ରାଜ୍ୟସ୍ତରୀୟ କ୍ରୀଡ଼ା ମହୋତ୍ସବ ‘ଉତ୍ସାହ’ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ: ଜୀବନରେ ବଡ଼ ସ୍ୱପ୍ନ ଦେଖିବାକୁ ପିଲାଙ୍କୁ ଦେଲେ ଆହ୍ୱାନ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱର ଠାରେ ରାଜ୍ୟସ୍ତରୀୟ କ୍ରୀଡ଼ା ମହୋତ୍ସବ ‘ଉତ୍ସାହ’ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଜୀବନରେ ବଡ଼ ହେବା ପାଇଁ ବଡ଼ ସ୍ୱପ୍ନ ଦେଖିବାକୁ ଏହି ଅବସରରେ ପିଲାମାନଙ୍କୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, ପିଲାମାନେ ତୁମ ମାନଙ୍କର ଭରପୁର ପ୍ରତିଭା ଅଛି । ବଡ ହେବା ପାଇଁ ହେଲେ ସ୍ୱପ୍ନ ମଧ୍ୟ ବଡ ହେବା ଆବଶ୍ୟକ । ଯଦି ସୂର୍ଯ୍ୟରେ ପହଞ୍ଚିବାପାଇଁ ସ୍ୱପ୍ନ ଦେଖି କାର୍ଯ୍ୟ କରିବା ଅତି କମରେ ଚନ୍ଦ୍ରରେ ପହଞ୍ଚିପାରିବା । ସ୍ୱପ୍ନର କାନଭାସ ଯେତେ ବଡ ହେବ, ଚିତ୍ରର ଆକାର ମଧ୍ୟ ସେତେ ବଡ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଜି ମହିଳା ଓ ଶିଶୁ ବିକାଶ ବିଭାଗ ଅଧୀନରେ ଥିବା ରାଜ୍ୟ ଶିଶୁ ସୁରକ୍ଷା ସମିତି ପକ୍ଷରୁ ଆୟୋଜିତ ଉତ୍ସାହ କାର୍ଯ୍ୟକ୍ରମ ଉଦଘାଟନ ଅବସରରେ ପିଲାମାନଙ୍କୁ ଉଦବୋଧନ ଦେଇ କହିଛନ୍ତି ।
ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ଠାରେ ଆୟୋଜିତ ଏହି ଉତ୍ସବରେ ରାଜ୍ୟର ବିଭିନ୍ନ ଜିଲ୍ଲାର ୧୬୫ଟି ଶିଶୁ ଯତ୍ନ କେନ୍ଦ୍ରର ପ୍ରାୟ ୫୮୦ ପିଲା ଯୋଗଦେଇଛନ୍ତି । ଏହି ପିଲାମାନଙ୍କ ଅନ୍ତର୍ନିହିତ ପ୍ରତିଭାର ପରିପ୍ରକାଶ ନିମନ୍ତେ ଗତ ୨୬ ଓ ୨୭ ତାରିଖରେ ରାଜ୍ୟ ସ୍ତରୀୟ ଶିଶୁ ମହୋତ୍ସବ ମହକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଯାଇଛି । ପିଲା ମାନଙ୍କର କ୍ରୀଡା ମହୋତ୍ସବ ‘ଉତ୍ସାହ’ ୨୮ ଓ ୨୯ ତାରିଖ ଦୁଇ ଦିନ ଧରି ଅନୁଷ୍ଠିତ ହେଉଛି ।
ମୁଖ୍ୟମନ୍ତ୍ରୀ ପିଲାମାନଙ୍କୁ ପରାମର୍ଶ ଦେଇ କହିଥିଲେ ବଡ ସ୍ୱପ୍ନ ଦେଖିବା ସହିତ ତାକୁ ସାକାର କରିବା ପାଇଁ ଉଦ୍ୟମ ମଧ୍ୟ ଜାରି ରଖିବା ଆବଶ୍ୟକ । ତାହେଲେ ଯାଇ ସ୍ୱପ୍ନ ଚରିତାର୍ଥ ହେବ । ଜଙ୍ଗଲର ରାଜା ସିଂହକୁ ମଧ୍ୟ ଶିକାର ପାଇଁ ପରିଶ୍ରମ କରିବାକୁ ପଡିଥାଏ । ତେଣୁ ସ୍ୱପ୍ନ ଦେଖିବା ସହିତ କଠୋର ପରିଶ୍ରମ କରିବାକୁ ପଡିବ । ତାହେଲେ ଯାଇ ତୁମେ ମାନେ ନିଜ ନିଜ କ୍ଷେତ୍ରରେ ସଫଳତା ପାଇବ । ମହକ ଓ ଉତ୍ସାହ କାର୍ଯ୍ୟକ୍ରମ ହେଉଛି ତୁମ ମାନଙ୍କୁ ଆଗକୁ ବଢିବା ପାଇଁ ଗୋଟିଏ ଗୋଟିଏ ପାହାଚ । ତୁମ ମାନଙ୍କ ପ୍ରତିଭା ଓ ସୃଜନଶୀଳତାର ସଠିକ୍ ଉପଯୋଗକର । ଆମ ଦେଶର ପ୍ରତ୍ୟେକ କୁନି କୁନି ପିଲାଙ୍କ ମଧ୍ୟରେ ରହିଛି ଏକଲବ୍ୟଙ୍କ କୌଶଳ, ଅଭିମନ୍ୟୁଙ୍କ ଦୁଃସାହସ, ପ୍ରହଲ୍ଲାଦଙ୍କ ଭକ୍ତି ଓ ଅଷ୍ଟବକ୍ରଙ୍କ ପାଣ୍ଡିତ୍ୟ । ଅଲମ୍ପିକ୍ ବିଜେତା ନିରୋଜ ଚୋପ୍ରାଙ୍କ ଠାରୁ ଆରମ୍ଭ କରି କିମ୍ବଦନ୍ତୀ କ୍ରିକେଟ ତାରକା ସଚିନ ତେନ୍ଦୁଲକରଙ୍କ କଠିନ ପରିଶ୍ରମ ଓ ସେମାନଙ୍କ ସଫଳତାକୁ ଉଦାହରଣ ଭାବେ ନେବା ପାଇଁ ସେ ପିଲାମାନଙ୍କୁ ପରାମର୍ଶ ଦେଇଥିଲେ ।
ସେ ପୁଣି କହିଥିଲେ ଯେ, କ୍ରୀଡାର ବିକାଶ ପାଇଁ କେବଳ ଅର୍ଥର ବ୍ୟବସ୍ଥା ଯଥେଷ୍ଟ ନୁହେଁ ଏଥିପାଇଁ ଆନ୍ତରିକତାର ଆବଶ୍ୟକତା ରହିଛି । କଳିଙ୍ଗ ଷ୍ଟାଡିୟମ ସହିତ ବିଭିନ୍ନ ଜିଲ୍ଲାରେ ସ୍ପୋର୍ଟସ ହଷ୍ଟେଲ୍ ଜରିଆରେ ଆମେ ଗ୍ରାମାଞ୍ଚଳ ପ୍ରତିଭା ମାନଙ୍କର ପାଠାପଢା ସହିତ କ୍ରୀଡାର ବିକାଶ ମଧ୍ୟ କରୁଛୁ । ଆମ ରାଜ୍ୟର ବହୁ ଅନ୍ତର୍ଜାତୀୟ କ୍ରୀଡାବିତ୍ ମାନେ ଏହି ସ୍ପୋର୍ଟସ ହଷ୍ଟେଲରେ ଅନ୍ତେବାସୀ ଭାବେ ରହି ତାଙ୍କ କ୍ୟାରିଅର ଗଢିଛନ୍ତି । ତେଣୁ ତୁମ ମାନଙ୍କୁ ମୋର ଅନୁରୋଧ ଗଭୀର ଆତ୍ମ ବିଶ୍ୱାସର ସହ ଆଗକୁ ବଢ । ଯାହାର ଯେଉଁ କ୍ଷେତ୍ର ପ୍ରତି ଆଗ୍ରହ ରହିଛି ସେଥିରେ ଆତ୍ମ ବିଶ୍ୱାସର ସହ ମନୋନିବେଶ କର । କଠିନ ପରିଶ୍ରମ କର ଦେଖିବ ସଫଳତା ତୁମ ପଛରେ ପଡିବ । ଆଗାମୀ ଦିନରେ ତୁମ ମାନଙ୍କୁ ନେଇ ଆମେ ଲକ୍ଷ୍ୟ ରଖିଛୁ ଓଡିଶାକୁ କ୍ରୀଡାର ପାୱାର ହାଉସ କରିବା ପାଇଁ ।
କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ଯୋଗଦେଇ ଉପ ମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତି କରଣ ବିଭାଗ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଥିଲେ ଯେ ରାଜ୍ୟର ଶିଶୁ ଯତ୍ନ କେନ୍ଦ୍ରରେ ରହୁଥିବା ପିଲାମାନଙ୍କ ବାପା ମାଆ ହେଉଛନ୍ତି ସରକାର । ସରକାରଙ୍କ ହାତ ସବୁବେଳେ ସେମାନଙ୍କ ମୁଣ୍ଡ ଉପରେ ଅଛି ଓ ରହିବ । ଢେଙ୍କାନାଳ ଓ ଗଞ୍ଜାମ ଜିଲ୍ଲା ଶିଶୁଯତ୍ନ କେନ୍ଦ୍ରର ପିଲାମାନଙ୍କ ମଧ୍ୟରେ ଏକ ଫୁଟବଲ ମ୍ୟାଚ ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କରିଥିଲେ । ଏହି ଉତ୍ସବରେ ଉପ ମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ଓ ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡା, ପଞ୍ଚାୟତି ରାଜ, ପାନୀୟ ଜଳ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାୟକ, କ୍ରୀଡା ଓ ଯୁବସେବା, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶୁଭା ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ ।