fbpx

ଜମ୍ମୁ-କଶ୍ମୀର ନିର୍ବାଚନ: ୮୫ ଟି ଆସନରେ NC-କଂଗ୍ରେସଙ୍କ ମେଣ୍ଟ, ୫ଟି ଆସନରେ ହେବ ବନ୍ଧୁତ୍ୱପୂର୍ଣ୍ଣ ମୁକାବିଲା

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନରେ କଡ଼ା ଟକ୍କର ଦେଖିବାକୁ ମିଳିବ ବୋଲି ଆଶା କରାଯାଉଛି। କଂଗ୍ରେସ ଓ ନ୍ୟାସନାଲ କନଫରେନ୍ସ ମେଣ୍ଟ କରିଥିବା ବେଳେ ଭାରତୀୟ ଜନତା ପାର୍ଟି ଲଗାତାର ଉଭୟ ଦଳକୁ ଟାର୍ଗେଟ କରୁଛି। ସୋମବାର କଂଗ୍ରେସ ଏବଂ ନ୍ୟାସନାଲ କନଫରେନ୍ସ ଆସନ ବଣ୍ଟନ ନେଇ ସହମତି ପ୍ରକାଶ କରିବା ସହ ଏହାକୁ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଥିଲା। ଜମ୍ମୁ-କଶ୍ମୀରର ୯୦ଟି ଆସନରୁ ୮୫ଟି ଆସନରେ ଉଭୟ ଦଳ ମେଣ୍ଟ କରିଛନ୍ତି। ତେବେ ଅନ୍ୟ ୫ଟି ଆସନରେ ବନ୍ଧୁତ୍ୱପୂର୍ଣ୍ଣ ଲଢ଼େଇ ହେବ।

କିଏ କେତେ ଆସନରେ ଲଢ଼ିବ?

୮୫ଟି ଆସନରୁ କଂଗ୍ରେସ ୩୨ଟି ଓ ନ୍ୟାସନାଲ କନଫରେନ୍ସ ୫୧ଟି ଆସନରେ ପ୍ରାର୍ଥୀ ଦେବ। ଏ ସଂକ୍ରାନ୍ତରେ ଜେକେପିସିସି ସଭାପତି ତାରିକ୍ ହମିଦ କରରା ଏକ ସାମ୍ବାଦିକ ସମ୍ମିଳନୀ ରେ କହିଛନ୍ତି, ପାନ୍ଥର୍ସ ପାର୍ଟି ପାଇଁ ଗୋଟିଏ ଏବଂ ସିପିଆଇ(ଏମ୍) ପାଇଁ ଗୋଟିଏ ଆସନ ବାକି ରହିଛି। ସେପ୍ଟେମ୍ବର ୧୮, ସେପ୍ଟେମ୍ବର ୨୫ ଏବଂ ଅକ୍ଟୋବର ପହିଲାରେ ତିନୋଟି ପର୍ଯ୍ୟାୟରେ ଜମ୍ମୁ-କଶ୍ମୀରରେ ନିର୍ବାଚନ ହେବ ବୋଲି ନିର୍ବାଚନ ଆୟୋଗ ଘୋଷଣା କରିଛନ୍ତି।

ଅକ୍ଟୋବର ୪ତାରିଖରେ ଭୋଟ୍ ଗଣତି ହେବ। ନିର୍ବାଚନ ଆୟୋଗଙ୍କ ସୂଚନା ଅନୁଯାୟୀ, ଜମ୍ମୁ-କଶ୍ମୀରର ୯୦ଟି ନିର୍ବାଚନ ମଣ୍ଡଳୀରେ ୮୭.୦୯ ଲକ୍ଷ ଭୋଟର ଅଛନ୍ତି, ଯେଉଁଥିରେ ୪୨.୬ ଲକ୍ଷ ମହିଳା ଅଛନ୍ତି। ପ୍ରଥମ ଥର ଯୁବ ଭୋଟରଙ୍କ ସଂଖ୍ୟା ୩.୭୧ ଲକ୍ଷ ରହିଛି। ମୋଟ ୨୦ରୁ ୨୯ ବର୍ଷ ବୟସର ୨୦.୭ ଲକ୍ଷ ଯୁବ ଭୋଟର ଅଛନ୍ତି। ସମଗ୍ର ଜମ୍ମୁ-କଶ୍ମୀରରେ ୧୧,୮୩୮ଟି ମତଦାନ କେନ୍ଦ୍ର ସ୍ଥାପନ କରାଯାଉଛି। ୯,୧୬୯ଟି ସ୍ଥାନରେ ଏହି ମତଦାନ କେନ୍ଦ୍ର ସ୍ଥାପନ କରାଯିବ।

ସେଥିମଧ୍ୟରୁ ଗ୍ରାମାଞ୍ଚଳରେ ୯,୫୦୬ଟି ମତଦାନ କେନ୍ଦ୍ର ପ୍ରତିଷ୍ଠା କରାଯିବ। ପ୍ରତି ମତଦାନ କେନ୍ଦ୍ରରେ ହାରାହାରି ୭୩୫ ଜଣ ଭୋଟର ରହିଛନ୍ତି। ଜାମ୍ମୁ କାଶ୍ମୀରରେ ଏଥର ୩୬୦ଟି ମଡେଲ ପୋଲିଂ ଷ୍ଟେସନ ସ୍ଥାପନ କରିବାକୁ ନିର୍ବାଚନ କମିଶନ ନିଷ୍ପତ୍ତି ନେଇଛନ୍ତି। ଜମ୍ମୁ-କଶ୍ମୀରରେ ମୋଟ ୯୦ଟି ବିଧାନସଭା ଆସନ ରହିଛି। ସେଥିମଧ୍ୟରୁ ୭୪ଟି ସାଧାରଣ, ୯ଟି ଏସ୍ଟି ଓ ୭ଟି ଏସସି ସିଟ୍ ରହିଛି।

Get real time updates directly on you device, subscribe now.