‘ଲୋକେ ତ୍ରିଶୁଳିଆ ପର୍ଯ୍ୟନ୍ତ ଯାଇ କଣ କରିବେ, କଟକ ଯିବା ଦରକାର’: କୃଷ୍ଣଚନ୍ଦ୍ର ମହାପାତ୍ର
ତ୍ରିଶୁଳିଆ ନୁହେଁ କଟକ ପର୍ଯ୍ୟନ୍ତ ଗଡ଼ିବ ମେଟ୍ରୋ ।
ଭୁବନେଶ୍ବର: ମେଟ୍ରୋ ପ୍ରକଳ୍ପ ନେଇ ନଗର ଉନ୍ନୟନ ମନ୍ତ୍ରୀଙ୍କ ବଡ଼ ବୟାନ । ମେଟ୍ରୋର ଆବଶ୍ୟକତା ରହିଛି କହିଲେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ।
ସେ କହିଛନ୍ତି, ପୂର୍ବ ସରକାର ତ୍ରିଶୁଳିଆ ପର୍ଯ୍ୟନ୍ତ ମେଟ୍ରୋର ପରିକଳ୍ପନା କରିଥିଲେ । ହେଲେ ଆମ ସରକାର ଏଥିରେ ପରିବର୍ତ୍ତନ ନେଇ ଚିନ୍ତା କରୁଛନ୍ତି । ଲୋକେ ତ୍ରିଶୁଳିଆ ପର୍ଯ୍ୟନ୍ତ ଯାଇ କଣ କରିବେ । ତ୍ରିଶୁଳିଆ ନୁହେଁ କଟକ ଯିବା ଦରକାର । ଏୟାରପୋର୍ଟରୁ ତ୍ରିଶୁଳିଆ ପର୍ଯ୍ୟନ୍ତ ପୂର୍ବରୁ ମେଟ୍ରୋ ଯିବା ନେଇ ପ୍ଲାନ କରାଯାଇଥିଲା ।
ଏନେଇ କମିଟି ଅନୁଧ୍ୟାନ କରୁଛି, ଏହାର ପରିଧିକୁ ବିସ୍ତୃତ କରାଯିବ । ଏହି ପ୍ରକଳ୍ପକୁ ବାତିଲ୍ କରାଯିବ ନାହିଁ । ନନ୍ଦନକାନନ ରୋଡ୍ରେ ତିନିଥାକିଆ ରୋଡ୍ ହେବ ଏବଂ ମେଟ୍ରୋ ବି ଚାଲିବ ବୋଲି କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି ।
ଇଏ ଲୋକଙ୍କ ସରକାର । ଲୋକଙ୍କର ଯାହା ଆବଶ୍ୟକତା ତାହା କରାଯିବ । ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ୬ ହଜାର ୨୫୫ କୋଟି ଟଙ୍କା ବ୍ୟୟ ଅଟକଳ ରହିଛି । ଏହି ପ୍ରକଳ୍ପ ୨୦୨୭ ସୁଦ୍ଧା ଶେଷ ହେବ ବୋଲି ଲକ୍ଷ୍ୟ ରଖାଯାଇଛି ।