ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ତୃତୀୟ ପାଳିର ପ୍ରଥମ ବଜେଟ୍ ପ୍ରସ୍ତୁତ କରିବା ଲାଗି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି। ସେ ଶିଳ୍ପ ସଂଘଗୁଡ଼ିକୁ ଭେଟି ବଜେଟ୍ରୁ ସେମାନଙ୍କ ଆଶା ଜାଣିବା ଲାଗି ୨୦ ତାରିଖରେ ଏକ ବୈଠକ କରିବେ। ଏଥର ବଜେଟ୍ରେ ସରକାର କେତେକ ନିର୍ଦ୍ଦିଷ୍ଟ ବର୍ଗର ଲୋକଙ୍କ ପାଇଁ ଆୟକର ହାରରେ ହ୍ରାସ କରିବା ଉପରେ ବିଚାର କରୁଛନ୍ତି।
ଆୟକର କମ୍ ହେଲେ ଲୋକମାନଙ୍କ ପାଖରେ ଅଧିକ ଟଙ୍କା ରହିବ ଯାହାକୁ ସେମାନେ କିଣାକିଣିରେ ବ୍ୟବହାର କରିବେ। ତାହା ହେଲେ ଦେଶରେ ଅର୍ଥନୈତିକ କାର୍ଯ୍ୟକଳାପ ତ୍ବରାନ୍ବିତ ହେବ ଏବଂ ଅର୍ଥନୀତି ଆହୁରି ଦ୍ରୁତ ଗତିରେ ଆଗକୁ ବଢ଼ିବ ବୋଲି ସରକାର ଭାବୁଛନ୍ତି।
ଦେଶରେ ନିର୍ବାଚନ ଶେଷ ହେବା ପରେ କରାଯାଇଥିବା ଏକ ସର୍ଭେରୁ ଜଣାପଡ଼ିଛି ଯେ ଲୋକମାନେ ଦରଦାମ୍, ବେକାରୀ ଓ ଆୟରେ ହ୍ରାସକୁ ନେଇ ଅଧିକ ଚିନ୍ତିତ ରହିଛନ୍ତି। ୨୦୨୩-୨୪ ଆର୍ଥିକ ବର୍ଷରେ ଜିଡିପି ୮.୨ ପ୍ରତିଶତ ହାରରେ ବଢ଼ିଥିବା ବେଳେ ଉପଯୋଗିତା କିନ୍ତୁ ତା’ର ଅଧା ହାରରେ ଆଗକୁ ବଢ଼ିଛି। ଆୟକର ହାର କମିଲେ ମଧ୍ୟବିତ୍ତ ପରିବାର ପାଖରେ ଅଧିକ ଟଙ୍କା ରହିପାରିବ। ଯେଉଁମାନଙ୍କ ବାର୍ଷିକ ଆୟ ୧୫ ଲକ୍ଷ ଟଙ୍କାରୁ ଅଧିକ ସେମାନଙ୍କୁ ଆୟକରରେ ରିହାତି ପ୍ରଦାନ କରାଯିବ। ତେବେ କେତେ ରିହାତି ଦିଆଯିବ ତାହା ନିର୍ଧାରଣ କରାଯାଇନାହିଁ।
୨୦୨୦ରେ ଆୟକର ନିୟମରେ ଅଣାଯାଇଥିବା ପରିବର୍ତ୍ତନ ଅନୁସାରେ ୧୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ପାଇଁ ୫-୨୦% ପର୍ଯ୍ୟନ୍ତ ଟିକସ ଲାଗୁ କରାଯାଇଥିବା ବେଳେ ୧୫ ଲକ୍ଷ ଟଙ୍କାରୁ ଅଧିକ ଆୟ ଉପରେ ୩୦% ଟିକସ ଲଗାଯାଇଛି। ଜଣେ ବ୍ୟକ୍ତିଙ୍କ ଆୟ ୩ ଲକ୍ଷରୁ ୧୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇଲେ, ତାଙ୍କ ପାଇଁ ଆୟକରରେ ୬ ଗୁଣା ବୃଦ୍ଧି ହେଉଛି। ବାର୍ଷିକ ୧୦ ଲକ୍ଷ ଟଙ୍କା ଆୟ କରୁଥିବା ଲୋକମାନଙ୍କ ପାଇଁ ମଧ୍ୟ ଟିକସ କମ୍ କରିବା ଉପରେ ସରକାର ବିଚାର କରୁଛନ୍ତି। ଆୟକର କମ୍ କରିବା ଦ୍ବାରା ଯେଉଁ ରାଜସ୍ବ ହାନି ହେବ, ଲୋକମାନଙ୍କ ଉପଯୋଗିତା ବଢ଼ିଲେ ତାହା ଭରଣା ହୋଇପାରିବ।
କେନ୍ଦ୍ର ସରକାର ବଜେଟ୍ରେ ବିତ୍ତୀୟ ନିଅଣ୍ଟକୁ ଜିଡିପିର ୫.୧ ପ୍ରତିଶତ ଭିତରେ ରଖିବାକୁ ଲକ୍ଷ୍ୟ ରଖିଛନ୍ତି। ସେଥିପାଇଁ ଆୟ ଓ ବ୍ୟୟ ଭିତରେ ଏକ ସନ୍ତୁଳନ ରକ୍ଷା କରିବାକୁ ପଡ଼ିବ। ଅର୍ଥନୀତି ଆଗକୁ ବଢ଼ୁଥିବା ବେଳେ ସରକାରୀ ଉଦ୍ୟୋଗ ଓ ଅନୁଷ୍ଠାନଗୁଡ଼ିକଠାରୁ ମିଳୁଥିବା ବିପୁଳ ଲାଭାଂଶ ସରକାରଙ୍କ ଏହି ଚିନ୍ତାକୁ ଅନେକାଂଶରେ ଦୂର କରିଛି। ସେଥିପାଇଁ ବଜେଟ୍ରେ ଖର୍ଚ୍ଚ ଅଟକଳ ଧାର୍ଯ୍ୟ କରିବା ଲାଗି ସରକାର ଯଥେଷ୍ଟ ସୁବିଧାଜନକ ସ୍ଥିତିରେ ରହିଛନ୍ତି।