ନୂଆଦିଲ୍ଲୀ: ଜ୍ଞାନବ୍ୟାପୀ ମାମଲାରେ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ଶୁଣାଣି କରିଛନ୍ତି । ଜ୍ଞାନବ୍ୟାପୀ ପରିସରରେ ଶିବଲିଙ୍ଗର ଏଏସଆଇ ସର୍ଭେ କରିବା ଦାବିର ପିଟିସନ ଉପରେ ସୁପ୍ରିମକୋର୍ଟ ମୁସଲିମ ପକ୍ଷଙ୍କୁ ନୋଟିସ ଜାରି କରିଛନ୍ତି । ହିନ୍ଦୁ ପକ୍ଷରୁ କୋର୍ଟଙ୍କ ପାଖେ ଏହି ଆବେଦନ କରାଯାଇଥିଲା । ଏହା ଉପରେ ଶୁଣାଣି କରି ସୁପ୍ରିମକୋର୍ଟ ମୁସଲିମ ପକ୍ଷଙ୍କୁ ନୋଟିସ ଜାରି କରି ୨ ସପ୍ତାହ ମଧ୍ୟରେ ଜବାବ ମାଗିଛନ୍ତି ।
ସୁପ୍ରିମକୋର୍ଟ ଶୁକ୍ରବାର ଦିନ ଜ୍ଞାନବ୍ୟାପୀ ମାମଲାକୁ ନେଇ ବାରଣାସୀର ନିମ୍ନ ଅଦାଲତରେ ଚାଲିଥିବା ସମସ୍ତ ୧୫ଟି ମାମଲାକୁ ହାଇକୋର୍ଟ ଟ୍ରାନ୍ସଫର କରିବାର ହିନ୍ଦୁ ପକ୍ଷଙ୍କ ଦାବି ଉପରେ ଶୁଣାଣି କରୁଥିଲେ । ଜଷ୍ଟିସ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ ଉଜ୍ଜଳ ଭୂଇଁୟାଙ୍କ ବେଞ୍ଚ ସମ୍ମୁଖରେ ହିନ୍ଦୁ ପକ୍ଷଙ୍କ ଓକିଲ କହିଛନ୍ତି ଯେ, କିଛି ପିଟିସନ ଜିଲ୍ଲା ଜଜଙ୍କ ପାଖରେ ଅଛି ତ କିଛି ସିଭିଲ ଜଜଙ୍କ ପାଖରେ ଅଛି, ଏଥିରେ ଗୋଟିଏ ହିଁ ମାମଲା ଉପରେ ଭିନ୍ନ-ଭିନ୍ନ କୋର୍ଟରେ ଭିନ୍ନ-ଭିନ୍ନ ଆଦେଶ ଆସୁଛି । ଏଥିରେ ଆମର ଦାବି ରହିଛି ଯେ, ଜ୍ଞାନବ୍ୟାପୀ ସହ ଜଡିତ ସମସ୍ତ ପିଟିସନକୁ ଏକ ସାଙ୍ଗରେ କ୍ଲବ କରି ଆହ୍ଲାବାଦ ହାଇକୋର୍ଟରେ ତିନିଜଣ ଜଜଙ୍କ ବେଞ୍ଚ ସମ୍ମୁଖରେ ଟ୍ରାନ୍ସଫର କରାଯିବ ।