RBI କଲା ବଡ଼ ଘୋଷଣା: ଏଣିକି କ୍ଷୁଦ୍ର ଫାଇନାନ୍ସ ବ୍ୟାଙ୍କମାନେ ମଧ୍ୟ UPI ଜରିଆରେ ଲୋନ୍ ଦେଇ ପାରିବେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କ୍ଷୁଦ୍ର ଫାଇନାନ୍ସ ବ୍ୟାଙ୍କକୁ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଏକ ବଡ଼ ଘୋଷଣା କରିଛି । ଏଣିକି କ୍ଷୁଦ୍ର ଫାଇନାନ୍ସମାନେ ୟୁପିଆଇ ମାଧ୍ୟମରେ ପ୍ରାକ୍ ଅନୁମୋଦିତ ଋଣ ପ୍ରଦାନ କରିପାରିବେ । ଏଥିପାଇଁ ବ୍ୟାଙ୍କ ମାନଙ୍କୁ ଅନୁମତି ଦେବାକୁ ଆରବିଆଇ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି । କେନ୍ଦ୍ରୀୟ ବ୍ୟାଙ୍କର ଦ୍ୱିମାସିକ ଋଣନୀତି ସମୀକ୍ଷା ବୈଠକରେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏହି ଘୋଷଣା କରିଛନ୍ତି । ଏହାଫଳରେ ଗ୍ରାହକମାନେ ୟୁପିଆଇ ମାଧ୍ୟମରେ କମ୍ ମୂଲ୍ୟରେ ଓ କମ୍ ସମୟରେ ଋଣ ପାଇ ପାରିବେ । ସମସ୍ତ ଉପଭୋକ୍ତଙ୍କ ନିକଟରେ ପହଞ୍ଚିବା ସହ ୟୁପିଆଇରେ ଋଣକୁ ବିସ୍ତାର କରିବାରେ କ୍ଷୁଦ୍ର ଫାଇନାନ୍ସ ବ୍ୟାଙ୍କମାନେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ ବୋଲି ଗଭର୍ଣ୍ଣର ଶ୍ରୀ ଦାସ କହିଛନ୍ତି ।

ୟୁପିଆଇ ହେଉଛି ଏନପିସିଆଇ ଦ୍ୱାରା ମୋବାଇଲ ଫୋନ୍ ମାଧ୍ୟମରେ କାରବାର ପାଇଁ ବିକଶିତ କରାଯାଇଥିବା ଏକ ଦ୍ରୁତ ରିୟଲ୍ ଟାଇମ୍ ପେମେଣ୍ଟ ସିଷ୍ଟମ । ଗତ ବର୍ଷ ସେପ୍ଟେମ୍ବର ମାସରେ ୟୁପିଆଇର ପରିସରକୁ ବୃଦ୍ଧି କରାଯିବା ସହ ଏହା ଜରିଆରେ ପ୍ରି-ଅନୁମୋଦିତ ଋଣ ଲିଙ୍କ କରାଯାଇଥିଲା । ୟୁପିଆଇରେ ପ୍ରାକ-ଅନୁମୋଦିତ ଲୋନ୍ ଅଧିନରେ ଗ୍ରାହକଙ୍କୁ କମ୍ ସମୟରେ ଓ କମ୍ ମୂଲ୍ୟରେ ଋଣ ପ୍ରଦାନର ସୁଯୋଗ ରହିଛି । ଶେଷତମ ଉପଭୋକ୍ତାଙ୍କ ନିକଟରେ ପହଞ୍ଚିବା ପାଇଁ କ୍ଷୁଦ୍ର ଫାଇନାନ୍ସ ବ୍ୟାଙ୍କମାନେ ଉଚ୍ଚ ଜ୍ଞାନକୌଶଳ ଓ ସ୍ୱଳ୍ପ ମୂଲ୍ୟର ମଡେଲ ଉପରେ ନିର୍ଭର କରିଥାନ୍ତି । ଋଣକୁ ବିସ୍ତାର କରିବାରେ ୟୁପିଆଇ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ । କ୍ଷୁଦ୍ର ଫାଇନାନ୍ସ ବ୍ୟାଙ୍କଗୁଡ଼ିକୁ ୟୁପିଆଇ ଜରିଆରେ ପ୍ରାକ୍ ଅନୁମୋଦି ଲୋନ୍ ଦେବା ନେଇ ଅନୁମତି ଦେବାକୁ କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି । ଖୁବଶୀଘ୍ର ଏନେଇ ଗାଇଡଲାଇନ୍ସ ଆସିବ ବୋଲି ଶ୍ରୀ ଦାସ କହିଛନ୍ତି ।