fbpx

ଲେବାନନ ଉପରେ ଇଜରାଇଲର ଆକ୍ରମଣ ପରେ ଟ୍ରେଣ୍ଡ କରୁଛି ପେଜର ଆଟାକ୍

ନୂଆଦିଲ୍ଲୀ: ଲେବାନନରେ ହୋଇଥିବା ବିସ୍ଫୋରଣ ପଛରେ ଇଜରାଏଲର ହାତ ଥିବା ସମ୍ଭାବନା । ଏହି ସନ୍ଦେହ ପରେ ଆଟାକକୁ ନେଇ ଅନେକ ନୂଆ ନୂଆ ଓ ରୋଚକ ତଥ୍ୟ ସାମ୍ନାକୁ ଆସୁଛି । ଏଥିରେ ହିଜବୁଲ୍ଲାହର ଫୋନ ତୋଡୋ ଅଭିଯାନ ପାଇଁ ଆକ୍ରମଣ ହେବା କୁହାଯାଉଛି । ତେବେ କଣ ଏହି ଫୋନ ତୋଡୋ ଅଭିଯାନ?

କୁହାଯାଉଛି ହିଜବୁଲ୍ଲାହ ଚଳିତ ବର୍ଷ ଫେବୃଆରୀରୁ ଏକ ଅଭିଯାନ ଆରମ୍ଭ କରିଥିଲା, ଯାହାର ନାଁ ଥିଲା ଫୋନ ତୋଡୋ ଅଭିଯାନ । ଏହାର ଉଦ୍ଦେଶ୍ୟ ଥିଲା ଇଜରାଇଲ ଗୁଇନ୍ଦା ବିଭାଗ ଆଖିରେ ଧୂଳି ଦେବା । ବୈଷୟିକ ଜ୍ଞାନ କୌଶଳରେ ସମୃଦ୍ଧ ଇଜରାଇଲ ଫୋନ ଟ୍ରାକ କରି ହିଜବୁଲ୍ଲାହର ଗତିବିଧି ସମ୍ପର୍କରେ ଜାଣିବା ଆଶଙ୍କାରେ ଏହି ଅଭିଯାନ ଆରମ୍ଭ କରାଯାଇଥିଲା । ୧୩ ଫେବୃଆରୀରେ ହିଜବୁଲ୍ଲାହ ମହାସଚିବ ହସନ ନସରଲ୍ଲାହ ଏକ ଟେଲିଭିଜନ ବାର୍ତ୍ତାରେ ନିଜ ସମର୍ଥକଙ୍କୁ କହିଥିଲେ କି, ଫୋନ ଇଜରାଇଲ ଗୁଇନ୍ଦାଠାରୁ ଅଧିକ ଖତରାନାକ । ଏହାକୁ ଭାଙ୍ଗିଦେବା ଦରକାର । ସଂଗଠନକୁ ସମ୍ପୂର୍ଣ୍ଣ ରୂପେ ମୋବାଇଲ ବ୍ୟବହାର କରିବାକୁ ମନାକରାଯାଇଥିଲା । ତେବେ ଯୋଗାଯୋଗ ପାଇଁ ମୋବାଇଲ ବଦଳରେ ହିଜବୁଲ୍ଲାହ ପେଜରର ପ୍ରଚଳନ କରିଥିଲା । ପେଜରକୁ ଟ୍ରାକିଂ କରିବା ସହଜ ନୁହେଁ ଓ ଏଥିରେ କମ ଇଲୋକ୍ଟ୍ରୋନିକ ଟେକନିକର ବ୍ୟବହାର ହୋଇଥାଏ ।

ହେଲେ ସେହି ପେଜରକୁ ଆକ୍ରମଣର ମାଧ୍ୟମ କରିଦେଲା ଇଜରାଏଲର ଗୁଇନ୍ଦା ସଂଗଠନ ମୋସାଦ । ସୁରକ୍ଷା ଦୃଷ୍ଟିରୁ ହିଜବୁଲ୍ଲାହ ପେଜର ବ୍ୟବହାରକୁ ବ୍ୟାପକ କରିଥିଲା ଓ ତାଲିବାନର ଗୋଲ୍ଡ ଆପୋଲୋ କମ୍ପାନୀକୁ ୫ହଜାର ପେଜର ନିର୍ମାଣ କରିବାକୁ ଦେଇଥିଲା ଅର୍ଡର । ଏବେ ବିସ୍ଫୋରଣ ପରେ କମ୍ପାନୀର ପ୍ରତିଷ୍ଠାତା ହସୁ ଚିଙ୍ଗ କୁଆଙ୍ଗ କହିଛନ୍ତି, ବିସ୍ଫୋରଣ ହୋଇଥିବା ପେଜର ୟୁରୋପୀୟ କମ୍ପାନୀ ତିଆରି କରିଥିଲା, ସେସବୁରେ କେବଳ ଗୋଲ୍ଡ ଆପୋଲୋର ବ୍ରାଣ୍ଡ ଲାଗିଥିଲା ।

କୁହାଯାଉଛି ପେଜର ନିର୍ମାଣ ବେଳେ ଇଜରାଇଲ ଗୁଇନ୍ଦା ସଂସ୍ଥା ଏଥିରେ ଏକ ବିଶେଷ ବୋର୍ଡ ଲଗାଇଥିଲା, ଯେଉଁଥିରେ ମାତ୍ର ତିନି ଗ୍ରାମର ବିସ୍ଫୋରକ ଥିଲା । ପେଣ୍ଟାଏରିଥ୍ରିଟୋଲ ଟେଟ୍ରାନାଇଟେଟ ବା ପିଇଟିଏନର ବ୍ୟବହାର ହୋଇଥିଲା ପେଜରରେ । ଆଉ ଗୋଟିଏ ବଟନ ଚିପି ଏକା ସାଙ୍ଗରେ ୩୦୦୦ ପେଜର ବ୍ଲାଷ୍ଟ କରି ହିଜବୁଲ୍ଲାହକୁ ଚମକାଇ ଦେଇଛି ଇଜରାଇଲ । ଲେବାନନ ଉପରେ ଇଜରାଇଲର ଆକ୍ରମଣ ପରେ ଟ୍ରେଣ୍ଡ କରୁଛି ପେଜର ଆଟାକ୍

 

Get real time updates directly on you device, subscribe now.