ସିଓଲ: ଅତ୍ୟଧିକ ଭୂତଳ ଜଳ ନିଷ୍କାସନ ଯୋଗୁ ୧୯୯୩ରୁ ୨୦୧୦ ମଧ୍ୟରେ ପୃଥିବୀର ଅକ୍ଷ ପ୍ରାୟ ୮୦ ସେଣ୍ଟିମିଟର (୩୧.୫ ଇଞ୍ଚ ) ଢଳିଛି । ଏ ସମ୍ପର୍କିତ ଏକ ରିପୋର୍ଟ ସିଓଲ ଜାତୀୟ ବିଶ୍ୱ ବିଦ୍ୟାଳୟ ପକ୍ଷରୁ କରାଯାଇଥିବା ଏକ ଅଧ୍ୟୟନରେ ପ୍ରକାଶ ପାଇଛି । ଅଧ୍ୟୟନ ଅନୁଯାୟୀ, ୧୯୯୩ରୁ ୨୦୧୦ ମଧ୍ୟରେ ମନୁଷ୍ୟକୃତ ଭାବେ ପ୍ରାୟ ୨୧୫୦ ଗୀଗା ଟନ୍ ଭୂତଳ ଜଳକୁ ବାହାର କରାଯାଇଛି । ସେଥିମଧ୍ୟରୁ କିଛି ମାତ୍ରାରେ ଭୂତଳ ଜଳ ସମୁଦ୍ରକୁ ପ୍ରବାହିତ ହେଉଥିବାରୁ ସମୁଦ୍ର ପତ୍ତନରେ ବୃଦ୍ଧି ଘଟିଥିବା ନେଇ ଅଧ୍ୟୟନର ମୁଖ୍ୟ ଗବେଷକ କି.ୱେନ୍ ସେଓ କହିଛନ୍ତି ।
ଷ୍ଟଡି ଅନୁସାରେ ଅତ୍ୟଧିକ ମାତ୍ରାରେ ଭୂତଳ ଜଳ ବାହାରିଯିବା ଏବଂ ସ୍ଥାନାନ୍ତରିତ ହେବା ଯୋଗୁ କେବଳ ପୃଥିବୀର ଘୂର୍ଣ୍ଣନରେ ପରିବର୍ତ୍ତନ ହୋଇ ନ ଥାଏ ବରଂ ଏହା ସମୁଦ୍ର ପତ୍ତନକୁ ମଧ୍ୟ ବଢ଼ାଇଥାଏ । ପୃଥିବୀର ଅକ୍ଷ ୩୧.୫ ଇଞ୍ଚ ଢଳିବା ସମୁଦ୍ର ପତ୍ତନରେ ୦.୨୪ ଇଞ୍ଚ ବୃଦ୍ଧି ସହ ସମାନ ବୋଲି ଉକ୍ତ ଅଧ୍ୟୟନରେ କୁହାଯାଇଛି । ସେଓଙ୍କ ଅନୁସାରେ ଜଳବାୟୁ ସମ୍ବନ୍ଧୀୟ କାରଣ ଯୋଗୁ ଭୂତଳ ଜଳସ୍ତରରେ ପରିବର୍ତ୍ତନ ଘଟିଥାଏ । ଯାହା ପୃଥିବୀର ଘୂର୍ଣ୍ଣନମେରୁ ଉପରେ ସର୍ବାଧିକ ପ୍ରଭାବ ପକାଏ । ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ମାଧ୍ୟମରେ ଭାରତ ସମେତ ଅଧିକାଂଶ ଦେଶରେ ଭୂତଳ ଜଳ ଗତି କରି ସମୁଦ୍ରରେ ପହଞ୍ଚୁଥିବାରୁ ଏହା ପୃଥିବୀର ଘୂର୍ଣ୍ଣନ ମେରୁକୁ ପରିବର୍ତ୍ତନ କରିଥାଏ । ଗ୍ରୀନ୍ଲାଣ୍ଡ ଏବଂ ଆଣ୍ଟାର୍କଟିକାରେ ଗ୍ଲାସିଅର ତରଳିବା ପୃଥିବୀର ଅକ୍ଷ ଢଳିବାର ମୁଖ୍ୟ କାରଣ । ଭୂତଳ ଜଳ ସ୍ତରରେ ପରିବର୍ତ୍ତନ ପୃଥିବୀର ଆଭ୍ୟନ୍ତରୀଣ ପ୍ରଣାଳୀ ଉପରେ ପ୍ରଭାବ ପକାଇବ ବୋଲି ଉକ୍ତ ଅଧ୍ୟୟନରେ କୁହାଯାଇଛି ।