fbpx

ଶପଥ ଗ୍ରହଣ ସମାରୋହ ପାଇଁ ରବିବାର ଦିନକୁ ହିଁ କାହିଁକି ଚୟନ କଲେ ମୋଦୀ ? ପ୍ରଭୁ ଶ୍ରୀ ରାମଙ୍କ ସହ ଜଡ଼ିତ ରହିଛି ବଡ଼ କାରଣ, ଜାଣନ୍ତୁ ଡିଟେଲ୍ସ

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କ୍ରମାଗତ ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ଏଥିପାଇଁ ଦେଶବାସୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ସଦ୍ୟ ସମାପ୍ତ ନିର୍ବାଚନରେ ଲୋକସଭାର ମୋଟ୍ ୫୪୩ ଆସନ ମଧ୍ୟରୁ ବିଜେପି ନେତୃତ୍ୱାଧୀନ ଏନଡିଏ ୨୯୩ ଅସନ ଅକ୍ତିଆର କରି ସରକାର ଗଠନ କରିବାକୁ ଯୋଗ୍ୟ ବିବେଚିତ ହୋଇଛି । ମୋଦୀଙ୍କ ଶପଥ ଗ୍ରହଣ ଉତ୍ସବରେ ଏକାଧିକ ବିଦେଶୀ ରାଷ୍ଟ୍ରମୁଖ୍ୟଙ୍କୁ ମଧ୍ୟ ଆମନ୍ତ୍ରଣ କରାଯାଇଛି । ଏଥିପାଇଁ ରାଷ୍ଟ୍ରପତି ଭବନ ପରିସର ଏବଂ ନିକଟସ୍ଥ ଅଂଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।

ତୃତୀୟ ଥର ପ୍ରଧାନମନ୍ତ୍ରୀ ଭାବେ ସେବା କରିବାର ସୁଯୋଗ ଦେଇଥିବାରୁ ମୋଦୀ ଦେଶବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ତେବେ ଅଧିକାଂଶ ଲୋକଙ୍କ ମନରେ ପ୍ରଶ୍ନ ଆସୁଥିବ କି ମୋଦୀ ଶପଥ ପାଠ ପାଇଁ ରବିବାର ଅର୍ଥାତ ଜୁନ୍ ୯ ତାରିଖକୁ ହିଁ କାହିଁକି ଚୟନ କଲେ ? ଏହା ପଛରେ ଥିବା ରହସ୍ୟ ଉପରୁ ପରଦା ଉଠିଛି । ଜ୍ୟୋତିଷଙ୍କ ଅନୁଯାୟୀ ଚଳିତ ବର୍ଷ ଜୁନ୍ ୯ ତାରିଖରେ ଅତ୍ୟନ୍ତ ଶୁଭ ଯୋଗ ରହିଛି । ଏହା ହେଉଛି ଜ୍ୟେଷ୍ଠ ମାସ ତୃତୀୟା ତିଥି । ରବିବାର ହେଉଛି ସୂର୍ଯ୍ୟ ଦେବତାଙ୍କ ଦିନ । ଗ୍ରହମାନଙ୍କ ମଧ୍ୟରେ ସେ ହେଉଛନ୍ତି ରାଜା ଏବଂ ତାଙ୍କୁ ଶାସନ କାରକ ଭାବେ ବିବେଚିତ କରାଯାଇଛି । ଅପରପକ୍ଷରେ ଅଙ୍କ ଜ୍ୟୋତିଷ ଅନୁଯାୟୀ ଅଙ୍କ ୯ ମଙ୍ଗଳ ଗ୍ରହର ପ୍ରତିନିଧିତ୍ୱ କରିଥାଏ ଏବଂ ମଙ୍ଗଳ ହେଉଛି ଉର୍ଜ୍ଜାର କାରକ । ସୂର୍ଯ୍ୟ ଏବଂ ମଙ୍ଗଳ ମିଶ୍ରଣ ଦିନରେ ସରକାର ଗଠନ ହେଲେ ଏହା ନିଶ୍ଚିତ ଦେଶ ତଥା ବିଶ୍ୱରେ ସଫଳତା ହାସଲ କରିବ ।

ଏହା ପଛରେ ଏକ ପୌରାଣିକ କାରଣ ମଧ୍ୟ ରହିଛି । ପ୍ରଭୁ ଶ୍ରୀ ରାମଙ୍କ ଜନ୍ମ ପୁନର୍ବସୁ ନକ୍ଷତ୍ରରେ ହୋଇଥିଲା । କୁହାଯାଏ ଯେଉଁମାନଙ୍କ ଜନ୍ମ ପୁନର୍ବସୁ ନକ୍ଷତ୍ରରେ ହୋଇଥାଏ ସେମାନେ ଅନ୍ୟର ସେବା କରିବା ପାଇଁ ସବୁବେଳେ ପ୍ରସ୍ତୁତ ଥାନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଶ୍ରୀ ରାମଙ୍କ ବଡ଼ ଭକ୍ତ ତେଣୁ ଆଜି ପୁନର୍ବସୁ ନକ୍ଷତ୍ର ଦିନ ସେ ଶପଥ ପାଠ ପାଇଁ ଚୟନ କରିଛନ୍ତି ।
ଜ୍ୟୋତିଷଙ୍କ ଅନୁଯାୟୀ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଶପଥ ଗ୍ରହଣ ଉତ୍ସବ ଦିନ ୬ଟି ଶୁଭ ଯୋଗର ନିର୍ମାଣ ହେଉଛି । ପ୍ରଥମ ବୃଦ୍ଧି ଯୋଗ, ଦ୍ୱିତୀୟ ପୁନର୍ବସୁ ନକ୍ଷତ୍ର, ତୃତୀୟ ରବି ପୁଷ୍ୟ ଯୋଗ, ଚତୁର୍ଥ ରବି ଯୋଗ, ପଂଚମ ସର୍ବାର୍ଥ ସିଦ୍ଧ ଯୋଗ ଏବଂ ଷଷ୍ଠ ତୃତୀୟା ତିଥି ।

Get real time updates directly on you device, subscribe now.