ବଜାରରେ ଶୀଘ୍ର ଆସିବ ନୂଆ ନୋଟ, ପୁରୁଣା ନୋଟ କର’ଣ ହେବ? ସ୍ପଷ୍ଟ କଲା RBI

ମୁମ୍ବାଇ: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପକ୍ଷରୁ ଶୀଘ୍ର ମହାତ୍ମା ଗାନ୍ଧୀ ସିରିଜ (ନୂଆ) ଅଧୀନରେ ୨୦ ଟଙ୍କିଆ ନୂଆ ନୋଟ ଜାରି କରାଯିବ। ଏହି ନୋଟରେ ଆରବିଆଇର ନୂଆ ଗଭର୍ଣ୍ଣର ସଞ୍ଜୟ ମଲହୋତ୍ରାଙ୍କ ହସ୍ତାକ୍ଷର ରହିବ। ନୂଆ ନୋଟର ଡିଜାଇନ ଏବଂ ବୈଶିଷ୍ଟ୍ୟ ପୂର୍ବରୁ ଚାଲୁଥିବା ୨୦ ଟଙ୍କିଆ ନୋଟ ପରି ହିଁ ରହିବ, କେବଳ ହସ୍ତାକ୍ଷରକୁ ଅଦ୍ୟତନ କରାଯିବ। ଅର୍ଥାତ୍ ରଙ୍ଗ, ଆକାର, ସୁରକ୍ଷା ବୈଶିଷ୍ଟ୍ୟ ସବୁ ଏକାପରି ରହିବ। ଏହି ପରିବର୍ତ୍ତନ ଆରବିଆଇ ଗଭର୍ଣ୍ଣର ବଦଳିବା ପରେ ହେଉଥିବା ଏକ ସାଧାରଣ ପ୍ରକ୍ରିୟା।

ପୁରୁଣା ୨୦ ଟଙ୍କିଆ ନୋଟର କ’ଣ ହେବ?

ସଞ୍ଜୟ ମଲହୋତ୍ରା ୨୦୨୪ ଡିସେମ୍ବର ୧୧ରେ ତିନି ବର୍ଷର କାର୍ଯ୍ୟକାଳ ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କର ୨୬ତମ ଗଭର୍ଣ୍ଣର ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ନ୍ୟୁଜ ଏଜେନ୍ସି ଏଏନଆଇ ରିପୋର୍ଟ ଅନୁସାରେ, ରିଜର୍ଭ ବ୍ୟାଙ୍କ ସ୍ପଷ୍ଟ କରିଛି ଯେ ପୂର୍ବତନ ଗଭର୍ଣ୍ଣରମାନଙ୍କ କାର୍ଯ୍ୟକାଳରେ ଜାରି ହୋଇଥିବା ସମସ୍ତ ୨୦ ଟଙ୍କିଆ ବ୍ୟାଙ୍କ ନୋଟ ଚଳଣୀ ରହିବ।
ଆରବିଆଇ ଅଧିନିୟମ, ୧୯୩୪ର ବ୍ୟବସ୍ଥା ଅନୁସାରେ, ରିଜର୍ଭ ବ୍ୟାଙ୍କ ପକ୍ଷରୁ ଜାରି ହୋଇଥିବା ସମସ୍ତ ନୋଟ ଯେପର୍ଯ୍ୟନ୍ତ ଚଳଣୀରୁ ପ୍ରତ୍ୟାହାର ହେଉଛି, ସେପର୍ଯ୍ୟନ୍ତ ଭାରତରେ ଲେଣଦେଣ ପାଇଁ ସମ୍ପୂର୍ଣ୍ଣ ବୈଧ ରହିବ।

ଏହା ବ୍ୟତୀତ, ଭାରତ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ୧ ଟଙ୍କିଆ ନୋଟ ମଧ୍ୟ ଏକ ବୈଧ ମୁଦ୍ରା (ଲିଗାଲ ଟେଣ୍ଡର) ଅଟେ। ବ୍ୟାଙ୍କ ନୋଟ ଛପାଇବା କାମ ଚାରୋଟି ମୁଦ୍ରଣାଳୟରେ ହୋଇଥାଏ। ଏହା ମଧ୍ୟରୁ ଦୁଇଟି ଭାରତ ସରକାରଙ୍କ ଦ୍ୱାରା ଭାରତୀୟ ପ୍ରତିଭୂତି ମୁଦ୍ରଣ ଓ ମୁଦ୍ରା ନିର୍ମାଣ ନିଗମ ଲିମିଟେଡ ମାଧ୍ୟମରେ ପରିଚାଳିତ ହୋଇଥାଏ।

ପୁରୁଣା ନୋଟ ବଦଳାଇବାର ଆବଶ୍ୟକତା ନାହିଁ

୨୦ ଟଙ୍କିଆ ଏହି ନୋଟରେ ମହାତ୍ମା ଗାନ୍ଧୀଙ୍କ ଚିତ୍ର ସ୍ପଷ୍ଟ ଦେଖାଯିବ। ଏହା ସହିତ, ନମ୍ବରିଂ ପ୍ୟାଟର୍ଣ୍ଣ, ୱାଟର ମାର୍କ ଏବଂ ସୁରକ୍ଷା ଥ୍ରେଡକୁ ମଧ୍ୟ ଅଧିକ ମଜବୁତ କରାଯିବ। ଏହା ଜାରି ହେବା ସହିତ ବଜାରରେ ଲେଣଦେଣ ପାଇଁ ପୁରୁଣା ଓ ନୂଆ ଉଭୟ ନୋଟର ବ୍ୟବହାର କରାଯାଇପାରିବ। ଅର୍ଥାତ୍ ନୂଆ ନୋଟ ଆସିଲା ପରେ ମଧ୍ୟ ପୁରୁଣା ନୋଟକୁ ବଦଳାଇବା କିମ୍ବା ବ୍ୟାଙ୍କରେ ଜମା କରାଇବାର ଆବଶ୍ୟକତା ପଡ଼ିବ ନାହିଁ। ନୂଆ ନୋଟର ବଣ୍ଟନ ବ୍ୟାଙ୍କ ଏବଂ ଏଟିଏମ ମାଧ୍ୟମରେ କରାଯିବ।