ଆଗାମୀ 3 ଘଣ୍ଚା ସାବଧାନ! 12 ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି, ଭୋର ସମୟରେ ଲ୍ୟାଣ୍ଡଫଲ କରିପାରେ ବାତ୍ୟା

ଭୁବନେଶ୍ବର: ତାମିଲନାଡୁ ବାତ୍ୟା ଆଶଙ୍କା ପ୍ରଭାବରେ ଭୁବନେଶ୍ବରର କିଛି ସ୍ଥାନରେ ବର୍ଷା ଦେଖାଯାଇଛି । ଆଜି ସକାଳୁ ସକାଳୁ ଓଡିଶାର ବିଭିନ୍ନ ଜିଲ୍ଲାରେ ଆକାଶ ମେଘାଚ୍ଛନ୍ନ ରହିଛି । ପାଣପାଗ ବିଭାଗର ସୂଚନା ଅନୁସାରେ, ଆସନ୍ତାକାଲି ଅର୍ଥାତ ଶନିବାର ଦିନ ତାମିଲନାଡୁ-ଆନ୍ଧ୍ରପ୍ରଦେଶ ମଧ୍ୟରେ ବାତ୍ୟା ପେଙ୍ଗଲ ଲ୍ୟାଣ୍ଡଫଲ କରିବା ନେଇ ଆଶଙ୍କା ରହିଥିବା ବେଳେ ଏହାର ପ୍ରଭାବ ଓଡିଶା ଉପରେ ପଡିବ ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଥିଲା । ଏହା ସତ୍ତ୍ବେ ମଧ୍ୟ ଓଡିଶାର କିଛି ସ୍ଥାନରେ ଝିପିଝିପି ବର୍ଷା ଦେଖାଯାଇଛି ।

ଦକ୍ଷିଣ-ପଶ୍ଚିମ ବଙ୍ଗପୋସାଗରରେ ଶକ୍ତିଶାଳୀ ହେବାରେ ଲାଗିଛି ବାତ୍ୟା ପେଙ୍ଗଲ । ଏହି ବାତ୍ୟା ଶନିବାର ସକାଳ ସୁଦ୍ଧା ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଆନ୍ଧ୍ରପ୍ରଦେଶରେ ବର୍ଷା ଆରମ୍ଭ ହୋଇଥିବା ବେଳେ କିଛି ସ୍ଥାନରେ ପ୍ରବଳ ବର୍ଷା ହେଉଛି । ଚେନ୍ନାଇ, ପୁଡୁଚେରୀରେ ବର୍ଷାକୁ ଦୃଷ୍ଟିରେ ରଖି ସ୍କୁଲ ଛୁଟି ଘୋଷଣା କରାଯାଇଛି । ବିଭିନ୍ନ ଜିଲ୍ଲାକୁ ପେଙ୍ଗଲ ନେଇ ଆଲର୍ଟ କରାଯାଇଛି । ତାମିଲନାଡୁ ଏବଂ ଶ୍ରୀଲଙ୍କା ଉପକୂଳ ମଧ୍ୟରେ ସ୍ଥଳଭାଗ ଛୁଇଁବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ବିଶେଷ କରି ନଦୀକୂଳିଆ ଅଞ୍ଚଳବାସୀଙ୍କୁ ସତର୍କ କରାଯାଇଛି । ଯଦି ଆବଶ୍ୟକ ହୁଏ ଉକ୍ତ ସ୍ଥାନ ଛାଡିଯିବା ପାଇଁ କୁହାଯାଇଛି । ସମୁଦ୍ରରେ ବଡ ବଡ ଜୁଆର ଆସିବାର ସମ୍ଭାବନା ରହିଥିବା ବେଳେ ମତ୍ସଜୀବୀଙ୍କୁ ପାଣି ଭିତରକୁ ଯିବା ପାଇଁ ବାରଣ କରାଯାଇଛି ।

ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ 12 ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ହାଲୁକାରୁ ମଧ୍ୟମ ଧରଣର ବର୍ଷା ପାଇଁ ଏହା ଆଲର୍ଟ ଜାରି କରାଯାଇଛି । ଆଗାମୀ 3 ଘଣ୍ଟା ସତର୍କ ରହିବା ପାଇଁ କୁହାଯାଇଛି । ବାଲେଶ୍ବର, ଭଦ୍ରକ,ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, କଟକ, ଢେଙ୍କାନାଳ, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଜପତି ଏବଂ ଗଞ୍ଜାମ ଜିଲ୍ଲାକୁ ଆଲର୍ଟ ଜାରି କରାଯାଇଛି ।