ଓଡ଼ିଶା ଭାସ୍କର: ୨୦୧୯ ମସିହାରେ ମହାରାଷ୍ଟ୍ର କେବଳ ଟ୍ରେଲର ଦେଖିଥିଲା । ଆଉ ଆଜିଠାରୁ ସାରା ଦେଶ ଦେଖିବ ମହାରାଷ୍ଟ୍ରରେ ‘ଫଡନାଭିସ ଶାସନ’ । ଆଜିଠାରୁ ରାଜ୍ୟରେ ଫଡନାଭିସ ୩.୦ ସରକାର ଆରମ୍ଭ ହେବାକୁ ଯାଉଛି । ମୁମ୍ବାଇର ଆଜାଦ ମଇଦାନରେ ପ୍ରଧାନମନ୍ତ୍ରୀ ଏବଂ ଅନ୍ୟ ମନ୍ତ୍ରୀମାନଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ ଦେବେନ୍ଦ୍ର ସରିତା ଗଙ୍ଗାଧରରାଓ ଫଡନାଭିସ । ୨୦୧୯ ମସିହାରେ ସେ ମାତ୍ର ୮୦ ଘଣ୍ଟା ପାଇଁ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିଥିଲେ । ତେବେ ୫ ବର୍ଷ ତଳେ ବିଧାନସଭାରେ ସେ କହିଥିବା ଏକ ଶାୟରୀ ସତ ହେବାକୁ ଯାଉଛି ଏବଂ ଏବେ ଏହା ଭାଇରାଲ ହେଉଛି ।
ଆଜି ମହାରାଷ୍ଟ୍ର ପାଇବ ନୂଆ ମୁଖ୍ୟମନ୍ତ୍ରୀ ଏବଂ ଉପ-ମୁଖ୍ୟମନ୍ତ୍ରୀ । ଏଥିପାଇଁ ଦେବେନ୍ଦ୍ର ଫଡନାଭିସଙ୍କ ନାମରେ ମୋହର ବାଜିଥିବା ବେଳେ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ ଫଡନାଭିସ । ତାଙ୍କ ସହିତ ରାଜ୍ୟର ୨ ଜଣ ଉପ-ମୁଖ୍ୟମନ୍ତ୍ରୀ ମଧ୍ୟ ଶପଥ ଗ୍ରହଣ କରିବେ । ପ୍ରଥମ ଉପ-ମଖ୍ୟମନ୍ତ୍ରୀ ଭାବରେ ଏନସିପିର ଅଜିତ ପୱାର ଦାୟିତ୍ୱ ନେବା ସୁନିଶ୍ଚିତ ଥିବା ବେଳେ ଏକନାଥ ସିନ୍ଦେଙ୍କ ନାମ ମଧ୍ୟ ଏହି ତାଲିକାରେ ସାମିଲ ରହିଛି । ତେବେ ସରକାରରେ ସାମିଲ ହେବା ପାଇଁ ଏକ ସର୍ତ୍ତ ରଖିଛନ୍ତି ସିନ୍ଦେ ଗୃହ ମନ୍ତ୍ରାଳୟ ପାଇଁ ମଧ୍ୟ ଦାବି କରିଛନ୍ତି । ତେଣୁ ଉପ-ମୁଖ୍ୟମନ୍ତ୍ରୀ ପଦ ପାଇଁ ତାଙ୍କୁ ନେଇ ଏବେ ବି ସନ୍ଦେହ ଲାଗି ରହିଛି ।
ତେବେ ମହାୟୁତିର ସମସ୍ତ ଦଳ(ବିଜେପି, ଏନସିପି ଏବଂ ଶିବସେନା) ମଧ୍ୟରେ ମନ୍ତ୍ରାଳୟ ଭାଗ ହୋଇସାରିଥିବା କୁହାଯାଉଛି । ଗୃହ ମନ୍ତ୍ରାଳୟ ବିଜେପି ହାତରେ ରହିବ ବୋଲି ଅନୁମାନ କରାଯାଉଛି । କୁହାଯାଉଛି ଯେ, ବିଜେପି ହାତରେ ୨୧-୨୨, ଶିବସେନାକୁ ୧୨ ଏବଂ ଏନସିପିକୁ ୯-୧୦ ବିଭାଗ ମିଳିପାରେ । ବହୁମତ ପାଇବା ପରେ ଗତକାଲି ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ କରିବାକୁ ଦାବିପତ୍ର ପ୍ରଦାନ କରିଥିଲେ ଦେବେନ୍ଦ୍ର ଫଡନାଭିସ । ଆଜିଠାରୁ ମହାରାଷ୍ଟ୍ରରେ ଫଡନାଭିସ ସରକାର ୩.୦ ଆରମ୍ଭ ହେବ ।
ଏହାଭିତରେ ଭାଇରାଲ ହେଉଛି ଫଡନାଭିସଙ୍କ ୫ ବର୍ଷ ପୁରୁଣା ବୟାନ । ୨୦୧୯ ମସିହାରେ ବିଧାନସଭାରେ ସେ ଏହି ବୟାନ ଦେଇଥିଲେ ସେ ଶାୟରୀରେ କହିଥିଲେ ଯେ, ‘ମୁଁ ଫେରିଯାଉଛି ବୋଲି ଖୁସି ହୁଅନ୍ତୁ ନାହିଁ, ମୁଁ ସମୁଦ୍ର ତେଣୁ ମୁଁ ଫେରିବି ନିଶ୍ଚୟ…’ । ପ୍ରାୟ ୫ ବର୍ଷ ପରେ ତାଙ୍କର ଏହି କଥା ସତ ହୋଇଛି । ଆଜି ସନ୍ଧ୍ୟା ସାଢେ ୫ଟା ବେଳେ ଶପଥ ଗ୍ରହଣ କରିବେ ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଏବଂ ସରକାର । ଏହାପୂର୍ବରୁ ୨୦୧୪ ଏବଂ ୨୦୧୯ ମଧ୍ୟ ସେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ ।