ଆଜିଠୁ ଯୁକ୍ତ୨ ପ୍ରାକ୍ଟିକାଲ୍‌ ପରୀକ୍ଷା ଆରମ୍ଭ, 30 ମିନିଟ ପୂର୍ବରୁ ପହଞ୍ଚିବା ନେଇ ନିର୍ଦ୍ଦେଶ

ଆଜିଠାରୁ ଯୁକ୍ତ 2 ପ୍ରାକ୍ଟିକାଲ ପରୀକ୍ଷା ଆରମ୍ଭ । ୧୭୫୧ କେନ୍ଦ୍ର‌ରେ ୨ ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ ପରୀକ୍ଷା ଦେବେ ।

ଭୁବନେଶ୍ବର:  ଆଜିଠୁ ଯୁକ୍ତ୨ ପ୍ରାକ୍ଟିକାଲ ପରୀକ୍ଷା ଆରମ୍ଭ ହୋଇଛି । ବିଜ୍ଞାନ ବିଭାଗରେ ସର୍ବାଧିକ ୧ଲକ୍ଷ ୨୫ ହଜାର ଏବଂ କଳା ବିଭାଗରେ ପ୍ରାୟ ୧ ଲକ୍ଷ ପରୀକ୍ଷାର୍ଥୀ ରହିଛନ୍ତି । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି । ଚଳିତ ବର୍ଷ କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ଓ ଦୂରନିରନ୍ତର ବିଭାଗରେ ଦୁଇ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପ୍ରାକ୍ଟିକାଲ୍‌ ପରୀକ୍ଷା ଦେବେ । ଏହି ପ୍ରାକ୍ଟିକାଲ ପରୀକ୍ଷା ଆଜିଠୁ ଆରମ୍ଭ ହୋଇ ଆସନ୍ତା 12 ତାରିଖ ପର୍ଯ୍ୟନ୍ତ ଚାଲିବ ।

୬୦ ମାର୍କ, ୫୦ ମାର୍କ ଓ ୩୦ ମାର୍କ ବିଶିଷ୍ଟ ପ୍ରାକ୍ଟିକାଲ ବିଷୟ ଲାଗି ୩ଘଣ୍ଟା ଏବଂ ୧୫ ମାର୍କର ପ୍ରାକ୍ଟିକାଲ ପରୀକ୍ଷା ପାଇଁ ଦୁଇ ଘଣ୍ଟା ଅବଧି ରହିଛି । ତେବେ ନିର୍ଦ୍ଧାରିତ ସମୟର 30 ମିନିଟ ପୂର୍ବରୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବା ପାଇଁ କୁହାଯାଇଛି । ଏହାସହିତ ପରୀକ୍ଷାରେ କୌଣସି ପ୍ରକାର ସମସ୍ୟା ଉପୁଜିଲେ, ତୁରନ୍ତ ପରିଷଦ ପରୀକ୍ଷା ନିୟନ୍ତ୍ରକଙ୍କ ଦୃଷ୍ଟିକୁ ଆଣିବାକୁ କୁହାଯାଇଛି।

ସୂଚନା ଅନୁସାରେ, ଯୁକ୍ତ 2 ପରୀକ୍ଷା ପାଇଁ ୧୭୫୧ କେନ୍ଦ୍ର‌ କରାଯାଇଥିବା ବେଳେ ୨ ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ ପରୀକ୍ଷା ଦେବେ । ଜାନୁଆରି ୧୦ରୁ ୨୫ ତାରିଖ ମଧ୍ୟରେ ଇଣ୍ଟରନାଲ ଆସେସ୍‌ମେଣ୍ଟ ଓ ପ୍ରାକ୍ଟିକାଲ ପରୀକ୍ଷାର ମାର୍କ ସାମ୍‌ସ ପୋର୍ଟାଲରେ ଦାଖଲ କରିବେ ଏବଂ ଏଥିରେ ପରୀକ୍ଷକଙ୍କ ଦସ୍ତଖତ ରହିଥିବା ଜରୁରୀ ବୋଲି କୁହାଯାଇଛି ।