ଏପ୍ରିଲ 2ରେ ଖଡ଼ି ଛୁଆଁ ଦିବସ: ମୁରୁଜରେ ଝୋଟି ଆମ୍ବ ଡାଳ ରଖି ଛାତ୍ରଛାତ୍ରୀଙ୍କୁ ସ୍ବାଗତ, ସିଲଟ ଉପରେ କରିବେ 3ଟି ଗୋଲ

2025-26 ଶିକ୍ଷାବର୍ଷ ପାଇଁ ସ୍କୁଲରେ ନାମଲେଖା ପ୍ରକ୍ରିୟା ଆରମ୍ଭ ହେବ । କରାଯିବ ସ୍ବତନ୍ତ୍ର ବ୍ୟବସ୍ଥା ।

ଭୁବନେଶ୍ବର: ଏପ୍ରିଲ 2 ତାରିଖରେ ପ୍ରାଥମିକ ସ୍କୁଲରେ ଖଡ଼ି ଛୁଆଁ ଦିବସ ପାଳନ କରାଯିବ । ଏହି ଦିନ ଫୁଲ ଚନ୍ଦନ ଦେଇ ଛାତ୍ରଛାତ୍ରୀଙ୍କୁ ସ୍ବାଗତ କରାଯିବ । ଏନେଇ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରସ୍ତୁତି କରାଯାଉଛି । ଏହାପରେ ସ୍ଲେଟରେ ଗୋଲଗୋଲ କରିବେ ଛାତ୍ରଛାତ୍ରୀ ।

ପ୍ରବେଶ ଉତ୍ସବରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତାକୁ ପଢିବେ ଶିକ୍ଷକ । ଖଡ଼ି ଛୁଆଁ ହେବା ପରେ ଛାତ୍ରଛାତ୍ରୀଙ୍କୁ ଏକ କିଟ୍ ମଧ୍ୟ ପ୍ରଦାନ କରାଯିବ ।

ତେବେ ଖଡି ଛୁଆଁ ସମୟରେ ସିଲଟ, ଖଡି, ଫୁଲ, ଚନ୍ଦନ, ଅରୁଆ ଚାଉଳ ଏବଂ ବରକୋଳି ପତ୍ର ରହିବ ।

ଯେଉଁ ଛାତ୍ରଛାତ୍ରୀ ନାମ ଲେଖାଇବା ପାଇଁ ଆସିବେ ସେମାନଙ୍କୁ ପ୍ରଥମେ ଆସନରେ ବସାଇ ମୁଣ୍ଡରେ ଚନ୍ଦନ ଲଗାଇ ଫୁଲ ପକାଇ ବରକୋଳି ପତ୍ରରେ ବନ୍ଧାପନା କରି ଆଶୀର୍ବାଦ ଦେବେ ଶିକ୍ଷକ ।

ଏହାପରେ ସିଲଟରେ 3ଟି ଗୋଲ କରିବା ପାଇଁ ଶିଖାଇବେ ଶିକ୍ଷକ । ଏହି କାର୍ଯ୍ୟକ୍ରମରେ ଛୁଆ, ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ସହିତ ଅଭିଭାବକ ମଧ୍ୟ ସାମିଲ ହେବେ ।

ତେବେ ଏହି ଦିନ ଅଭିଭାବକମାନଙ୍କ ପାଇଁ ମଧ୍ୟ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ପିଲାଦିନ ପାଠପଢା ସମ୍ପର୍କିତ ଅନୁଭୂତି ସହିତ ଗୀତ, ଗଳ୍ପର ମଧ୍ୟ ବ୍ୟବସ୍ଥା କରାଯିବ । ଛାତ୍ରଛାତ୍ରୀ ମଧ୍ୟରେ ପରସ୍ପର ମଧ୍ୟରେ ନିଜର ପରିଚୟ ଆଦାନ ପ୍ରଦାନ କରିବେ ।