ଭୋଗରାଇ ତହସିଲଦାର ସସପେଣ୍ଡ: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ରହିବାକୁ ରାଜସ୍ୱ ବିଭାଗର ନିର୍ଦ୍ଦେଶ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭୋଗରାଇ ତହସିଲଦାର ପୁଷ୍ପାଶ୍ରୀ ସାଣ୍ଡିଲାଙ୍କୁ ସସପେଣ୍ଡ କରାଯାଇଛି । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ତରଫରୁ ପୁଷ୍ପାଶ୍ରୀଙ୍କୁ ନିଲମ୍ବନ କରାଯାଇଛି । ଓଡ଼ିଶା ପ୍ରଶାସନିକ ସେବା (ଓଏଏସ) ଅଧିକାରୀ ପୁଷ୍ପାଶ୍ରୀ ପୂର୍ବରୁ କୁଜଙ୍ଗ ତହସିଲଦାର ଦାୟିତ୍ୱରେ ଥିଲେ । ବାଲେଶ୍ୱର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ରହିବାକୁ ପୁଷ୍ପାଶ୍ରୀଙ୍କୁ ରାଜସ୍ୱ ବିଭାଗ ତରଫରୁ ନିର୍ଦ୍ଦେଶ ଦିଆଯାଇଛି । ବଦଳି ପରେ କାର୍ଯ୍ୟରେ ଯୋଗ ଦେବା ଏବେ ପୁଷ୍ପାଶ୍ରୀଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି ।

ସୂଚନା ମୁତାବକ, ଓଏଏସ୍-ଏ (ଜେବି) ପୁଷ୍ପାଶ୍ରୀଙ୍କୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ତରଫରୁ ସସପେଣ୍ଡ କରାଯାଇଛି । ପୁଷ୍ପାଶ୍ରୀ ତୁରନ୍ତ ବାଲେଶ୍ୱର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଯୋଗଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହିତ ଅନୁମତି ନ ମିଳିବା ପର୍ଯ୍ୟନ୍ତ ମୁଖ୍ୟ କାର୍ଯ୍ୟାଳୟ ନ ଛାଡ଼ିବାକୁ କଡ଼ା ଚେତାବନୀ ଦିଆଯାଇଛି । ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ତହସିଲରେ ତହସିଲଦାର ଭାବେ ପୁଷ୍ପାଶ୍ରୀ କାର୍ଯ୍ୟରତ ଥିଲେ । ତେବେ ପାଖାପାଖି ୧ ମାସ ତଳେ ତାଙ୍କୁ ବାଲେଶ୍ୱର ଜିଲ୍ଲା ଭୋଗରାଇ ତହସିଲକୁ ଟ୍ରାନ୍ସଫର କରାଯାଇଥିଲା । ମାତ୍ର ସେ କୌଣସି କାରଣରୁ ନୂଆ ସ୍ଥାନରେ ଯୋଗ ଦେଇ ପାରିନଥିଲେ । ତେବେ ବଦଳି ହୋଇଥିବା ଅଧିକାରୀମାନେ ତୁରନ୍ତ କାର୍ଯ୍ୟରେ ଯୋଗ ଦେବା ପାଇଁ ଏକ ସପ୍ତାହ ପୂର୍ବରୁ ରାଜ୍ୟ ସରକାର ଘୋଷଣା କରିଥିଲେ । ତାହାକୁ ଅବମାନନା କରିବା କାରଣରୁ ପୁଷ୍ପାଶ୍ରୀଙ୍କୁ ସସପେଣ୍ଡ କରାଯାଇଛି ।