ମୁଖ୍ୟମନ୍ତ୍ରୀଙ୍କ ବଡ଼ ନିଷ୍ପତ୍ତି: କଟକ ବାଲିଯାତ୍ରାର ଅବଧି ଗୋଟିଏ ଦିନ ବଢ଼ିଲା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଚଳିତ ଥର ବାଲିଯାତ୍ରାର ଅବଧି ଆଉ ଗୋଟିଏ ଦିନ ବୃଦ୍ଧି ପାଇଛି । ଚଳିତ ବର୍ଷ ବାଲିଯାତ୍ରା ୮ ଦିନ ହେବା ନେଇ ପୂର୍ବରୁ ପ୍ରଶାସନିକ ମହଲରେ ନିଷ୍ପତ୍ତି ହୋଇଥିଲା । ଏନେଇ ମଧ୍ୟ ସମସ୍ତ ପ୍ରକାରର କାର୍ଯ୍ୟକ୍ରମ ସ୍ଥରୀକୃତ ହୋଇ ସାରିଥିଲା । ତେବେ ଗତ ୧୮ ତାରିଖ ସୋମବାର ଦିନ ରାଜ୍ୟର ପୂର୍ବତନ ମନ୍ତ୍ରୀ ସମୀର ଦେ’ଙ୍କ ବିୟୋଗ ପରେ ତାଙ୍କୁ ସମ୍ମାନ ଜଣାଇ ବାଲିଯାତ୍ରାରେ ସମସ୍ତ ସରକାରୀ କାର୍ଯ୍ୟକ୍ରମକୁ ହଠାତ୍ ବାତିଲ୍ କରାଯାଇଥିଲା । ଏପରିକି ମେଳାରେ କୌଣସି ବେସରକାରୀ ଷ୍ଟଲରେ ସାଉଣ୍ଡ ମଧ୍ୟ ବାଜିନଥିଲା । ତା’ ସାଙ୍ଗକୁ କଟକ ଇନ କଟକ ମଧ୍ୟରେ ହେବାକୁ ଥିବା ମନୋରଞ୍ଜନ କାର୍ଯ୍ୟକ୍ରମ ମଧ୍ୟ ବନ୍ଦ ହୋଇଥିଲା ।

ତେଣୁ ଗତ ସୋମବାର ହେବାକୁ ଥିବା କାର୍ଯ୍ୟକ୍ରମକୁ ଆଡଜଷ୍ଟ କରିବା ପାଇଁ ଏଥର ଯାତ୍ରାକୁ ଆଉ ଗୋଟିଏ ଦିନ ବୃଦ୍ଧି କରିବା ନେଇ ଚର୍ଚ୍ଚା ହୋଇଥିଲା । ଏହା ମଧ୍ୟରେ ଲୋକଙ୍କର ଆଗ୍ରହ ଓ ଅନୁରୋଧକୁ ଦୃଷ୍ଟିରେ ରଖି ବାଲିଯାତ୍ରାର ଅବଧିକୁ ଆଉ ଗୋଟିଏ ଦିନ ପାଇଁ ବୃଦ୍ଧି କରାଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏନେଇ ନେଇଛନ୍ତି ଏକ ବଡ଼ ନିଷ୍ପତ୍ତି । ନଭେମ୍ବର ୧୫ରୁ ବାଲିଯାତ୍ରା ଆରମ୍ଭ ହୋଇଥିବା ବେଳେ ତାହା ନଭେମ୍ବର ୨୨ରେ ସମାପ୍ତ ହେବାର ଥିଲା । ତେବେ ଏବେ ଯାତ୍ରା ଅବଧି ଗୋଟିଏ ଦିନ ବୃଦ୍ଧି ହେବା ଫଳରେ ଆସନ୍ତା ୨୩ରେ ବାଲିଯାତ୍ରା ଉଦଯାପିତ ହେବ । ଏନେଇ ଅଫିସିଆଲ ଭାବେ ଘୋଷଣା କରାଯାଇଛି ।

ସୂଚନାଯୋଗ୍ୟ ଯେ, ରାଜ୍ୟର ପୂର୍ବତନ ମନ୍ତ୍ରୀ ସମୀର ଦେ’ଙ୍କ ସ୍ୱାସ୍ଥ୍ୟାବସ୍ଥା ନିକଟରେ ବିଗିଡ଼ି ଯାଇଥିବା ବେଳେ ଗତକାଲି ସେ ପରଲୋକ ଗମନ କରିଥିଲେ । ତେଣୁ ସମୀରଙ୍କୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ଗତକାଲି ବାଲିଯାତ୍ରାର ସମସ୍ତ କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଥିଲା । ଏନେଇ କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା । ଦୀର୍ଘଦିନ ଧରି ଚିକିତ୍ସିତ ହେଉଥିବା ବେଳେ କଟକର ଏକ ଘରୋଇ ହସ୍ପିଟାଲରେ ସମୀର ୬୭ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ ।