ଯୁବପିଢ଼ି ଏବେ ଚାକିରି ନ କରି ‘ନିଯୁକ୍ତିଦାତା’ ହେବେ, ବିଜନେସ୍ ବ୍ଲାଷ୍ଟର ପ୍ରୋଗ୍ରାମରେ କହିଲେ ଆତିଶୀ

ନୂଆଦିଲ୍ଲୀ: ବିଶ୍ୱବିଦ୍ୟାଳୟରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର । ଷ୍ଟ୍ରାର୍ଟଅପ୍ ପାଇଁ ମିଳିବ ‘ସୀଡ୍ ମନି’ । ଏହା ଦ୍ୱାରା ଷ୍ଟାର୍ଟଅପ୍ କ୍ଷେତ୍ରରେ ନୂଆ ସୁଯୋଗ ସୃଷ୍ଟି ହେବ ବୋଲି ଆଶା ରହିଛି । ଦିଲ୍ଲୀ ସରକାରଙ୍କ ଏହି ବିଶେଷ ସ୍କିମ୍ କ’ଣ ଏବଂ ଏହା ଅନ୍ତର୍ଗତ କିପରି କାର୍ଯ୍ୟ ହେବ ଆସନ୍ତୁ ଜାଣିବା ।

ଡିସେମ୍ବର ୧୦ ତାରିଖ ଦିନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ ମୁଖ୍ୟମନ୍ତ୍ରୀ ବିଜନେସ୍ ବ୍ଲାଷ୍ଟର ସିନିୟର ପ୍ରୋଗ୍ରାମ ପ୍ରାରମ୍ଭ କରିଥିଲେ । ଦିଲ୍ଲୀ ସରକାର ଅଧିନସ୍ଥ ବିଶ୍ୱବିଦ୍ୟାଳୟ ଏବଂ ଆଇଟିଆଇ ଛାତ୍ର ଏହି ବିଶେଷ ପ୍ରୋଗ୍ରାମରେ ଅଂଶଗ୍ରହଣ କରି ‘ନିଯୁକ୍ତିଦାତା’ ହେବେ । ଛାତ୍ରଛାତ୍ରୀଙ୍କ ଟିମ୍ ନିଜ ବିଜନେସ୍ ଆଇଡିଆ ପ୍ରସ୍ତୁତ କରିବେ ଏବଂ ସେମାନଙ୍କ ମଧ୍ୟରୁ ୧ ହଜାର ଟିମକୁ ନିଜ ବ୍ୟବସାୟ ଆରମ୍ଭ କରିବା ପାଇଁ ସୀଡ୍ ମନି ପ୍ରଦାନ କରାଯିବ । ଏହି ୧୦୦୦ ଟିମ୍ ମଧ୍ୟରୁ ୧୦୦ ଟିମ୍ ନିବେଶକଙ୍କ ସମ୍ମୁଖରେ ନିଜ ଆଇଡିଆ ଉପସ୍ଥାପନ କରିବେ । ପ୍ରତ୍ୟେକ ଟିମରେ ୩ରୁ ୫ ଜଣ ଛାତ୍ରଛାତ୍ରୀ ରହିବେ । ଏହି କାର୍ଯ୍ୟର୍କ୍ରମରେ ମୁଖ୍ୟମନ୍ତ୍ରୀ ଆତିଶୀ ଉଦ୍‌ବୋଧନ ଦେଇ କହିଥିଲେ McKinsey ରିପୋର୍ଟ ଅନୁଯାୟୀ, ‘୨୦୩୦ ସୁଦ୍ଧା ଦେଶରେ ୯୦ ମିଲିୟନ୍ ଅଣକୃଷି ଚାକିରି ଆବଶ୍ୟକ । ଆଜିକାଲି ସମସ୍ତେ JEE/UPSC  କିମ୍ବା ଅନ୍ୟାନ୍ୟ ଚାକିରି ଉପରେ ଫୋକସ୍ କରୁଛନ୍ତି । ଏମିତିରେ ନିଯୁକ୍ତି ସୁଯୋଗ କିଏ ସୃଷ୍ଟି କରିବ ?’ ଦେଶରେ ସ୍ନାତକ ଯୁବପିଢ଼ିଙ୍କ ମଧ୍ୟରେ ୪୨% ବେକାରୀ ହାର ରହିଛି । ଏହି ବିଜନେସ୍ ବ୍ଲାଷ୍ଟ ସରକାରୀ ଛାତ୍ରଛାତ୍ରୀଙ୍କ ମନରୁ ଭୟ ଦୂର କରି ସେମାନଙ୍କୁ ଆତ୍ମବିଶ୍ୱାସ ପ୍ରଦାନ କରିବ । ୨୦୨୧ରେ ଆରମ୍ଭ ହୋଇଥିବା ଏହି ପ୍ରୋଗ୍ରାମ ପୂର୍ବରୁ କେବଳ କିଛି ସରକାରୀ ସ୍କୁଲ ପର୍ଯ୍ୟନ୍ତ ସୀମିତ ଥିଲା କିନ୍ତୁ ବର୍ତ୍ତମାନ ଏହା ବିସ୍ତାର ହୋଇଛି । ଏହି ପଦକ୍ଷେପ ଅନ୍ତର୍ଗତ ବର୍ତ୍ତମାନ ଷ୍ଟାର୍ଟଅପ୍ ଟିମକୁ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ପାଣ୍ଠି ପ୍ରଦାନ କରାଯିବ ଯାହା ପୂର୍ବରୁ ୨ ହଜାର ଟଙ୍କା ଥିଲା ।