ପଦ ଲୋଭରେ ପଡ଼ିଥିଲେ ଦିଶାଙ୍କ ବାପା, ଚଳୁ ହୋଇଗଲା ୨୫ ଲକ୍ଷ ଟଙ୍କା

ବରେଲି: ବଲିଉଡ୍ ଅଭିନେତ୍ରୀ ଦିଶା ପଟାନିଙ୍କ ବାପା ଏବେ ଅଡ଼ୁଆରେ ପଡ଼ିଛନ୍ତି । ଅବସର ପରେ ମଧ୍ୟ ଘାରିଥିଲା ପଦବୀ ଲୋଭ । ଆଉ ଯେଉଁଥି ପାଇଁ ତାଙ୍କୁ ଏବେ ୨୫ ଲକ୍ଷ ଟଙ୍କା ହରେଇବାକୁ ପଡ଼ିଛି । ଡିଏସପି ପଦରୁ ଅବସର ନେବା ପରେ ପୁଣିଥରେ ଉଚ୍ଚପଦରେ ରହିବାକୁ ଚାହୁଁଥିଲେ ଜଗଦିଶ ସିଂ ପଟାନି । ଉଚ୍ଚ ପଦ ଦେବାର ପ୍ରତିଶ୍ରୁତି ଦେଇ ତାଙ୍କଠାରୁ ୫ ଜଣ ଦୁର୍ବୃତ୍ତ ୨୫ ଲକ୍ଷ ଟଙ୍କା ନେଇଯାଇଛନ୍ତି । ଏନେଇ ସେ ଉତ୍ତର ପ୍ରଦେଶ ଥାନାରେ ଏଫଆଇଆର ରେଜିଷ୍ଟର କରିଛନ୍ତି । ଶିଭେନ୍ଦ୍ର ପ୍ରତାପ ସିଂ ନାମକ ବ୍ୟକ୍ତି ପ୍ରଥମେ ଜଗଦିଶଙ୍କୁ ଦିବାକର ଗାର୍ଗ, ଆଚାର୍ଯ୍ୟ ଜୟପ୍ରକାଶଙ୍କ ସହ ଭେଟ କରେଇଥିଲେ । ସେମାନଙ୍କର ରାଜନେତାମାନଙ୍କ ସହ ଭଲ ସମ୍ପର୍କ ଥିବାବେଳେ ଜଗଦିଶଙ୍କୁ ଗଭର୍ନମେଣ୍ଟ କମିଶନରେ ସଭାପତି, ଉପସଭାପତି ଭଳି କୌଣସି ଉଚ୍ଚ ପଦବୀ ଦେବେ ବୋଲି କଥା ଦେଇଥିଲେ । ଜଗଦିଶ ସେମାନଙ୍କୁ ୫ ଲକ୍ଷ ଟଙ୍କା କ୍ୟାସ ଆକାରରେ ଦେଇଥିବାବେଳେ ବାକି ୨୦ ଲକ୍ଷ ଟଙ୍କା ୩ଟି ଆକାଉଣ୍ଟରୁ ଟ୍ରାନ୍ସଫର କରିଥିଲେ । ଯଦି ସେମାନେ ଜଗଦିଶଙ୍କୁ କୌଣସି ପଦ ଦେବାରେ ଅସଫଳ ହେଲେ, ତେବେ ସେ ଟଙ୍କା ଫେରାଇ ଦେବା ଲାଗି ପ୍ରତିଶ୍ରୁତି ଦେଇଥିଲେ । ପ୍ରତିଶ୍ରୁତି ମୁତାବକ କାମ ନ ହେବାରୁ ଜଗଦିଶ ସେମାନଙ୍କୁ ଟଙ୍କା ଫେରାଇବା ପାଇଁ କହିଥିଲେ । ୫ ଦୁର୍ବୃତ୍ତ ଟଙ୍କା ଫେରେଇବା ବଦଳରେ ଜଗଦିଶଙ୍କୁ ଡରାଧମକା କଲେ, ଯାହାପରେ ସେ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି । ଏଫଆଇଆର୍ ପରେ ପୋଲିସ ଘଟଣାର ତଦନ୍ତ ଚଳାଇଛି ।