ଅନ୍ୟତ୍ର ହେଉଥିଲେ ବଦଳି, କିନ୍ତୁ କ୍ୱାଟରରୁ ମିଳିଲା ଝୁଲନ୍ତା ମୃତଦେହ

କନ୍ନୁର: କେରଳର କନ୍ନୁର ଏଡିଏମ ନବୀନ ବାବୁଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ତାଙ୍କ ଘରୁ ମିଳିଛି । ମୃତ୍ୟୁର କାରଣ ଜଣାପଡିନାହିଁ । ପୋଲିସ ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଦେଇଛି । କନ୍ନୁର ଜିଲ୍ଲା ପଞ୍ଚାୟତ ଅଧ୍ୟକ୍ଷ ପିପି ଦିବ୍ୟା ସୋମବାର ନବୀନଙ୍କ ବଦଳୀ କାଳୀନ ସମାରୋହରେ ତାଙ୍କ ବିରୋଧରେ ଭ୍ରଷ୍ଟାଚାର ଅଭିଯୋଗ ଆଣିଥିଲୋ ନବୀନଙ୍କୁ ପଥାନାମାଥିଟ୍ଟାକୁ ବଦଳି କରାଯାଇଥିଲା ।

ଜିଲ୍ଲା ପଞ୍ଚାୟତ ଅଧ୍ୟକ୍ଷ ବିନା କୌଣସି ନିମନ୍ତ୍ରଣରେ ନବୀନଙ୍କ ପାଇଁ ଆୟୋଜିତ କାର୍ଯ୍ୟକ୍ରମରେ ପହଞ୍ଚି ଯାଇଥିଲେ ଓ ତାଙ୍କ ବିରୋଧରେ କଥିତ ରୂପେ ଭ୍ରଷ୍ଟାଚାରର ଅଭିଯୋଗ ଆଣିଥିଲେ । ଅଧ୍ୟକ୍ଷ ଶାସକ ସିପିଆଇ ଏମର ସଦସ୍ୟ । ସେ ଚେଙ୍ଗଲଇରେ ଏକ ପେଟ୍ରୋଲ ପମ୍ପ ପାଇଁ ମଞ୍ଜୁରୀରେ ବିଳମ୍ବତା ପାଇଁ ଏଡିଏମଙ୍କ ସହ ଆଲୋଚନା କରିଥିଲେ ମଧ୍ୟ । ବଦଳିର ଦୁଇ ଦିନ ପରେ ପେଟ୍ରୋଲ ପମ୍ପକୁ ମଞ୍ଜୁରୀ ଦେବା କଥା କହି ପରୋକ୍ଷରେ ନବୀନ ଭ୍ରଷ୍ଟାଚାରରେ ଲିପ୍ତ ଥିବା କଥା କହିଥିଲେ । ଏଥିସହ ନବୀନଙ୍କ ପାଇଁ ଆୟୋଜିତ ସମ୍ମାନ କାର୍ଯ୍ୟକ୍ରମ ପାଇଁ ମଧ୍ୟ ଅପେକ୍ଷା କଲେ ନାହିଁ ଓ ସେଠାରୁ ଚାଲିଗଲେ ।

ପରଦିନ ନବୀନଙ୍କ ମୃତଦେହ ତାଙ୍କ ଘରୁ ଝୁଲନ୍ତା ଅବସ୍ଥାରେ ମିଳିଛି । ତାଙ୍କ ବିରୋଧରେ ଆସିଥିବା ଭ୍ରଷ୍ଟାଚାର ଅଭିଯୋଗକୁ ସେ ସହ୍ୟ କରି ନ ପାରି ଏତେବଡ ପଦକ୍ଷେପ ନେଇଥିବା ଲୋକେ ସନ୍ଦେହ କରୁଛନ୍ତି । ମାମଲାରେ ପୋଲିସ ମୃତଦେହ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ପାଠାଇ ଦେଇଛି । ତଦନ୍ତ ପରେ ନବୀନଙ୍କ ଏମିତି ଚରମ ପଦକ୍ଷେପକୁ ନେଇ ପ୍ରକୃତ ତଥ୍ୟ ଜଣାପଡିବ ବୋଲି କହିଛି ପୋଲିସ ।

Get real time updates directly on you device, subscribe now.