୧୮ରୁ ୭୦ ବର୍ଷ ବୟସର ମହିଳାଙ୍କ ପାଇଁ ବଡ଼ ସୁଯୋଗ…. ଟ୍ରେନିଂ ସାଙ୍ଗକୁ ମିଳିବ ଦରମା, ଜାଣନ୍ତୁ ‘ବୀମା ସଖୀ ଯୋଜନା’ ସମ୍ପର୍କରେ…
ନୂଆଦିଲ୍ଲୀ: କେନ୍ଦ୍ର ସରକାର ଦେଶର ନାଗରୀକଙ୍କ ପାଇଁ ବହୁ ନୂଆ ଯୋଜନା ସବୁ ଆଣୁଛନ୍ତି । ସରକାରଙ୍କ ଫୋକସରେ ଏବେ ମହିଳା । ମହିଳାଙ୍କୁ ସଶକ୍ତ କରିବା ସାଙ୍ଗକୁ ସେମାନଙ୍କୁ ଦେଶ ବିକାଶରେ ଭାଗିଦାରି କରିବା ଲକ୍ଷ୍ୟ ରେ ସରକାର ନୂଆ ନୂଆ ଯୋଜନା ମାନ ଆଣିବାରେ ଲାଗିଛନ୍ତି । ମହିଳାମାନଙ୍କ ପାଇଁ ଆଉ ଏକ ଯୋଜନା ଭେଟି ଦେବାକୁ ଯାଉଛନ୍ତି ପ୍ରଧାନମନ୍ତ୍ରୀ । ଆଜି ପ୍ରଧାନମନ୍ତ୍ରୀ ହରିୟାଣା ଗସ୍ତ ବେଳେ ଏ ଯୋଜନାର ଘୋଷଣା କରିବେ । ପାନିପଥରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୀମା ସଖୀ ଯୋଜନା ଲଞ୍ଚ କରିବାର କାର୍ଯ୍ୟକ୍ରମ ରହିଛି । ଏହା ଜରିଆରେ ୧୦ମ ପାସ୍ କରିଥିବା ୧୮ରୁ ୭୦ ବର୍ଷ ବୟସର ଯୁବତୀ ଓ ମହିଳା ଉପକୃତ ହୋଇପାରିବେ ।
ସମାଜରେ ବୀମା ଜାଗରଣ ଏବଂ ମହିଳାଙ୍କ କ୍ଷେତ୍ରରେ ଅର୍ଥାଭାବକୁ ଦୂର କରିବା ଏ ଯୋଜନାର ମୂଳ ଉଦ୍ଦେଶ୍ୟ । ଏଥିରେ ଆଗ୍ରହୀ ମହିଳାଙ୍କୁ ୩ ବର୍ଷ ପର୍ଯ୍ୟନ୍ତ ଦିଆଯିବ ଟ୍ରେନିଂ । ଯେଉଁଥିରେ ସେମାଙ୍କୁ ମାସିକ ଦରମା ମଧ୍ୟ ମିଳିବ । ପ୍ରଶିକ୍ଷଣ ପରେ ମହିଳା ଏଲଆଇସି ଏଜେଣ୍ଟ ଭାବରେ କାମ କରିବେ । ସେହିପରି ଗ୍ରାଜୁଏଟ୍ ବୀମା ସଖୀଙ୍କୁ ଟ୍ରେନିଂ ପରେ ଏଲଆଇସି ଅଫିସରେ ଡେଭଲପମେଣ୍ଟ ଅଫିସର ଚାକିରି ପ୍ରଦାନ କରାଯିବ । ଏ ନେଇ ପ୍ରଧାନମନ୍ତ୍ରୀ ମହିଳାଙ୍କୁ ନିଯୁକ୍ତି ବୀମା ପ୍ରମାଣପତ୍ର ମଧ୍ୟ ବିତରଣ କରିବେ ।
ଟ୍ରେନିଂ ଆରମ୍ଭର ପ୍ରଥମ ବର୍ଷ ମହିଳାଙ୍କୁ ୭୦୦୦ ଟଙ୍କା, ତା’ ପରବର୍ଷରେ ୬୦୦୦ ଏବଂ ତୃତୀୟ ବର୍ଷରେ ୫ ହଜାର ଟଙ୍କା ପ୍ରଦାନ କରାଯିବ । ଯୋଜନାର ପ୍ରଥମ ସୋପାନରେ ୩୫ ହଜାର ମହିଳାଙ୍କୁ ବୀମା ଏଜେଣ୍ଟ ଭାବେ ନିଯୁକ୍ତ କରାଯିବ । ଏହାପରେ ୫୦ ହଜାର ମହିଳାଙ୍କୁ ସୁବିଧା ଯୋଗାଇ ଦିଆଯିବ ।