fbpx

ପ୍ୟାରିସ ପାରାଅଲିମ୍ପିକ୍ସରେ ଇତିହାସ ରଚିଲା ଭାରତ: ଜାଭେଲିନ୍ ଥ୍ରୋ’ରେ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଲେ ସୁମିତ ଅନ୍ତିଲ

ନୂଆଦିଲ୍ଲୀ: ପ୍ୟାରିସ୍ ପାରାଅଲିମ୍ପିକ୍ସରେ ଭାରତ ପୁଣି ଏକ ସ୍ୱର୍ଣ୍ଣ ଜିତିଛି । ଜାଭେଲିନ୍ ଥ୍ରୋ’ରେ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ସୁମିତ ଅନ୍ତିଲ । ନିଜର ଦ୍ୱିତୀୟ ପ୍ରୟାସରେ ରେକର୍ଡ ଥ୍ରୋ କରି ସୁମିତ ଏହି ଉପଲବଧି ହାସଲ କରିଛନ୍ତି । ଏହା ପୂର୍ବରୁ ଗତ ୨୦୨୦ ଟୋକିଓ ପାରାଅଲିମ୍ପିକ୍ସରେ ମଧ୍ୟ ସୁମିତ ସ୍ୱର୍ଣ୍ଣ ଜିତିଥିଲେ । ପୁରୁଷ ଜାଭେଲିନ୍ ଥ୍ରୋ (ଏଫ ୬୪ ବର୍ଗ)ରେ ସୁମିତ ନିଜର ଦ୍ୱିତୀୟ ପ୍ରୟାସରେ ସ୍ୱର୍ଣ୍ଣ ଜିତିଥିଲେ । ସୁମିତ ଦ୍ୱିତୀୟ ପ୍ରୟାସରେ ୭୦.୫୯ ମିଟର ଭାଲା ଫୋପାଡ଼ିଥିବା ବେଳେ ଏହା ପ୍ୟାରାଅଲିମ୍ପିକ୍ସ ଗେମ୍ସର ଇତିହାସ (ଏଫ୬୪ ବର୍ଗ)ର ବେଷ୍ଟ ଥ୍ରୋ ଥିଲା ।

ସୁମିତଙ୍କ ପ୍ରଥମ ଥ୍ରୋ ୬୯.୧୧ ମିଟର, ଦ୍ୱିତୀୟ ଥ୍ରୋ ୭୦.୫୯ ମିଟର, ତୃତୀୟ ଥ୍ରୋ ୬୬.୬୬ ମିଟର, ଚତୁର୍ଥ ଥ୍ରୋ ଫାଉଲ, ପଞ୍ଚମ ଥ୍ୟୋ ୬୯.୦୪ ମିଟର, ଷଷ୍ଠ ଥ୍ରୋ ୬୬.୫୭ ମିଟର ରହିଥିଲା । ଏହି ଇଭେଣ୍ଟରେ ଶ୍ରୀଲଙ୍କାର ଡୁଲାନ କୋଡିଥୁବାକ୍କୁ (୬୭.୦୩) ମିଟର ରୌପ୍ୟ ପଦକ ଜିତିଥିବା ବେଳେ ଅଷ୍ଟ୍ରେଲିଆର ମିଚାଲ ବୁରିୟନ (୬୪.୮୯ ମିଟର) କାଂସ୍ୟ ପଦକ ଜିତିଥିଲେ । ଭାରତର ସନ୍ଦୀପ ଚୌଧରୀ (୬୨.୮୦) ମିଟର ଚତୁର୍ଥ ସ୍ଥାନରେ ରହିଥିଲେ । ଚଳିତ ପାରାଅଲିମ୍ପିକ୍ସରେ ସୁମିତ ନିଜର ପୂର୍ବ ରେକର୍ଡ ଭାଙ୍ଗିଥିଲେ । ସେ ପ୍ରଥମ ପ୍ରୟାସରେ ୬୯.୧୧ ମିଟର ଥ୍ରୋ କରି ନୂଆ ପାରାଅଲିମ୍ପିକ୍ସ ରେକର୍ଡ ସ୍ଥାପନ କରିଥିଲେ । ମାତ୍ର ଦ୍ୱିତୀୟ ପ୍ରୟାସରେ ସେ ନିଜର ରେକର୍ଡକୁ ଅତିକ୍ରମ କରି ନୂଆ କୀର୍ତ୍ତିମାନ ସ୍ଥାପନ କରିଥିଲେ । ସୂଚନାଯୋଗ୍ୟ ଯେ, ସୁମିତ ୧୯୯୮ ମସିହା ଜୁନ୍ ୭ ତାରିଖରେ ହରିୟାଣାର ସୋନୀପତରେ ଜନ୍ମଗ୍ରହଣ କରିଥିବା ବେଳେ ତାଙ୍କୁ ମାତ୍ର ୭ ବର୍ଷ ବୟସ ହୋଇଥିବା ବେଳେ ବାୟୁସେନାରେ କାର୍ଯ୍ୟରତ ତାଙ୍କର ପିତାଙ୍କର ଦେହାନ୍ତ ହୋଇଥିଲା ।

Get real time updates directly on you device, subscribe now.