ଅଭିନେତା ସହ ଉତ୍ତମ ଥିଲେ ଜଣେ ରାଜନେତା, ହେଲେ ବେଶୀ ଦିନ ତିଷ୍ଠି ପାରିଲେନି

ଉତ୍ତମ ମହାନ୍ତିଙ୍କ ରାଜନୈତିକ କ୍ୟାରିଅର। ୨୦୧୪ ମସିହାରେ ବିଜେଡିରେ ଯୋଗ ଦେଇଥିଲେ। ଓଡ଼ିଆ ଫିଲ୍ମର ପ୍ରଚାର ପ୍ରସାର ପାଇଁ ତତକାଳୀନ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ।

ଭୁବନେଶ୍ୱର: ଏବେ ସବୁଠି ସମସ୍ତଙ୍କ ମୁହଁରେ ଗୋଟିଏ ନାଁ ଓଡ଼ିଆ ଇଣ୍ଡଷ୍ଟ୍ରିର ଦିଗଜ କଳାକାର ଉତ୍ତମ ମହାନ୍ତିଙ୍କ।  ଯିଏକି ନିଜର ରିଲ୍ ଓ ରିଏଲ୍ ଲାଇଫର ଅଭିନୟ ସାରି ସବୁ ଦିନ ପାଇଁ ଅଫେରା ରାଇଜକୁ ଚାଲିଯାଇଛନ୍ତି। ହେଲେ ଏବେଠାରୁ ସିନା ତାଙ୍କୁ କେହି ଚଳନ୍ତି ଅବସ୍ଥାରେ ଦେଖିପାରିବେ ନାହିଁ। କିନ୍ତୁ ସବୁଦିନ ପାଇଁ ସେ ସମସ୍ତଙ୍କ ମନରେ ଅମର ହୋଇ ରହିବେ।

ଯଦି ଦେଖିବା ଏବେ ସବୁଠି ଶୋକାକୂଳ ପରିବେଶ। ଆଉ କିଛି ସମୟ ମଧ୍ୟରେ ପଞ୍ଚଭୂତରେ ଲୀନ ହୋଇଯିବ ଉତ୍ତମଙ୍କ ପ୍ରାର୍ଥୀବ ଶରୀର। ହେଲେ କେବଳ ଜଣେ ଓଡିଆ କଳାକାର ଭାବରେ ନୁହେଁ, ବରଂ ସେ ଜଣେ ରାଜନେତା ଭାବରେ ମଧ୍ୟ ପ୍ରାୟ ଏକ ଦଶନ୍ଧି ପୂର୍ବରୁ ନିଜର ଛାପ ଛାଡ଼ି ଯାଇଛନ୍ତି।

ଉତ୍ତମଙ୍କ ରାଜନୈତିକ ଜୀବନ: ଯଦି ଦେଖିବା ୨୦୧୪ ମସିହା ମାର୍ଚ୍ଚ ୧୨ ତାରିଖରେ ଉତ୍ତମ ଆନୁଷ୍ଠାନିକ ଭାବେ ବିଜୁ ଜନତା ଦଳରେ ଯୋଗ ଦେଇଥିଲେ। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ନବୀନ ନିବାସରେ ଦଳରେ ଯୋଗ ଦେଇଥିଲେ ଉତ୍ତମ।

ସେହିବର୍ଷ ଲୋକସଭା ଓ ଓଡ଼ିଶା ବିଧାନସଭା ନିର୍ବାଚନ ପୂର୍ବରୁ ସେ ଶଙ୍ଖ ଧରିଥିଲେ। ସେହିବର୍ଷ ବିଭିନ୍ନ କଳାକାର ରାଜନୀତିରେ ମନ ବଳାଇଥିଲେ। ହେଲେ ସବୁଠାରୁ ଆଶ୍ଚର୍ଯ୍ୟର କଥା ଏହା ଥିଲା କି ଯେଉଁ ବର୍ଷ ଉତ୍ତମ ବିଜେଡିରେ ଯୋଗ ଦେଇଥିଲେ। ସେହିବର୍ଷ  ୨୦୧୪ ମସିହାରେ ପତ୍ନୀ ଅପରାଜିତା ମହାନ୍ତି ମଧ୍ୟ କଂଗ୍ରେସରେ ଯୋଗ ଦେଇଥିଲେ।

ଷ୍ଟାର ପ୍ରଚାରକ: ତେବେ ଯଦିଓ ଉତ୍ତମ ଜଣେ ଦିଗଜ କଳାକାର ଥିଲେ। ଯେତେବେଳେ ସେ ବିଜେଡିରେ ଯୋଗ ଦେଲେ ଆଶା କରାଯାଉଥିଲା ଦଳ ତାଙ୍କୁ ଟିକେଟ୍ ଦେବ। ଆଉ ସେ ବି ଯଦି କ୍ୟାଣ୍ଡିଡେଟ୍ ହୋଇଥାନ୍ତେ ତାହାଲେ ଜିତି ମଧ୍ୟ ଥାନ୍ତେ। ବୋଲି କୁହାଯାଉଥିଲା।

ହେଲେ ସେହିବର୍ଷ ନିର୍ବାଚନରେ ଉତ୍ତମ ନିଜର ଭାଗ୍ୟ ପରୀକ୍ଷା କରିବାକୁ ମନ ବଳାଇନଥିଲେ। ତେଣୁ ଦଳ ତାଙ୍କୁ ଷ୍ଟାର ପ୍ରଚାରକ ଭାବରେ ମଇଦାନକୁ ଛାଡ଼ିଥିଲା। ଯଦିଓ ସେମିତି ଅଧିକ ଦିନ ସେ ରାଜନୀତିରେ ନିଜର କ୍ୟାରିୟର ଗଢ଼ିପାରି ନଥିଲେ। କିନ୍ତୁ ଯେତିକି ଦିନ ଦଳରେ ଥିଲେ ମନଦେଇ କାମ କରୁଥିଲେ।

ଫିଲ୍ମ ଇଣ୍ଡଷ୍ଟ୍ରି ପାଇଁ ପ୍ରୋତ୍ସାହନ: ଯଦିଓ ଉତ୍ତମ ରାଜନୀତିରେ ପାଦ ଦେଇଥିଲେ। ହେଲେ ସେଠାରେ ବେଶୀ ଦିନ ତିଷ୍ଠି ପାରିଲେ ନାହିଁ। ଏବଂ ମନୋରଞ୍ଜନ କ୍ଷେତ୍ରରେ ସକ୍ରିୟ ରହିବାକୁ ପସନ୍ଦ କରିଥିଲେ। ଧିରେ ଧିରେ ସେ ରାଜନୀତିରୁ ଦୂରେଇ ଯାଇଥିଲେ।

ଯେହେତୁ ତାଙ୍କର ସ୍ୱାସ୍ଥ୍ୟବସ୍ଥା ବିଗିଡିବାରେ ଲାଗିଥିଲା। ତେଣୁ କିଛି ବର୍ଷ ହେବ ସେ ଫିଲ୍ମ ଇଣ୍ଡଷ୍ଟ୍ରିରୁ ମଧ୍ୟ ଦୂରେଇ ଯାଇଥିଲେ। ହେଲେ ୨୦୧୯ ମସିହାରେ କଟକରେ ବିଜେଡିର କିଛି ରାଲିରେ ସେ ଯୋଗ ଦେଇଥିଲେ।

ଏହାଛଡ଼ା ତାଙ୍କର ରାଜନୈତିକ ଅଭିଜ୍ଞତାକୁ ବ୍ୟବହାର କରି ସେ ୨୦୧୬ ମସିହାରେ ତତକାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଓଡିଆ ସିନେମା ପାଇଁ ପ୍ରୋତ୍ସାହନ ତଥା ରାଜ୍ୟରେ ଆଧୁନିକ ଚଳଚ୍ଚିତ୍ର ଭିତ୍ତିଭୂମି ପ୍ରତିଷ୍ଠା ବିଷୟରେ ଆଲୋଚନା କରିଥିଲେ।