ବାପାର ପ୍ରେମିକାକୁ ହତ୍ୟା କଲା ନାବାଳକ ପୁଅ, ଘଟଣାରେ ପତ୍ନୀଙ୍କ ସମ୍ପୃକ୍ତି
GPS ବ୍ୟବହାର କରି ଫଲୋ କଲେ। ବାପାଙ୍କ ସହ ପ୍ରେମିକାକୁ ଦେଖି ରାଗିଗଲେ ପତ୍ନୀ ଆଉ ନାବାଳକ ପୁଅ। ଧାରୁଆ ଅସ୍ତ୍ରରେ ପ୍ରେମିକାକୁ କଲେ ଆକ୍ରମଣ। ଯୁବତୀ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା।
କୋଲକାତା: ପରକ୍ରୀୟା ପ୍ରୀତିର କରୁଣ ପରିଣତି। ବାପାର ପ୍ରେମିକାର ଜୀବନ ନେଇଗଲା ନାବାଳକ ପୁଅ। ଘଟଣାରେ ସାମିଲ ଥିଲେ ପତ୍ନୀ। GPS ଦ୍ୱାରା ଫଲୋ କଲେ ପରେ ଧାରୁଆ ଅସ୍ତ୍ରରେ ଆକ୍ରମଣ କଲେ।
ରାସ୍ତା ଉପରେ ଯନ୍ତ୍ରଣାରେ ଛଟପଟ ହେଉଥିଲେ ଯୁବତୀ। ପରେ ହସ୍ପିଟାଲ ନେବା ପରେ ସେଠାରେ ତାଙ୍କର ମୃତ୍ୟୁ ଘଟିଲା। ଏପରି ଏକ ଘଟଣା ଘଟିଛି କୋଲକାତାରେ।
ଅନୈତିକ ପ୍ରେମର କରୁଣ ପରିଣତି: କୋଲକାତାର ଜଣେ ବ୍ୟକ୍ତି ଜଣେ ୨୪ ବର୍ଷୀୟ ଝିଅକୁ ଭଲ ପାଉଥିଲେ। ଗୁରୁବାର ଦିନ ରାତି ପ୍ରାୟ ୯ଟା ସମୟରେ ଦୁହେଁ କୋଲକାତାର EM ବାଇପାସ ରାସ୍ତା କଡ଼ରେ ଥିବା ଏକ ଚା ଦୋକାନରେ ଚା ପିଉଥିଲେ।
ହେଲେ ହଠାତ୍ ସେଠାରେ ଆସି ପହଞ୍ଚିଗଲେ ଉକ୍ତ ବ୍ୟକ୍ତିଙ୍କ ପତ୍ନୀ ଓ ନାବାଳକ ପୁଅ। କାରଣ ଏହି ବ୍ୟକ୍ତି ଜଣଙ୍କ ପୂର୍ବରୁ ବିବାହିତ ଥିଲେ। ହେଲେ ପତ୍ନୀ ଓ ପୁଅଙ୍କ ଅଗୋଚରରେ ସେ ଏକ ୨୪ ବର୍ଷୀୟ ଝିଅକୁ ପ୍ରେମ କରୁଥିଲେ।
ପରେ ଘଟଣା ସମ୍ପର୍କରେ ପରିବାର ଲୋକ ଜାଣିବାକୁ ପାଇଥିଲେ। ଦୁହେଁ ବୁଲାବୁଲି କରିବାକୁ ଯାଇଥିବା ସମୟରେ ଉକ୍ତ ବ୍ୟକ୍ତିଙ୍କ ପତ୍ନୀ ଓ ନାବାଳକ ପୁଅ GPS ମାଧ୍ୟମରେ ସେମାନଙ୍କୁ ଟ୍ରାକ କରିଥିଲେ।
କିପରି ହେଲା ହତ୍ୟାକାଣ୍ଡ: ଯେତେବେଳେକି ବ୍ୟକ୍ତି ଜଣକ ତାଙ୍କ ପ୍ରେମିକାଙ୍କ ସହ ରାସ୍ତା କଡରେ ଚା ପିଉଥିଲେ। ସେଠାରେ ଆସି ପହଞ୍ଚିଥିଲେ ତାଙ୍କ ପତ୍ନୀ ଓ ନାବାଳକ ପୁଅ। ସାଙ୍ଗରେ ମଧ୍ୟ ଥିଲେ ଜଣେ ୨୨ ବର୍ଷୀୟ ଯୁବକ।
ହଠାତ୍ ନାବାଳକ ଜଣକ ବାପାଙ୍କ ପ୍ରେମିକାଙ୍କ ଉପରକୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ଫଳରେ ଯୁବତୀ ଜଣକ ତଳେ ପଡିଯାଇଥିଲେ। ପରେ ତାଙ୍କୁ ଏନଆରଏସ୍ ହସ୍ପିଟାଲକୁ ନିଆଯାଇଥିଲା। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି।
ପୋଲିସର ତଦନ୍ତ: ଘଟଣା ସମ୍ପର୍କରେ ପୋଲିସ ଖବର ପାଇ ସେଠାରେ ପହଞ୍ଚିଥିଲା। ଏବଂ ଅଭିଯୁକ୍ତ ନାବାଳକ,ତାଙ୍କ ମାଆ ଏବଂ ୨୨ ବର୍ଷୀୟ ଯୁବକଙ୍କୁ ଗିରଫ କରିଛି। ପୋଲିସ ସୂତ୍ର ଅନୁଯାୟୀ, ପତ୍ନୀ ଏବଂ ପୁଅ “ପ୍ରେମ ବିଷୟରେ ଜାଣିପାରିଥିଲେ” ଏବଂ GPS ବ୍ୟବହାର କରି ତାଙ୍କ କାରକୁ ଟ୍ରାକ୍ କରିଥିଲେ।