IAS ବିଷ୍ଣୁପଦ ସେଠୀଙ୍କୁ ସିବିଆଇର ସମନ ପ୍ରସଙ୍ଗ, ଦୁର୍ନୀତି ପ୍ରମାଣିତ ହେଲେ କାର୍ଯ୍ୟାନୁଷ୍ଠାନ ହେବ କହିଲେ ଆଇନ ମନ୍ତ୍ରୀ
ଭୁବନେଶ୍ବର: ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କୁ ସିବିଆଇ ସମନ ଜାରି ପ୍ରସଙ୍ଗରେ ପ୍ରତିକ୍ରିୟା ଦେଲେ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଦୁର୍ନୀତି ପ୍ରମାଣିତ ହେଲେ କାର୍ଯ୍ୟାନୁଷ୍ଠାନ ହେବ କହିଲେ ଆଇନମନ୍ତ୍ରୀ । ଦୁର୍ନୀତି ପ୍ରତି ସରକାରଙ୍କ ଶୂନ୍ୟ ସହନଶୀଳତା ରହିଛି । ଯେତେବେଡ ଅଧିକାରୀ ହୁଅନ୍ତୁ କି ମନ୍ତ୍ରୀ କାର୍ଯ୍ୟାନୁଷ୍ଠାନ ହେବ । ବିନା ତଦନ୍ତରେ କାହାକୁ ଅଭିଯୁକ୍ତ କରିବା ଠିକ୍ ନୁହେଁ । ପୁରା ତଦନ୍ତ ପରେ ହିଁ କିଏ ଦୋଷୀ ଜଣାପଡିବ । ଲିଙ୍କ ଅନୁସାରେ ତଦନ୍ତ ହେବ ବୋଲି ଆଇନମନ୍ତ୍ରୀ କହିଛନ୍ତି ।
କହିରଖୁଛୁ କି, ୧୧ ତାରିଖ ୧୦ଟାବେଳେ ସିବିଆଇ କାର୍ଯ୍ୟାଳୟରେ ପହଞ୍ଚିବା ଲାଗି ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କୁ ସିବିଆଇ ସମନ ଜାରି କରିଛି । ଦିଲ୍ଲୀରୁ ତାଙ୍କୁ ଏହି ସମନ ପଠାଯାଇଥିବା ବେଳେ ଭୁବନେଶ୍ୱରର ନୂଆପଲ୍ଲୀ ସ୍ଥିତ ସିବିଆଇ ଅଫିସରେ ହାଜର ହେବାକୁ କୁହାଯାଇଛି । ତେବେ ସମନ ଜାରି କରାଯାଇଥିବା ଚିଠିରେ ଉଲ୍ଲେଖ କରାଯାଇଛି ଯେ, ବ୍ରିଜ୍ ଆଣ୍ଡ ରୁଫ୍ କନଷ୍ଟ୍ରକ୍ସନ କୋ. (ଇଣ୍ଡିଆ) ଏଲ୍ଟିଡିର ଗ୍ରୁପ୍ ଜେନେରାଲ ମ୍ୟାନେଜର ଚଞ୍ଚଳ କୁମାର ମୂଖାର୍ଜୀ ଓ ଅନ୍ୟମାନଙ୍କ ନାଁରେ ନୂଆଦିଲ୍ଲୀରେ ସିବିଆଇର ଏସି-ଟୁରେ ମାମଲା ରୁଜୁ ହୋଇଛି । ତେବେ ଏନେଇ ଆଇଏଏସ ପାଖରେ ଗୁରୁତ୍ବପୂର୍ଣ୍ଣ ତଥ୍ୟ ରହିଛି । ଏହି ସମ୍ପର୍କରେ ପଚରାଉଚରପା ପାଇଁ ସମନ ଜାରି କରାଯାଇଥିବା କୁହାଯାଇଛି ।