ନୂଆଦିଲ୍ଲୀ: ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ) ତା’ର ଅନେକ ଗ୍ରାହକଙ୍କୁ ଦେଇଛି ଏକ ବଡ଼ ଝଟକା । ବ୍ୟାଙ୍କ ପକ୍ଷରୁ ତିନି ଓ ଛଅ ମାସର ମାର୍ଜିନାଲ୍ କଷ୍ଟ ଅଫ୍ ଫଣ୍ଡସ ବେସଡ୍ ଲେଣ୍ଡିଂ ରେଟ(ଏମସିଏଲଆର)ରେ ବୃଦ୍ଧି କରାଯାଇଛି । ଅନ୍ୟପକ୍ଷରେ ଦିନିକିଆ, ଏକ ମାସିଆ, ଦୁଇ ବର୍ଷିଆ ଓ ତିନି ବର୍ଷିଆ ଅବଧିର ଏମସିଏଲରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ । ଏହାଫଳରେ ଗ୍ରାହକଙ୍କ ପାଇଁ ଏସବିଆଇର କାର ଲୋନ ନେବା ଏବେ ମହଙ୍ଗା ହୋଇ ଯାଇଛି । ନଭେମ୍ବର ୧୪ ତାରିଖରେ ଏସବିଆଇ ତା’ର ଏମସିଏଲରେ ୦.୦୫ ପ୍ରତିଶତ ବୃଦ୍ଧି ଘୋଷଣା କରିଛି । ଏନେଇ ବ୍ୟାଙ୍କର ୱେବସାଇଟରେ ସୂଚନା ଜାରି କରାଯାଇଛି ।
ବ୍ୟାଙ୍କ ପକ୍ଷରୁ ଏକ ବର୍ଷିଆ ଏମସିଏଲଆରକୁ ୦.୦୫ ପ୍ରତିଶତ ବୃଦ୍ଧି କରାଯାଇ ୯ ପ୍ରତିଶତ କରି ଦିଆଯାଇଛି । ଏକ ବର୍ଷିଆ ଏମସିଏଲଆର ଦର ଅନୁସାରେ ପର୍ସନାଲ ଲୋନ, କାର ଲୋନ ଓ ହୋମ ଲୋନ ପରି ଋଣ ଧାର୍ଯ୍ୟ ହୋଇଥାଏ । ନିକଟରେ ବ୍ୟାଙ୍କ ଦୁଇଥର ଏମସିଏଲଆର ବୃଦ୍ଧି କରିଥିଲା । ବ୍ୟାଙ୍କର ୪୨ ପ୍ରତିଶତ ଋଣ ଏମସିଏଲଆର ସହ ଜଡ଼ିତ ରହିଥାଏ ବୋଲି ବ୍ୟାଙ୍କ ଅଧ୍ୟକ୍ଷ ସି.ଏସ ଶେଟ୍ଟୀ କହିଥିଲେ । ଏକ ଦିନିଆ, ଏକ ମାସିଆ, ଦୁଇ ବର୍ଷିଆ ଓ ତିନି ବର୍ଷିଆ ଅବଧି ବିଶିଷ୍ଟ ଏମସିଏଲଆରରେ ଏସବିଆଇ କୌଣସି ପରିବର୍ତ୍ତନ କରିନାହିଁ ।