ହେ ପ୍ରଭୁ ଦେଖାଦିଅ…! କ’ଣ ଖାଇ ବଞ୍ଚିବ ମଣିଷ? ସବୁଆଡ଼େ ଖାଲି ଅପମିଶ୍ରଣ ଆଉ ନକଲି ଜିନିଷ…

ହାଇଦ୍ରାବାଦ: ବର୍ତ୍ତମାନ ସମୟରେ ମଣିଷ ଦେହରେ ରୋଗର ମାତ୍ରା ବଢ଼ିବାରେ ଲାଗିଛି । ବହୁ ଅଜଣା ରୋଗର କଷ୍ଟ ମଣିଷକୁ ଭୋଗିବାକୁ ପଡ଼ୁଛି । ଥରେ ଚିନ୍ତା କରିଛନ୍ତି ଏ ରୋଗ ପଛର କାରଣ କ’ଣ? ପ୍ରଥମ ଶରୀରର ଯତ୍ନ ନ ନେବା ଦ୍ୱିତୀୟ ହେଲା ଭେଜାଲ ଖାଦ୍ୟ ଖାଇବା । ବଜାରରେ ଆଜିକାଲି ଗୋଟିଏ ଜିନିଷର ବହୁ ଭେରାଇଟି ଉପଲବ୍ଧ । ଯାହାପାଇଁ କେଉଁ ଜିନିଷଟି ଶରୀରକୁ ସଠିକ୍ ଖୋରାକ ଯୋଗାଇବ ତାହା ଜାଣିହେଉ ନାହିଁ । ଆଉ ଏ କାରଣରୁ ଭେଜାଲ ଓ ଅପମିଶ୍ରିତ ଜିନିଷ ଖାଇ ମଣିଷ ଦେହରେ ରୋଗ ସୃଷ୍ଟି ହେବାରେ ଲାଗିଛି ।

ନିକଟରେ ତେଲଙ୍ଗାନାର ଖମାନରେ ଥିବା ମ୍ୟାଜିକ୍ ଜିଙ୍ଗର ଗାର୍ଲିକ୍ ପେଷ୍ଟ କମ୍ପାନୀ ଉପରେ ଚଢ଼ାଉ ହୋଇଛି । ରାଜ୍ୟ ସ୍ତରୀୟ ଟାସ୍କ ଫୋର୍ସ ପକ୍ଷରୁ ଏ ଚଢ଼ାଉ ହୋଇଥିବା ଜଣାପଡ଼ିଛି । ବିନା ଲାଇସେନ୍ସରେ ଏହି ଅଦା-ରସୁଣ ପେଷ୍ଟ କମ୍ପାନୀ ଚାଲୁଥିବା ପ୍ରଥମେ ଜଣାପଡ଼ିଥିଲା । ଏହାପରେ କର୍ତ୍ତୃପକ୍ଷଙ୍କ ଦ୍ୱାରା ଅଧିକ ଯାଞ୍ଚ କରାଯାଇଥିଲା । ମସଲା ପେଷ୍ଟରେ ଅପମିଶ୍ରଣ କରାଯାଇଥିବା ସହ ପ୍ୟାକେଟରୁ ଦୁର୍ଗନ୍ଧ ଆସୁଥିବା ଅଧିକାରୀ କହିଥିଲେ । କମ୍ପାନୀରୁ ପାଖାପାଖି ୯୬୦ କିଲୋର ଅଦା-ରସୁଣ ପେଷ୍ଟ ଅଧିକାରୀଙ୍କ ପକ୍ଷରୁ ଜବତ କରାଯାଇଛି । ନିକଟରେ ଉକ୍ତ ଟାସ୍କ ଫୋର୍ସ ହାଇଦ୍ରାବାଦର ଏକାଧିକ ରେଷ୍ଟୁରାଣ୍ଟ, ପାନ ଦୋକାନ, କ୍ଲାଉଡ୍ କିଚେନ ଏବଂ ମିଠା ଦୋକାନରେ ଚଢ଼ାଉ କରି ବାସି, ଅପମିଶ୍ରିତ ଦ୍ରବ୍ୟ ଜବତ କରିଛି ।