ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ କ୍ରିକେଟର ଶାହିଦ ଆଫ୍ରିଦି ବିସିସିଆଇକୁ ନେଇ ବୟାନ ଦେଇଛନ୍ତି । ବାସ୍ତବରେ ୨୦୨୫ ଚାମ୍ପିୟନ୍ସ ଟ୍ରଫି ପାକିସ୍ତାନରେ ଆୟୋଜନ ହେବାକୁ ଯାଉଛି। ନିକଟରେ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ ବିସିସିଆଇ ଆଇସିସିକୁ କହିଛି ଯେ ଟିମ୍ ଇଣ୍ଡିଆ ଚାମ୍ପିୟନ୍ସ ଟ୍ରଫି ପାଇଁ ପାକିସ୍ତାନ ଯିବ ନାହିଁ । ୨୦୦୮ ପରଠାରୁ ଭାରତୀୟ ଦଳ ପାକିସ୍ତାନ ଗସ୍ତ କରିନାହିଁ । ୨୦୨୫ରେ ଖେଳାଯିବାକୁ ଥିବା ଚାମ୍ପିୟନ୍ସ ଟ୍ରଫି ପାଇଁ ପ୍ରସ୍ତାବିତ ହାଇବ୍ରିଡ୍ ମଡେଲ ବିରୋଧରେ ପିସିବିର ଆଭିମୁଖ୍ୟକୁ ସାହିଦ ଆଫ୍ରିଦି ମଧ୍ୟ ସମର୍ଥନ କରିଛନ୍ତି ।
ଆଫ୍ରିଦି ଏକ୍ସରେ ଏକ ପୋଷ୍ଟରେ ଲେଖିଛନ୍ତି, ରାଜନୀତିକୁ କ୍ରୀଡ଼ା ସହ ଯୋଡ଼ି ବିସିସିଆଇ ଅନ୍ତର୍ଜାତୀୟ କ୍ରିକେଟକୁ ସଙ୍କଟରେ ପକାଇଛି । ହାଇବ୍ରିଡ୍ ମଡେଲ ବିରୋଧରେ ପିସିବିର ଆଭିମୁଖ୍ୟକୁ ମୁଁ ପୂର୍ଣ୍ଣ ସମର୍ଥନ କରୁଛି । ସାହିଦ ଆଫ୍ରିଦି ପିସିବିର ସମର୍ଥନର କାରଣ ବର୍ଣ୍ଣନା କରି ଲେଖିଛନ୍ତି, ପାକିସ୍ତାନ (ସୁରକ୍ଷା ସମସ୍ୟା ସତ୍ତ୍ୱେ) ଦ୍ୱିପାକ୍ଷିକ ଶୃଙ୍ଖଳା ସମେତ ୨୬/୧୧ ପରଠାରୁ ପାଞ୍ଚ ଥର ଭାରତ ଗସ୍ତ କରିଛି। ଆଇସିସି ଏବଂ ଏହାର ନିର୍ଦ୍ଦେଶକ ମଣ୍ଡଳୀ ନିରପେକ୍ଷତା ବଜାୟ ରଖି ନିଜର ଅଧିକାର ପ୍ରୟୋଗ କରିବାର ସମୟ ଆସିଛି ।