ଛତିଶଗଡ଼ ଏନ୍‌କାଉଣ୍ଟର ପରେ ଓଡ଼ିଶାମୁହାଁ ନକ୍ସଲ, ବଳ ଜୁଟାଉଛନ୍ତି ଲାଲ୍‌ ବାହିନୀ…

ବୌଦ୍ଧ-କନ୍ଧମାଳ ସୀମାନ୍ତ ଘଞ୍ଚ ଜଙ୍ଗଲରେ ବହୁ ସଂଖ୍ୟାରେ ମାଓବାଦୀ ସକ୍ରିୟ ରହିଥିବା ଡ୍ରୋନ୍‌ କ୍ୟାମେରା ଚିତ୍ର ମିଳିଛି ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି।

ଫୁଲବାଣୀ: ଛତିଶଗଡ଼ରେ ମାଓ ନିପାତ ଅଭିଯାନକୁ ଆହୁରି କରାଯାଇଛି ଜୋର୍‌ଦାର୍। ସୁରକ୍ଷାବାହିନୀର ଗୁଳିରେ ଗତ ଦୁଇ ସପ୍ତାହ ମଧ୍ୟରେ ବରିଷ୍ଠ ନେତାଙ୍କ ସମେତ ୫୦ରୁ ଅଧିକ ମାଓବାଦୀ ନିହତ ହୋଇ ସାରିଛନ୍ତି।

ଫଳରେ ଲାଲ୍‌ବାହିନୀ ଶିବିର‌ ଛିନ୍‌ଛତ୍ର ହୋଇଯାଇଛି। ଏବେ ପୁଣି ଥରେ ସଂଗଠନକୁ ବଳ ଦେବାକୁ ଉଦ୍ୟମ ଆରମ୍ଭ କରୁଥିବା ବେଳେ ସେମାନେ ସୁରକ୍ଷିତ କରିଡର୍‌ ବୌଦ୍ଧ-କନ୍ଧମାଳ ସୀମାନ୍ତ ଘଞ୍ଚ ଜଙ୍ଗଲରେ ଠୁଳ ହେବା ସହ ଓଡ଼ିଶାମୁହାଁ ହୋଇଥିବା ସୂଚନା ମିଳିଛି।

ବୌଦ୍ଧ-କନ୍ଧମାଳ ସୀମାନ୍ତ କଣ୍ଟାମାଳ ଏବଂ ଫିରିଙ୍ଗିଆ ବ୍ଲକ୍‌ର ବାଲନ୍ଦାପଡ଼ା ଜଙ୍ଗଲରେ ବହୁ ସଂଖ୍ୟାରେ ମାଓବାଦୀ ସକ୍ରିୟ ରହିଥିବା ଡ୍ରୋନ୍‌ କ୍ୟାମେରା ଚିତ୍ର ମିଳିଛି ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି।

ଯାହା କନ୍ଧମାଳ ଓ ବୌଦ୍ଧ ପୁଲିସର ଚିନ୍ତା ବଢ଼ାଇଦେଇଛି। ଉଭୟ ଜିଲ୍ଲା ସୀମାନ୍ତରେ ଯେକୌଣସି ସମୟରେ ବିସ୍ଫୋରକ ସ୍ଥିତି ଉପୁଜିବା ଆଶଙ୍କା କରାଯାଉଛି। କାରଣ ଏହି ସୀମାନ୍ତ ଘଞ୍ଚ ଜଙ୍ଗଲରେ ମାଓବାଦୀମାନେ ସବୁ ସମୟରେ ପୁଲିସଠାରୁ ପାଦେ ଆଗରେ ରହି ଆସିଥିବା ପୂର୍ବରୁ ନଜିର୍‌ ରହିଛି।

ଏଠାରେ ଗୁପ୍ତ ଶିବିର ନିର୍ମାଣ କରି ଭବିଷ୍ୟତ ପାଇଁ ରଣକୌଶଳ ତିଆରି ଚଳାଇଛନ୍ତି। ତେବେ ସୀମାନ୍ତବର୍ତ୍ତୀ ଜଙ୍ଗଲରେ କମ୍ବିଂ ଅପରେସନ୍ ଜାରି ରହିଛି ବୋଲି କନ୍ଧମାଳ ଏସ୍‌ପି ହରିଶ ବି.ସି. ସୂଚନା ଦେଇଛନ୍ତି।