ନୂଆଦିଲ୍ଲୀ: ହରିୟାଣାରେ ବିଧାନସଭା ନିର୍ବାଚନଳ ୨୦୨୪ ସମୟରେ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍(EVM) ତୃଟି ସମ୍ପର୍କିତ କଂଗ୍ରେସର ଅଭିଯୋଗକୁ ଭାରତୀୟ ନିର୍ବାଚନ ଆୟୋଗ(ECI) ପ୍ରତ୍ୟାଖାନ୍ କରିଛି । ମଙ୍ଗଳବାର କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ଲିଖିତ ଉତ୍ତରରେ ECI ପକ୍ଷରୁ କୁହାଯାଇଥିଲା କି EVM ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ ଏବଂ ଫଳାଫଳ ଉପରେ ବ୍ୟାଟେରୀର କୌଣସି ପ୍ରଭାବ ପଡ଼ିନଥାଏ । ଏଭଳି ଅଭିଯୋଗ ଭିତ୍ତିହୀନ ଏବଂ ଏଥିରେ ତଥ୍ୟ ଅଭାବ ରହିଛି ।
ଭାରତୀୟ ନିର୍ବାଚନ ଆୟୋଗ କଂଗ୍ରେସକୁ ଚିଠି ମାଧ୍ୟମରେ ଦର୍ଶାଇଛି କି ମତଦାନ ଏବଂ ଭୋଟ୍ ଗଣତି ଦିନ ଭଳି ସମ୍ବେଦନଶୀଳ ସମୟରେ ଦାୟିତ୍ୱହୀନ ଅଭିଯୋଗ କରିବା ଦ୍ୱାରା ସାର୍ବଜନିକ ଅଶାନ୍ତି ଏବଂ ଅରାଜକତା ଉତ୍ପନ୍ନ ହୋଇପାରେ । ଗତ ଏକ ବର୍ଷ ମଧ୍ୟରେ ୫ଟି ନିର୍ଦ୍ଦିଷ୍ଟ ମାମଲା ଦର୍ଶାଇ ନିର୍ବାଚନ ଆୟୋଗ କଂଗ୍ରେସକୁ ଉଚିତ ପରିଶ୍ରମ କରିବା ଏବଂ ବିନା କୌଣସି ପ୍ରମାଣ ଆଧାରରେ ନିର୍ବାଚନୀ ସଂଚାଳନ ଉପରେ ସନ୍ଦେହ କରିବା ଠାରୁ ଦୂରେଇ ରହିବା ପାଇଁ କହିଛନ୍ତି । କଂଗ୍ରେସ ଏହାର ଅଭିଯୋଗରେ ଦର୍ଶାଇଥିଲା କି ଅକ୍ଟୋବର ୮ରେ ହୋଇଥିବା ଭୋଟ୍ ଗଣତି ସମୟରେ ଇଭିଏମ୍ ବ୍ୟାଟେରୀରେ ୯୯% ଚାର୍ଜ ରହିଥିବାବେଳେ କିଛି ଭୋଟିଂ ମେସିନରେ ୬୦ରୁ ୮୦% ଚାର୍ଜ ଥିଲା । ବିଜେପିକୁ ସେହି ସ୍ଥାନରେ ଅଧିକ ଭୋଟ୍ ମିଳିଥିଲା ଯେଉଁଠି ବ୍ୟାଟେରୀରେ ୯୯% ଚାର୍ଜ ଥିଲା । ସେହିପରି ବ୍ୟାଟେରୀରେ ୬୦ରୁ ୮୦% ଚାର୍ଜ ଥିବା ସ୍ଥାନରେ କଂଗ୍ରେସକୁ ଅଳ୍ପ ଭୋଟ୍ ମିଳିଥିଲା । ନାରନୌଲ, କରନାଲ, ଡବୱାଲି, ରାୱେଡ଼ି, ହୋଡଲ(ଏସସି), କାଲକା, ପାନିପତ ସିଟି, ଇନ୍ଦ୍ରୀ, ବଡ଼ଖଲ, ଫରିଦାବାଦ ଏନଆଇଟି, ନଲୱା, ରାନିଆଁ, ପଟୌଦୀ(ଏସସି), ପଲୱଲ, ବଲ୍ଲଭଗଡ଼, ବରୱାଲା, ଉଚାନା କଲାଂ, ଘରୌଣ୍ଡା, କୋସଲି ଏବଂ ବାଦଶାହପୁର ସମେତ ଅନ୍ୟାନ୍ୟ ସ୍ଥାନରେ ଇଭିଏମରେ ତୃଟି ଥିବା କଂଗ୍ରେସ ଅଭିଯୋଗ କରିଥିଲା ।