ପୁଅର ପ୍ରେମ ବିବାହ ବୃଦ୍ଧ ବାପା-ମାଆଙ୍କ ପାଇଁ ହୋଇଛି ଦଣ୍ଡ, ତାଙ୍କୁ ବାସନ୍ଦ କରିଛି ସମାଜ, ଜାତିରେ ମିଶିବାକୁ ରଖୁଛି ଅସମ୍ଭବ ସର୍ତ୍ତ

ବଲାଙ୍ଗୀର- ପୁଅ ଅନ୍ୟ ଜାତିରେ ପ୍ରେମ ବିବାହ କରିବାରୁ ବୃଦ୍ଧ ବାପା ମାମା ବାସନ୍ଦ । ବୃଦ୍ଧ, ବୃଦ୍ଧାଙ୍କୁ ଏକ ଘରିକିଆ ରଖିଛନ୍ତି ସାହି ପଡିଶା । କୌଣସି କାର୍ଯ୍ୟକ୍ରମରେ ଡାକୁନାହାନ୍ତି କି କେହି ଆସୁନାହାନ୍ତି ସେମାନଙ୍କ ଘରକୁ ବୋଲି ଅଭିଯୋଗ କରିଛନ୍ତି ସାମାଜିକ ବାସନ୍ଦର ଶିକାର ଅବସରପ୍ରାପ୍ତ ପ୍ରଫେସର ମନମୋହନ ସାଏ । ଖାଲି ଏତିକି ନୁହେଁ ଜାତିରେ ମିଶିବାକୁ ଜୀବନ୍ତ ପୁଅ ପାଇଁ ଶ୍ରାଦ୍ଧ ଦେବାକୁ ପକାଯାଉଛି ଚାପ । ଏମିତି ଏକ ମଧ୍ୟଯୁଗୀୟ କୁତ୍ସିତ ମାନସିକତା ଦେଖିବାକୁ ମିଳୁଛି ବଲାଙ୍ଗୀର ଜିଲ୍ଲାରେ ।

ଜିଲ୍ଲାର ପୁଇନ୍ତଳା ଗାଁର ବାସିନ୍ଦା ମନମୋହନ ସାଏ ପେସାରେ ଜଣେ ପ୍ରଫେସର । ଏବେ ସେ ଚାକିରିରୁ ଅବସର ନେଇ ସାରିଛନ୍ତି । ପୁଅ ତାଙ୍କର ବାଙ୍ଗାଲୁରୁରେ ଚାକିରି କରିବା ସହ ଜଣେ ମରାଠୀ ଝିଅଙ୍କୁ ପ୍ରେମ ବିବାହ କହିଥିଲେ । ପୁଅର ପ୍ରେମ ବିବାହ ଏବେ ସାଏ ଓ ତାଙ୍କ ପତ୍ନୀଙ୍କ ଜୀବନକୁ ନର୍କ କରିଦେଇଛି । ଜାତିଭାଇ ତାଙ୍କୁ ଜାତିରୁ ବାସନ୍ଦ କରିବା ସହ ଏକ ଘରିକିଆ କରି ରଖିଛନ୍ତି । ତାଙ୍କ ସହ କଥା ହେବାଠୁ ଦୂରେଇ ରହୁଛନ୍ତି ସାହିପଡିଶା ।

ଅଘରିଆ ଜାତିର ନିୟମ ମୁତାବକ, ଅନ୍ୟ ଜାତିରେ ବିବାହ କରିବା ଅପରାଧ । ତେଣୁ ସାୟଙ୍କ ପରିବାକୁ ବାସନ୍ଦ କରିଛି ସମାଜ । ଏହି ବାସନ୍ଦ ଉଠାଇବାକୁ ସେ ଜାତିର ମୁଖିଆଙ୍କୁ ଭେଟିବାରୁ ସେ ତାଙ୍କୁ ପୁଅ ପାଇଁ ଶୁଦ୍ଧି ହେବା ସହ ମୁଣ୍ଡନ କରି ପୁଣି ଜାତିରେ ମିଶିବାକୁ କହିଥିବା ଅଭିଯୋଗ କରୁଛନ୍ତି ବାସନ୍ଦର ଶିକାର ସାଏ । ପୁଅର ଖୁସି ପାଇଁ ସେ ବିବାହ କରିଛି ଓ ସେଥିରେ ତାଙ୍କର କୌଣସି ଅସୁବିଧା ନ ଥିବା ବେଳେ ଜାତିଭାଇ ଏମିତି ମଧ୍ୟଯୁଗୀୟ ଚିନ୍ତାଧାରାକୁ ନେଇ ତାଙ୍କୁ ହଇରାଣ କରୁଥିବା ସେ ଅଭିଯୋଗ କରିଛନ୍ତି ।

ତେବେ ଏନେଇ ଅଦ୍ୟାବଧି ସମ୍ପୃକ୍ତି ପ୍ରଫେସର ପୋଲିସରେ ଅଭିଯୋଗ କରିନାହାନ୍ତି । ଖୁବ ଶୀର୍ଘ ସେ ଅଭିଯୋଗ କରିବେ ବୋଲି କହିଛନ୍ତି ।