fbpx

କଂଗ୍ରେସ ବିଧାୟକ ଦେବେନ୍ଦ୍ର ଯାଦବ ଗିରଫ

ନୂଆଦିଲ୍ଲୀ: ଛତିଶଗଡ଼ ରାଜନୀତିରୁ ଆସିଛି ଏକ ବଡ଼ ଖବର । କଂଗ୍ରେସ ବିଧାୟକ ଦେବେନ୍ଦ୍ର ଯାଦବ ଗିରଫ ହୋଇଛନ୍ତି । ବଲୌଦାବାଜାର ସହରରେ ସତନାମୀ ସମ୍ପ୍ରଦାୟର ଆନ୍ଦୋଳନ ସମୟରେ ହୋଇଥିବା ହିଂସା ମାମଲାରେ ପୋଲିସ ଦେବେନ୍ଦ୍ରଙ୍କୁ ଗିରଫ କରିଥିବା ଜଣାପଡ଼ିଛି । ବିଧାୟକଙ୍କୁ ତାଙ୍କ ବାସଭବନରୁ ଗିରଫ କରାଯାଇଥିବା ବେଳେ ଏହି ଗିରଫଦାରୀକୁ ନେଇ କଂଗ୍ରେସ କର୍ମୀମାନେ ବିରୋଧ କରୁଥିବା ଜଣାପଡ଼ିଛି । ଛତିଗଡ଼ରେ ଗତ ଜୁନ୍ ମାସ ୧୦ ତାରିଖରେ ହିଂସାକାଣ୍ଡ ଦେଖିବାକୁ ମିଳିଥିଲା ।

ଖବର ମୁତାବକ, ଦେବେନ୍ଦ୍ର କଂଗ୍ରେସର ଜଣେ ପ୍ରଭାବଶାଳୀ ଯୁବ ଚେହେରା ହୋଇଥିବା ବେଳେ ସେ ଭିଲାଈ ନଗର ନିର୍ବାଚନ କ୍ଷେତ୍ରରୁ ଦ୍ୱିତୀୟ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ବିଧାୟକଙ୍କୁ ଗିରଫ କରାଯିବା ଖବର ପ୍ରଘଟ ହେବା ପରେ ତାଙ୍କର ଅନେକ ସମର୍ଥକ ଭିଲାଈ ନଗର ଅଞ୍ଚଳରେ ତାଙ୍କର ବାସଭବନରେ ଏକତ୍ର ହେବା ସହ ନାରାବାଜୀ କରିଥିଲେ । ଭାଜପା ସରକାର କଂଗ୍ରେସ କାର୍ଯ୍ୟକର୍ତ୍ତାଙ୍କୁ ଫସାଇବାକୁ ଚକ୍ରାନ୍ତ କରୁଥିବା କଂଗ୍ରେସ ପକ୍ଷରୁ କୁହାଯାଇଛି ।

ଏନେଇ ବଲୌଦାବାଜାର ପୋଲିସ ଅଧିକ୍ଷକ କହିଛନ୍ତି, ଜୁନ ମାସରେ ହୋଇଥିବା ହିଂସା ମାମଲାରେ ବିଧାୟକଙ୍କୁ ଗିରଫ କରାଯାଇଛି । ବିଧାୟକଙ୍କ ବିରୋଧରେ ଧାରା ୧୫୩ଏ, ୧୨୦ବି, ୧୪୭, ୧୮୬, ୩୫୩, ୩୦୭ ଓ ୧୯୮୪ର ଅନ୍ୟ ଧାରା ଅଧିନରେ ମାମଲା ଦାୟର ହୋଇଛି । ଦେବେନ୍ଦ୍ରଙ୍କୁ ପ୍ରଥମେ ସ୍ଥାନୀୟ ଅଦାଲତରେ ହାଜର କରାଯାଇଥିଲା ଓ ଏହାପରେ ତାଙ୍କୁ ଅଗଷ୍ଟ ୨୦ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ପଠାଇ ଦିଆଯାଇଛି । ବୟାନ ଦର୍ଜ କରିବା ପାଇଁ ପୋଲିସ ଦେବେନ୍ଦ୍ରଙ୍କୁ ୩ ଥର ସମନ ଜାରି କରିଥିଲେ ହେଁ ସେ ସହଯୋଗ କରିନଥିଲେ । ଏହାପରେ ପୋଲିସ ତାଙ୍କ ବାସଭବନରେ ପହଞ୍ଚି ତାଙ୍କୁ ଗିରଫ କରିଥିଲା ।

Get real time updates directly on you device, subscribe now.