fbpx

ମଧ୍ୟାହ୍ନ ଭୋଜନରେ ଝିଟିପିଟି ! ସ୍କୁଲ ପିଲାଙ୍କ ଜୀବନ ସହ ଖେଳ

ସୋର: ପୁଣି ଚର୍ଚ୍ଚାରେ ମଧ୍ୟାହ୍ନ ଭୋଜନ ବାଲେଶ୍ୱର ଜିଲ୍ଲା ସୋର ବ୍ଲକ୍ ଶିରାପୁର ଉଦୟନାରାୟଣ ନୋଡାଲ ସ୍କୁଲରେ ଅଘଟଣ । ମଧ୍ୟାହ୍ନ ଭୋଜନ ଖାଇ ପ୍ରାୟ ୧୦୦ ପିଲା ଅସୁସ୍ଥ ହୋଇପଡ଼ିଥିବା ଘଟଣା ସାମ୍ନାକୁ ଆସିଛି । ତେବେ ମଧ୍ୟାହ୍ନ ଭୋଜନରୁ ଝିଟିପିଟି ବାହାରିଥିବା ପ୍ରାଥମିକ ସୂଚନାରୁ ପ୍ରକାଶ । ସମସ୍ତ ଅସୁସ୍ଥ ଛାତ୍ରଛାତ୍ରୀଙ୍କୁ ସୋର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି ।

ସୂଚନାରୁ ପ୍ରକାଶ ଆଜି ମଧ୍ୟାହ୍ନ ଭୋଜନରେ ପ୍ରାୟ ୩ ଶହ ପିଲାଙ୍କୁ ଭାତ ଓ ଡାଲି ଖାଇବାକୁ ଦିଆଯାଇଥିଲା । ଖାଦ୍ୟରେ ଝିଟିପିଟି ପଡ଼ିଥିବା ଦେଖିବା ପରେ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ବଣ୍ଟନ ବନ୍ଦ କରିଦିଆଯାଇଥିଲା । ମଧ୍ୟାହ୍ନ ଭୋଜନ ଖାଇବାର କିଛି ସମୟ ପରେ କେତେ ଜଣ ପିଲାଙ୍କ ପେଟ କାଟିବା ସହ ଛାତିରେ ଯନ୍ତ୍ରଣା ଅନୁଭବ ହୋଇଥିଲା । ସେମାନେ ବାନ୍ତି କରିବା ସହ ଅସୁସ୍ଥ ହୋଇପଡ଼ିଥିଲେ । ସ୍କୁଲର ଶିକ୍ଷକ, ଶିକ୍ଷୟତ୍ରୀ ଓ କମିଟି ମେମ୍ବରମାନେ ୫ଟି ଆମ୍ବୁଲାନ୍ସ ଯୋଗେ ସେମାନଙ୍କୁ ସୋର ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ । ତେବେ ଖବର ପାଇ ସୋର ବିଧାୟକ ମାଧବ ଧଡ଼ା ହସ୍ପିଟାଲ ପହଂଚି ପିଲାଙ୍କ କଥା ବୁଝିଥିଲେ । ଛୋଟ ଛୋଟ ପିଲାଙ୍କ ଜୀବନୁ ନେଇ ଖେଳ ଖେଳୁଥିବା କର୍ମଚାରୀ ଓ ଅଧିକାରୀଙ୍କ ଉପରେ ବର୍ଷିଛନ୍ତି ଗ୍ରାମବାସୀ ଓ ପୀଡ଼ିତ ଛାତ୍ରଛାତ୍ରୀଙ୍କ ପରିବାର । ଏହି ଘଟଣା ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି ।

 

 

Get real time updates directly on you device, subscribe now.