ନୂଆଦିଲ୍ଲୀ: ଆଇପିଏଲ ମେଗା ଅକ୍ସନରେ ସମସ୍ତଙ୍କୁ ଚମକାଇ ଦେଇଛି ଚମ୍ପିଆନ୍ କୋଲକାତା ନାଇଟ ରାଇଡର୍ସ । ଷ୍ଟାର ଅଲରାଉଣ୍ଡର ଭେଙ୍କଟେଶ ଆୟରଙ୍କୁ ୨୩.୭୫ କୋଟି ଟଙ୍କାରେ ଦଳ ସାମିଲ କରିଛି । ଏହାବ୍ୟତୀତ ଦଳ ଆହୁରି ଅନେକ ଖେଳାଳିଙ୍କୁ ଦଳରେ ସାମିଲ କରିଛି । କିନ୍ତୁ ଶ୍ରେୟସଙ୍କ ସ୍ଥାନରେ ଦଳର ନେତୃତ୍ୱ କିଏ ନେବେ, ସେ ନେଇ ଏବେ ବି ଦ୍ୱନ୍ଦ୍ୱ ଲାଗି ରହିଛି । ତେବେ ଭେଙ୍କଟେଶଙ୍କୁ ଦଳ ହାଇ ପ୍ରାଇସରେ କିଣିଥିବା ବେଳେ ତାଙ୍କୁ ନେତୃତ୍ୱ ଦେଇପାରେ ବୋଲି ଚର୍ଚ୍ଚା ହେଉଛି । କିନ୍ତୁ ବର୍ତ୍ତମାନ ଏହି ତାଲିକାରେ ସାମିଲ ହୋଇଛି ଆଉ ଏକ ନାଁ । କୋଲକାତା ନାଇଟ ରାଇଡର୍ସ ଏହି ଖେଳାଳିଙ୍କୁ ଅଧିନାୟକ ପଦ ଦେବ ବୋଲି ୯୦ ପ୍ରତିଶତ କନଫର୍ମ ବୋଲି କୁହାଯାଉଛି ।
ଆଇପିଏଲ-୨୦୨୫ ପାଇଁ କୋଲକାତା ନାଇଟ ରାଇଡର୍ସ ଚମ୍ପିଆନ୍ ଅଧିନାୟକ ଶ୍ରେୟସଙ୍କୁ ରିଲିଜ କରିଥିବା ବେଳେ ରିଙ୍କୁ ସିଂହ, ବରୁଣ ଚକ୍ରବର୍ତ୍ତୀ, ସୁନୀଲ ନାରାୟଣ, ଆନ୍ଦ୍ରେ ରସେଲଙ୍କ ସହିତ ହର୍ଷିତ ରାଣା ଏବଂ ରମନଦୀପ ସିଂହଙ୍କୁ ରିଟେନ୍ କରିଥିଲା । ତେଣୁ ଅକ୍ସନରେ ଦଳକୁ ଜଣେ ଅଧିନାୟକଙ୍କ ସନ୍ଧାନ ରହିଥିଲା । କିନ୍ତୁ ଦଳ କୌଣସି ବଡ଼ ଅଧିନାୟକଙ୍କୁ କିଣିବାରେ ବିଫଳ ହୋଇଥିବା ବେଳେ ଭେଙ୍କଟେଶ ଆୟରଙ୍କ ପାଇଁ ୨୩.୭୫କୋଟି ଟଙ୍କା ଖର୍ଚ୍ଚ କରିଥିଲା । ତେଣୁ କୋଲକାତା ପାଇଁ ଆଗାମୀ ସିଜନରେ ଭେଙ୍କଟେଶ, ସୁନୀଲ ନାରାୟଣ କିମ୍ବା ରିଙ୍କୁ ଦଳର ନେତୃତ୍ୱ ନେଇପାରନ୍ତି ବୋଲି ଖୁବ ଆଲୋଚନା ହେଉଛି । କିନ୍ତୁ ବର୍ତ୍ତମାନ ଦଳ ଅଜିଙ୍କ୍ୟା ରାହାଣେଙ୍କୁ ଏହି ଦାୟିତ୍ୱ ଦେବ ବୋଲି ନଜର ରଖିଛି ।
ଆଗାମୀ ସିଜନ ପାଇଁ କୋଲକାତା ରାହାଣେଙ୍କୁ ୧.୫ କୋଟି(ବେସ୍ ପ୍ରାଇସ)ରେ ଦଳରେ ସାମିଲ କରିଛି । ଏହାପୂର୍ବରୁ ରାହାଣେ ଚେନ୍ନାଇ ସୁପର କିଙ୍ଗସ ପାଇଁ ଖେଳୁଥିଲେ । କିନ୍ତୁ ଦଳ ତାଙ୍କୁ ରିଟେନ୍ କରି ନଥିଲା କିମ୍ବା ଅକ୍ସନରେ ମଧ୍ୟ ଚେନ୍ନାଇ ତାଙ୍କୁ ଦଳରେ ସାମିଲ କରିନାହିଁ । ଏହାପରେ ରାହାଣେ କୋଲକାତାରେ ସାମିଲ ହୋଇଛନ୍ତି । ପୂର୍ବରୁ ରାହାଣେ ରାଜସ୍ଥାନ ରୋୟଲ୍ସର ନେତୃତ୍ୱ ନେଇଥିବା ବେଳେ ଅନେକ ସମୟରେ ଭାରତର ଅଧିନାୟକ ଦାୟିତ୍ୱ ମଧ୍ୟ ତୁଲାଇ ସାରିଛନ୍ତି । ତେଣୁ ଅଭିଜ୍ଞତା ଦୃଷ୍ଟିରୁ କୋଲକାତା ରାହାଣେଙ୍କୁ ଦଳର ଅଧିନାୟକ ଭାବରେ ଚୟନ କରିପାରେ । ତେବେ ରିଙ୍କୁ କିମ୍ବା ଭେଙ୍କଟେଶ ଦଳର ଉପ-ଅଧିନାୟକ ଭାବରେ ଦଳରେ ସାମିଲ ହୋଇପାରନ୍ତି । ତେବେ ଏ ନେଇ ଏକ ପ୍ରକାର ସ୍ପଷ୍ଟ ହୋଇ ସାରିଥିବା ବେଳେ ଏଥିରେ ମୋହର ବାଜିବା ବାକି ରହିଛି ବୋଲି କୁହାଯାଉଛି ।