ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ହତ୍ୟା କରିବା ନେଇ ନିକଟରେ ମୁମ୍ବାଇ ପୋଲିସକୁ ଏକ ଧମକପୂର୍ଣ୍ଣ ମେସେଜ୍ ମିଳିଥିଲା । ଏହି ଖବର ମିିଳିବା ପରେ ମୁମ୍ବାଇ ପୋଲିସ ହାଇ ଆଲର୍ଟ ମୋଡକୁ ଆସିଥିଲା । ପରେ ଏହି ମାମଲାରେ ଶୀଘ୍ର ତଦନ୍ତ ଆରମ୍ଭ କରି ଉକ୍ତ ସନ୍ଦିଗ୍ଧ ନମ୍ବରକୁ ଟ୍ରାକ୍ କରି ଅଭିଯୁକ୍ତ ଜଣଙ୍କୁ ଧରିବାରେ ସଫଳ ହୋଇଥିଲା । ବର୍ତ୍ତମାନ ଏହି ଅଭିଯୁକ୍ତ ଜଣଙ୍କ ଏପରି କାହିଁକି କରିଥିଲେ ତାହାର କାରଣ ସାମ୍ନାକୁ ଆସିଛି ।
ପୋଲିସର ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି କି ଅଭିଯୁକ୍ତ ଜଣଙ୍କ ହେଉଛନ୍ତି ୩୬ ବର୍ଷୀୟ ମିର୍ଜା ମହମ୍ମଦ । ସେ ଝାଡ଼ଖଣ୍ଡ ନିବାସୀ ହୋଇଥିବା ବେଳେ ପାଲନପୁର ଗୁଜରାଟ ସ୍ଥିତ ଏକ ଘରୋଇ କମ୍ପାନୀରେ ଚାକିରି କରୁଥିଲେ । ଦିନେ ସେ ମଦ ପିଇ ଅଫିସ ଆସିଥିବା ଯୋଗୁଁ ତାଙ୍କୁ ଚାକିରିରୁ ବାହାର କରିଦିଆଯାଇଥିଲା । ଏହା ପରେ ମିର୍ଜା ଫ୍ରଷ୍ଟେସନରେ ମୋଦୀଙ୍କୁ ନେଇ ଧମକପୂର୍ଣ୍ଣ ମେସେଜ କରିଥିଲେ । ସେ ମେସେଜରେ କରିଥିଲେ କି ମୋଦୀଙ୍କୁ ମାରିବା ପାଇଁ ଅସ୍ତ୍ରଶସ୍ତ୍ର ଏବଂ ବୋମା ଦେଶକୁ ଆସିସାରିଛି । ଏହା କହି ସେ ତାଙ୍କ ଫୋନ୍ ସ୍ୱିଚ୍ ଅଫ୍ କରିଦେଇଥିଲେ । ଅଭିଯୁକ୍ତ ତାଙ୍କ ମାଲିକଙ୍କୁ ଫସାଇବା ପାଇଁ ଏଭଳି ଷଡ଼ଯନ୍ତ୍ର ରଚିଥିବା ଜଣାପଡ଼ିଛି । କିନ୍ତୁ ଟେକ୍ନିକାଲ ସର୍ଭିଲାନ୍ସ ସାହାଯ୍ୟରେ ନମ୍ବର ଟ୍ରାକ୍ କରି ଅଭିଯୁକ୍ତକୁ ଆଜମେର ରେଳଷ୍ଟେସନରୁ ଧରିବାରେ ସଫଳ ହୋଇଥିଲା ପୋଲିସ । ପୋଲିସ ମିର୍ଜାଙ୍କ ପରିବାର ଲୋକଙ୍କୁ ପଚାରିବାରୁ ଜଣାପଡ଼ିଥିଲା କି ସେ ପୂର୍ବରୁ ସାଉଦୀ ଆରବରେ କାମ କରୁଥିଲେ । ସେ ନିଜ ଘରେ ହିଁ ଏକ ବିବାହ ମଣ୍ଡପ ଚଲାଉଥିଲେ । କରୋନା ସମୟରୁ ତାଙ୍କ ପତ୍ନୀ ବାପ ଘରକୁ ଚାଲିଯାଇଥିଲେ । ବର୍ତ୍ତମାନ ସେ ମିର୍ଜାଙ୍କ ସହ ରହୁନାହାଁନ୍ତି । ବେଳେ ବେଳେ ତାଙ୍କ ମାନସିକ ସ୍ଥିତି ମଧ୍ୟ ଠିକ୍ ରୁହେନି । ଏହି ମାମଲାରେ ପୋଲିସର ଅଧିକ ତଦନ୍ତ ଜାରି ରହିଛି ।