Baby Care Tips: ଶୀତ ଦିନେ ନବଜାତ ଶିଶୁର ଯତ୍ନ କିପରି ନେବେ ?

ଓଡ଼ିଶା ଭାସ୍କର: ଋତୁ ବଦଳିବା ସାଙ୍ଗକୁ ସଂକ୍ରମଣ ବି ବୃଦ୍ଧି ପାଇଥାଏ । ବିଶେଷ କରି ନବଜାତ ଶିଶୁଙ୍କ ଉପରେ ଏହାର ପ୍ରଭାବ ଦେଖାଦିଏ । ସେମାନଙ୍କ ତ୍ୱଚା ଅତି ସମ୍ବେଦନଶୀଳ ହେବା ସହ ରୋଗ ପ୍ରତିରୋଧକ ଶକ୍ତି ବି କମ୍ ରହିଥାଏ । ସେଥିପାଇଁ ସେମାନେ ସହଜରେ ଥଣ୍ଡା, କାଶ, ସର୍ଦ୍ଦି, ଜ୍ୱର ଭଳି ସ୍ୱାସ୍ଥ୍ୟଗତ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ନବଜାତ ଶିଶୁଙ୍କ ଦେଖାଶୁଣା କରିବା କାଠିକର ପାଠ ଏବଂ ଏଥିରେ ଟିକେ ବି ଅବହେଳା ସେମାନଙ୍କ ପାଇଁ ବିପଦ ଆଣିପାରେ । ହେଲେ ଅଧିକାଂଶ ମାଆ ଏ ସମ୍ପର୍କରେ ଉପଯୁକ୍ତ ଜ୍ଞାନ ଅଭାବରୁ କ’ଣ କରିବେ, କ’ଣ ନକରିବେ ଜାଣିପାରି ନଥାନ୍ତି । ଯେଉଁ କାରଣରୁ ଅନେକ ସମୟରେ ନବଜାତ ଶିଶୁଙ୍କ ଶାରିରୀକ ଓ ମାନସିକ ବିକାଶ ଠିକ୍ ଭାବେ ହୋଇନଥାଏ । ତେବେ ଆସନ୍ତୁ ଜାଣିବା ଶୀତ ଦିନେ ନବଜାତ ଶିଶୁଙ୍କ ଯତ୍ନ ନେବାର କିଛି ଟିପ୍ସ୍ ବିଷୟରେ :

୧. ନବଜାତ ଶିଶୁଙ୍କ ଶରୀରର ତାପମାତ୍ରା ଉପରେ ବିଶେଷ ଧ୍ୟାନ ଦିଅନ୍ତୁ । ଅତ୍ୟାଧିକ ଥଣ୍ଡା କାରଣରୁ ନବଜାତ ଶିଶୁଙ୍କ ଠାରେ ହାଇପୋଥର୍ମିଆ ହେବାର ଆଶଙ୍କା ଦେଖାଦେଇଥାଏ । ସେଥିପାଇଁ ସେମାନଙ୍କୁ ସବୁବେଳେ ଶୀତବସ୍ତ୍ର ପିନ୍ଧାଇ ରଖନ୍ତୁ । ବିଶେଷ କରି ହାତ ଓ ଗୋଡ଼କୁ ଢ଼ାଙ୍କି ରଖନ୍ତୁ ।

୨. ପ୍ରତିଦିନ ନବଜାତ ଶିଶୁଙ୍କୁ ସ୍ନାନ କରାନ୍ତୁ ନାହିଁ । ଏହା ଦ୍ୱାରା ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇଥାଏ । ସେମାନଙ୍କୁ ସ୍ନାନ କରାଇବା ପୂର୍ବରୁ କୌଣସି ଉତ୍ତମ ତେଲରେ ମାଲିସ କରିବା ସହ ୧-୨ ଦିନ ଛାଡ଼ି ସ୍ନାନ କରାନ୍ତୁ । ଆପଣ ଚାହିଁଲେ ସ୍ପଞ୍ଜ୍ ବାଥ୍ କରାଇପାରିବେ ।

୩. ନବଜାତ ଶିଣୁଙ୍କୁ ଭ୍ୟାକସିନ୍ ଲଗାଇବା ଭୁଲିବେ ନାହିଁ । ଶିଶୁଙ୍କୁ ଜ୍ୱର, ଥଣ୍ଡା ବା କାଶ ହୋଇଥିଲେ ସ୍ତନ୍ୟପାନ କରାଇବା ବନ୍ଦ କରନ୍ତୁ ନାହିଁ । ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଔଷଧ ସହ ସ୍ତନ୍ୟପାନ ଜାରି ରଖନ୍ତୁ । ଏହା ସେମାନଙ୍କୁ ସଂକ୍ରମଣ ଠାରୁ ଦୂରେଇ ରଖିଥାଏ ।

୪. ପ୍ରାୟତଃ ନବଜାତ ଶିଶୁମାନେ ଖଟ ବା ଝୁଲାରେ ପରିଶ୍ରା କରିବା ସମୟରେ ଅଧିକ ସମୟ ପର୍ଯ୍ୟନ୍ତ ଓଦାରେ ରହିଥାନ୍ତି । ଏହା ସେମାନଙ୍କୁ ଥଣ୍ଡା, ସର୍ଦ୍ଦ ସହ ସଂକ୍ରମଣ ହୋଇପାରେ । ତେଣୁ ସବୁବେଳେ ନବଜାତ ଶିଶୁଙ୍କୁ ଶୁଖିଲାରେ ରଖନ୍ତୁ ।

ଶିଶୁକୁ ସଂକ୍ରମଣ ଠାରୁ ଦୂରେଇ ରଖିବା ପାଇଁ କମ୍ ଲୋକଙ୍କ ସଂସ୍ପର୍ଶରେ ରଖନ୍ତୁ । ଶିଶୁକୁ ଧରିବା ପୂର୍ବରୁ ଭଲ ଭାବେ ହାତ ଧୁଅନ୍ତୁ ଓ ପରିଷ୍କାର ପୋଷାକ ପିନ୍ଧନ୍ତୁ । ଖାସ୍ କରି ଥଣ୍ଡା, ଜ୍ୱର ଆଦିରେ ପୀଡ଼ିତ ବ୍ୟକ୍ତିଙ୍କଠାରୁ ଶିଶୁଙ୍କୁ ଦୂରେଇ ରଖିବା ଉଚିତ୍ । ନବଜାତ ପିଲାଙ୍କ ଆଖିରେ ଆଦୌ କଳା ଲଗାନ୍ତୁ ନାହିଁ । ବଜାର କିମ୍ବା ଅଧିକ ଗହଳି ଥିବା ସ୍ଥାନକୁ ପିଲାଙ୍କୁ ନିଅନ୍ତୁ ନାହିଁ ।