fbpx

ଚୀନ ବିପକ୍ଷରେ ଭାରତର କୂଟନୈତିକ ବିଜୟ, ଏହି କାରଣରୁ ନୂଆଦିଲ୍ଲୀକୁ ୨୮ଟି ଦ୍ୱୀପପୁଞ୍ଜ ହସ୍ତାନ୍ତର କରିଛି ମାଳଦ୍ୱୀପ

ନୂଆଦିଲ୍ଲୀ: ଚଳିତ ବର୍ଷ ଜାନୁଆରୀରେ ଭାରତ ଏବଂ ମାଳଦ୍ୱୀପ ମଧ୍ୟରେ ଥିବା ସମ୍ପର୍କରେ ତିକ୍ତତା ଦେଖାଦେଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲାକ୍ଷାଦ୍ୱୀପ ଗସ୍ତ କରିବା ପରେ ମାଳଦ୍ୱୀପ ରାଜନେତାଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା । ଏନେଇ ମାଳଦ୍ୱୀପରେ ଭାରତୀୟ ପର୍ଯ୍ୟଟକଙ୍କ ସଂଖ୍ୟାରେ ହ୍ରାସ ପରିଲିଖିତ ହୋଇଥିଲା । ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜ୍ଜୁ ‘India Out’ ଅଭିଯାନରେ କ୍ଷମତାକୁ ଆସିଥିଲେ ଏବଂ ଚୀନର ସମର୍ଥକ ସାଜିଥିଲେ । ବର୍ତ୍ତମାନ ଦ୍ୱୀପପୁଞ୍ଜ ନିଜ ଭୁଲକୁ ହୃଦୟଙ୍ଗମ କରିଥିବା ଜଣାପଡ଼ିଛି ଏବଂ ଭାରତ ସହ ଶାନ୍ତି ସ୍ଥାପନ କରିବା ପାଇଁ ଇଚ୍ଛା ପ୍ରକଟ କରିଛି । ନିକଟରେ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ମାଳଦ୍ୱୀପ ଗସ୍ତ କରି ଅନେକ MoU ସ୍ୱାକ୍ଷର କରିଥିଲେ ।

ସୋମବାର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ମାଳଦ୍ୱୀପ ଗସ୍ତ ଶେଷ କରିଛନ୍ତି । ମାଲେରେ ଥିବା ସମୟରେ ଜୟଶଙ୍କର ଦକ୍ଷତା ବୃଦ୍ଧି ଉପରେ ଧ୍ୟାନ ଦେଇ ଅନେକ MoU ସ୍ୱାକ୍ଷର କରିବା ସହ ୬ଟି ହାଇ ଇମ୍ପାକ୍ଟ ଡେଭେଲପମେଣ୍ଟ ପ୍ରୋଜେକ୍ଟ(HICDPs) ଉଦ୍‌ଘାଟନ କରିଥିଲେ । ଅଦଳବଦଳ ହୋଇଥିବା MoU ମଧ୍ୟରେ ଭାରତରେ ଅତିରିକ୍ତ ୧ ହଜାର ମାଳଦ୍ୱୀପ ସରକାରୀ କର୍ମଚାରୀଙ୍କ ଦକ୍ଷତା ବୃଦ୍ଧି ଏବଂ ମାଳଦ୍ୱୀପରେ UPI ପ୍ରବର୍ତ୍ତନ ପାଇଁ ଚୁକ୍ତିନାମା ରହିଥିଲା । ଭାରତୀୟ ଅନୁଦାନ ସହାୟତାରେ ସମର୍ଥିତ ଏହି ୬ଟି HICDPs ମାନସିକ ସ୍ୱାସ୍ଥ୍ୟ, ସ୍ୱତନ୍ତ୍ର ଶିକ୍ଷା, ସ୍ପିଚ୍ ଥେରାପି ଏବଂ ଷ୍ଟ୍ରିଟ୍ ଆଲୋକ ଭଳି କ୍ଷେତ୍ର ଅନ୍ତର୍ଭୂକ୍ତ କରି ମିଳିତ ଭାବେ ଉଦ୍‌ଘାଟନ କରାଯାଇଥିଲା । ରାଷ୍ଟ୍ରପତି ମୁଇଜ୍ଜୁଙ୍କ ଉପସ୍ଥିତିରେ ମାଳଦ୍ୱୀପ ବୈଦେଶିକ ମନ୍ତ୍ରୀ ମୁସା ଜମୀର(Moosa Zameer) ଏବଂ ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ମିଳିତ ଭାବେ ମାଳଦ୍ୱୀପର ୨୮ଟି ଦ୍ୱୀପରେ ଭାରତର ଲାଇନ୍ ଅଫ୍ କ୍ରେଡିଟ୍‌(LoC) ସହାୟତା ଜଳ ପ୍ରକଳ୍ପ ଏବଂ ସ୍ୱରେଜ୍ ନେଟୱାର୍କ ଉଦ୍‌ଘାଟନ କରିଥିଲେ । ବର୍ତ୍ତମାନ ମୁଇଜ୍ଜୁ ଭାରତକୁ ୨୮ଟି ଦ୍ୱୀପପୁଞ୍ଜରେ ବିକାଶ କାର୍ଯ୍ୟ କରିବା ପାଇଁ ଅନୁମତି ପ୍ରଦାନ କରିଛନ୍ତି । କହିରଖୁଛୁ ପୂର୍ବରୁ ମାଳଦ୍ୱୀପ ସରକାର ଭାତରୀୟ ସୈନ୍ୟ ଏବଂ ବୈଷୟିକ କର୍ମୀଙ୍କୁ ମାଲେରୁ ବହିଷ୍କାର କରିଥିଲା ।

ଜୁଲାଇ ୨୩ରେ ଉପସ୍ଥାପିତ ହୋଇଥିବା କେନ୍ଦ୍ରୀୟ ବଜେଟରୁ ପ୍ରକାଶ ଯେ ପୂର୍ବ ବର୍ଷ ତୁଳନାରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଦ୍ୱୀପପୁଞ୍ଜକୁ ସହାୟତା ରାଶିରେ ୪୮% ହ୍ରାସ କରାଯାଇଛି । ବର୍ତ୍ତମାନର ଆର୍ଥିକ ଆବଣ୍ଟନରେ ମାଳଦ୍ୱୀପକୁ ଅନୁଦାନ ଭାବରେ ୪୦୦ କୋଟି ଟଙ୍କା ପ୍ରଦାନ କରାଯାଇଛି ଯାହା ଗତ ବର୍ଷ ୭୦୦ କୋଟି ଟଙ୍କା ଥିଲା । ରାଷ୍ଟ୍ରପତି ମହମ୍ମଦ ମୁଇଜୁ ମାଲଦ୍ୱୀପକୁ ଭାରତର ବିକାଶମୂଳକ ସହାୟତାକୁ ପ୍ରଶଂସା କରିଛନ୍ତି ଏବଂ ଭାରତ-ମାଲଦ୍ୱୀପ ସମ୍ପର୍କକୁ ଆହୁରି ଗଭୀର କରିବାକୁ ତାଙ୍କର ପ୍ରତିବଦ୍ଧତାକୁ ନିଶ୍ଚିତ କରିଛନ୍ତି। ଜୟଶଙ୍କରଙ୍କ ଗସ୍ତ ସମୟରେ ମାଲଦ୍ୱୀପ ପକ୍ଷ ସାମାଜିକ, ଭିତ୍ତିଭୂମି ଏବଂ ଆର୍ଥିକ କ୍ଷେତ୍ର ସମେତ ମାଲଦ୍ୱୀପର ସାମଗ୍ରିକ ବିକାଶ ପାଇଁ ଭାରତର ସମର୍ଥନକୁ ପ୍ରଶଂସା କରିଥିଲେ।

 

Get real time updates directly on you device, subscribe now.