କଲାମଙ୍କ କମାଲ – ବ୍ରହ୍ମୋସ୍ କ୍ଷେପଣାସ୍ତ୍ର! ଦେଶକୁ ପୂର୍ବତନ ରାଷ୍ଟ୍ରପତିଙ୍କ ବଡ ଉପହାର

ଅବଦୁଲ କଲାମଙ୍କ ପାଇଁ ସଫଳ ହେଲା ଅପରେସନ ସିନ୍ଦୁର!

ଓଡିଶା ଭାସ୍କର: ଭାରତର ପୂର୍ବତନ ରାଷ୍ଟ୍ରପତି ବା ‘ମିସାଇଲ୍ ମ୍ୟାନ୍’ ଭାବରେ ପରିଚିତ ଡକ୍ଟର ଏପିଜେ ଅବଦୁଲ କଲାମ ବ୍ରହ୍ମୋସ୍ କ୍ଷେପଣାସ୍ତ୍ର ତିଆରିରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ଯେଉଁ କ୍ଷେପଣାସ୍ତ୍ର ପାଇଁ ଆଜି ଅପରେସନ ସିନ୍ଦୁର ସଫଳ ହୋଇପାରିଛି।

ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ (DRDO)ର ମୁଖ୍ୟ ଭାବରେ,ଡକ୍ଟର ଏପିଜେ ଅବଦୁଲ କଲାମ ଭାରତ ଏବଂ ରୁଷ ମଧ୍ୟରେ ସରକାରୀ ସ୍ତରୀୟ ସହଭାଗୀତାର ନେତୃତ୍ୱ ନେଇଥିଲେ।

ଏହି ଐତିହାସିକ ଚୁକ୍ତିନାମା ଡକ୍ଟର କଲାମ ଏବଂ ରୁଷ ଉପ-ପ୍ରତିରକ୍ଷା ମନ୍ତ୍ରୀ ଏନଭି ମିଖାଇଲୋଭଙ୍କ ମଧ୍ୟରେ ୧୯୯୮ ମସିହାରେ ମସ୍କୋରେ ସ୍ୱାକ୍ଷରିତ ହୋଇଥିଲା, ଯାହା ପରେ ବ୍ରହ୍ମୋସ ଏରୋସ୍ପେସ୍ ପ୍ରାଇଭେଟ୍ ଲିମିଟେଡ୍ ପ୍ରତିଷ୍ଠା ହୋଇଥିଲା। ଏଥିରେ ଭାରତର ଅଂଶ 50.5% ଏବଂ ରୁଷର ଅଂଶ 49.5% ରଖାଗଲା।

ଅପରେସନ ସିନ୍ଦୂରରେ, ଭାରତ ପାକିସ୍ତାନ ମଧ୍ୟରେ ହେଉଥିବା ଯୁଦ୍ଧରେ ଅନେକ ଗୁଡିଏ ବିକଶିତ ଅସ୍ତ୍ରଶସ୍ତ୍ରର ବ୍ୟବହାର କରାଯାଇଥିଲା।ସେଥିମଧ୍ୟରୁ, ବ୍ରହ୍ମୋସ କ୍ଷେପଣାସ୍ତ୍ର ହେଉଛି ଅନ୍ୟତମ।

ଯାହା ଏହାର ମଲ୍ଟି-ପ୍ଲାଟଫର୍ମ କ୍ଷମତା ଏବଂ ସୁପରସୋନିକ୍ ସଠିକତା ପାଇଁ ବେଶ ଜଣାଶୁଣା। ଜଳ, ସ୍ଥଳ ଏବଂ ଆକାଶ ମାର୍ଗରୁ ଆକ୍ରମଣ କରିବା ପାଇଁ ଡିଜାଇନ୍ ହୋଇଥିବା ବ୍ରହ୍ମୋସ୍ କ୍ଷେପଣାସ୍ତ୍ରକୁ ରଫିକି, ମୁରିଦକେ, ନୁର ଖାନ, ରହିମ ୟାର ଖାନ, ସୁକ୍କୁର ଏବଂ ଚୁନିଆ ଭଳି ପ୍ରମୁଖ ସାମରିକ ଘାଟିଗୁଡ଼ିକରେ ଟାର୍ଗେଟ କରାଯାଇଥିଲା।

ଏହାର ପ୍ରଥମ ସଫଳ ପରୀକ୍ଷଣ ୧୨ ଜୁନ୍ ୨୦୦୧ରେ ହୋଇଥିଲା। ଏହି କ୍ଷେପଣାସ୍ତ୍ର DRDO ଏବଂ ରୁଷିଆର NPOM କମ୍ପାନୀର ମିଳିତ ପ୍ରୟାସର ଫଳାଫଳ ଏବଂ ଆଜି ଏହାକୁ ବିଶ୍ୱର ସବୁଠାରୁ ଦ୍ରୁତତମ କ୍ରୁଜ୍ କ୍ଷେପଣାସ୍ତ୍ର ମଧ୍ୟରୁ ଗୋଟିଏ ଭାବରେ ବିବେଚନା କରାଯାଏ।

କ୍ଷେପଣାସ୍ତ୍ର ଶକ୍ତି:

ବ୍ରହ୍ମୋସ ଏକ ସୁପରସୋନିକ୍ କ୍ରୁଜ୍ କ୍ଷେପଣାସ୍ତ୍ର। ଏହାକୁ ଜଳ , ସ୍ଥଳ, ଏବଂ ଆକାଶ ମାର୍ଗରୁ ନିକ୍ଷେପ କରାଯାଇପାରିବ। ଏହାର ଲକ୍ଷ୍ୟଭେଦ କ୍ଷମତା ୨୯୦-୪୫୦ କିଲୋମିଟର।

ଏଥିରେ ୨୦୦-୩୦୦ କିଲୋଗ୍ରାମ ବିସ୍ଫୋରକ ରହିଛି, ଯାହା ଫଳରେ ବଡ଼ ସାମରିକ ଘାଟିକୁ ଟାର୍ଗେଟ କରିବା ସହଜ ହୋଇଥାଏ। ଏହାର ବେଗ ଘଣ୍ଟା ପ୍ରତି ପ୍ରାୟ ୨୮୦୦-୩୦୦୦ କିଲୋମିଟର।

ଭାରତର ବ୍ରହ୍ମପୁତ୍ର ନଦୀ ଏବଂ ରୁଷିଆର ମସ୍କଭା ନଦୀର ମିଶ୍ରଣରେ ଏହାର ନାମ ବ୍ରହ୍ମୋସ ରଖାଯାଇଛି। ଏହା ଖରା , ବର୍ଷା , ଶୀତ ଯେକୌଣସି ପାଗରେ କାର୍ଯ୍ୟ କରିପାରିବ।