ପ୍ରଧାନମନ୍ତ୍ରୀ ଉଚ୍ଚତର ଶିକ୍ଷା ଅଭିଯାନ ଅଧୀନରେ ଓଡ଼ିଶାକୁ ମିଳିବ ଏତିକି ଟଙ୍କା, କେନ୍ଦ୍ର ଦେଲା ମଞ୍ଜୁରୀ
‘ପିଏମ୍ ଉଷା’ ଅଧୀନରେ ଓଡ଼ିଶାକୁ ୬୦୦କୋଟିରୁ ଅଧିକ ଟଙ୍କା ଅନୁଦାନ ମିଳିବ । କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟର ୪ଟି ପ୍ରମୁଖ ବିଶ୍ୱବିଦ୍ୟାଳୟକୁ ୪୦୦ କୋଟି ଟଙ୍କାର ଅନୁଦାନ ମଞ୍ଜୁର ହୋଇସାରିଛି ।
ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ଉଚ୍ଚତର ଶିକ୍ଷା ଅଭିଯାନ ‘ପିଏମ୍ ଉଷା’ ଅଧୀନରେ ଓଡ଼ିଶାକୁ ୬୦୦କୋଟିରୁ ଅଧିକ ଟଙ୍କା ଅନୁଦାନ ମିଳିବ । କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଇତିମଧ୍ୟରେ ରାଜ୍ୟର ୪ଟି ପ୍ରମୁଖ ବିଶ୍ୱବିଦ୍ୟାଳୟକୁ ୪୦୦ କୋଟି ଟଙ୍କାର ଅନୁଦାନ ମଞ୍ଜୁର ହୋଇସାରିଛି ।
ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଭିତ୍ତିଭୂମିର ବିକାଶ ଏବଂ ଗବେଷଣା କ୍ଷେତ୍ରକୁ ଅଧିକ ତ୍ୱରାନ୍ୱିତ କରିବାରେ ଏହା ସହାୟକ ହେବ । ଅନୁଦାନ ପାଇଁ ବିସ୍ତୃତ ପ୍ରକଳ୍ପ ରିପୋର୍ଟ ଦାଖଲ କରିବାକୁ ସଂପୃକ୍ତ ଶିକ୍ଷାନୁଷ୍ଠାନ ଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି ।
ତେବେ ଓଡ଼ିଶାରେ ପ୍ରଧାନମନ୍ତ୍ରୀ-ଉଚ୍ଚତର ଶିକ୍ଷା ଅଭିଯାନ(ପିଏମ୍-ଉଷା) ଆରମ୍ଭ ହୋଇସାରିଛି। ରାଜ୍ୟ କୃଷି ଭବନରେ ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ ଓ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ମଧ୍ୟରେ ଓଡ଼ିଶାରେ ପିଏମ୍-ଉଷା କାର୍ଯ୍ୟକ୍ରମ ଲାଗୁ କରିବା ପାଇଁ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି। ୨୦୨୫-୨୬ ମଧ୍ୟରେ ଏହା କାର୍ଯ୍ୟକାରୀ କରାଯିବ।
କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଥିଲେ ଯେ ରାଜ୍ୟର ଛାତ୍ରଛାତ୍ରୀମାନଙ୍କ ବୃହତ୍ତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ସରକାରଙ୍କ ୮୧ତମ ଦିନରେ ପିଏମ୍-ଉଷା କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି। ପିଏମ୍-ଉଷା କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କ ଉତ୍ତମ ଭବିଷ୍ୟତ ଗଠନ ଲକ୍ଷ୍ୟରେ ଆରମ୍ଭ ହୋଇଥିବା ସତ୍ତ୍ୱେ ଏହାକୁ ପୂର୍ବରୁ କାର୍ଯ୍ୟକାରୀ କରାଯାଇ ନ ଥିଲା। ଏହି ଯୋଜନାକୁ ରାଜ୍ୟରେ ସଫଳତାର ସହ କରାଯିବ। ଏହା ଦ୍ୱାରା ଶିକ୍ଷାର ନୂତନ ଭିତ୍ତିଭୂମି ଓ ମାନବ ସମ୍ବଳର ବିକାଶ ହେବ। ଶିକ୍ଷା ପରିବେଶକୁ ଏହା ବିଶ୍ୱସ୍ତରୀୟ କରିବ।
କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ, ରାଜ୍ୟରେ ସ୍କୁଲ, କଲେଜ ପିଲାଙ୍କୁ ନେଇ ପ୍ରାୟ ୧ କୋଟି ଛାତ୍ରଛାତ୍ରୀ ଅଛନ୍ତି। ରାଜ୍ୟ ଜନସଂଖ୍ୟାର ଏହା ହେଉଛି ଏକ ଚତୁର୍ଥାଂଶ। ତେଣୁ ଏହି ପିଲାମାନଙ୍କ ଠିକ୍ ଭାବରେ ଦାୟିତ୍ୱ ନିଆଯାଇ ପାରିଲେ ରାଜ୍ୟର ବିକାଶ ବିଶ୍ୱସ୍ତରୀୟ ହୋଇପାରିବ। ଏହି କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ କଲେଜ ଓ ବିଶ୍ବବିଦ୍ୟାଳୟର ବିକାଶ ପାଇଁ ୫ଶହ କୋଟି ଟଙ୍କା ଦିଆଯିବ। ଏହି କାର୍ଯ୍ୟକ୍ରମ ୩ ବର୍ଷ ଆଗରୁ ହେବାର ଥିଲା। କିନ୍ତୁ ରାଜନୀତି ଯୋଗୁ ଓଡ଼ିଆ ପିଲାମାନେ ବଞ୍ଚିତ ହୋଇଥିଲେ। ଓଡ଼ିଶାରେ ଖୁବ୍ ଶୀଘ୍ର ଶିକ୍ଷାରେ ସ୍ୱାୟତ୍ତତା ଆସିବ। ୟୁଜିସିର ନିୟମ ଅନୁଯାୟୀ ବିଶ୍ୱବିଦ୍ୟାଳୟଗୁଡିକୁ ସ୍ୱାୟତ୍ତତା ଦିଆଯିବ।