ ସ୍ଥିର ରଖାଯାଇଥିଲା । ବୁଧବାର ଦିନ ମୁମ୍ବାଇ ଠାରେ ଆରମ୍ଭ ହୋଇଥିବା ବୈଠକ ପରେ ଶ୍ରୀ ଦାସ ଏନେଇ ଘୋଷଣା କରିଥିଲେ । ତେବେ ରେପୋ ରେଟ୍ ସ୍ଥିର ରହିବା ଫଳରେ ଜନସାଧାରଣଙ୍କ ଇଏମଆଇରେ କୌଣସି ପରିବର୍ତ୍ତନ ଆସିବ ନାହିଁ । ଏମପିସିର ୬ ଜଣିଆ ସଦସ୍ୟଙ୍କ ମଧ୍ୟରୁ ୪ ଜଣ ରେପୋ ରେଟରେ କୌଣସି ପରିବର୍ତ୍ତନ ପକ୍ଷରେ ମତ ରଖିନଥିଲେ । ଶେଷ ଥର ପାଇଁ କେନ୍ଦ୍ରୀୟ ବ୍ୟାଙ୍କ ୨୦୨୩ରେ ରେପୋ ରେଟରେ ୨୫ ବେସିସ୍ ପଏଣ୍ଟ ବୃଦ୍ଧି କରି ୬.୫୦ ପ୍ରତିଶତ କରିଥିଲା । ତା’ ପରଠାରୁ ସେଥିରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ ।

Get real time updates directly on you device, subscribe now.