ଦିବ୍ୟାଙ୍ଗ ମହିଳାଙ୍କ ପାଇଁ ଖୋଲିଲା ଜିମ, କାହା ଉପରେ ନିର୍ଭର ନକରି ବ୍ୟବହାର କରିପାରିବେ ଉପକରଣ

ନିଜକୁ ଫିଟ ରଖିବା ସହିତ ଆତ୍ମନିର୍ଭରଶୀଳ ହୋଇପାରିବେ

ଓଡିଶା ଭାସ୍କର: ଖୋଲିଛି ଦିବ୍ୟାଙ୍ଗ ମହିଳାଙ୍କ ପାଇଁ ଜିମ। ଯେ କେହି ଦିବ୍ୟାଙ୍ଗ ନିଜ ଫିଟନେସ ପାଇଁ ଆଗ୍ରହୀ ସେମାନେ ସେଠାକୁ ଯାଇ ବ୍ୟାୟାମ କରିପାରିବେ। କୁହାଯାଏ, ନିଜର ସୀମା ନିଜକୁ ତିଆରି କରିବାକୁ ପଡିବ। ସେଥିପାଇଁ ନାରୀ ସଶକ୍ତିକରଣର ଏହି ବାର୍ତ୍ତା ଚେନ୍ନାଇରେ ଥିବା ଏହି ଖାସ ଜିମରେ ଦେଖିବାକୁ ମିଳିଛି।

ଯେଉଁଠି କେବଳ ଦିବ୍ୟାଙ୍ଗ ମହିଳାମାନେ ହିଁ ବ୍ୟୟାମ କରୁଛନ୍ତି। ଗ୍ରେଟର ଚେନ୍ନାଇ କର୍ପୋରେସନର ସହଯୋଗରେ ବେଟର ୱାର୍ଲ୍ଡ ସେଲଟର ଦ୍ୱାରା ପରିଚାଳିତ ଏହି ଜିମ୍‌ରେ, ମହିଳା ପାରା-ଆଥଲେଟ୍ ଏବଂ ଭିନ୍ନକ୍ଷମ ମହିଳାମାନେ ଫିଟନେସ୍ ପ୍ରତି ଆଗ୍ରହର ସହିତ ବ୍ୟାୟାମ କରିଥାନ୍ତି।

ଚେନ୍ନାଇରେ ଥିବା ଏହି ଜିମ ଦିବ୍ୟାଙ୍ଗ ମାନଙ୍କ ବିଶେଷ ଆବଶ୍ୟକତାକୁ ଦେଖି ପ୍ରସ୍ତୁତ କରାଯାଇଛି। ଯାହାକୁ ବ୍ୟବହାର କରୁଥିବା ମହିଳା ମାନଙ୍କ ମଧ୍ୟରେ କିଛି ଜଣ ସଟ୍ପୁଟ୍, ଡିସ୍କସ୍, ଜାଭେଲିନ୍ ଏବଂ ପାୱାରଲିଫ୍ଟିଂ ଭଳି ଇଭେଣ୍ଟରେ ରାଜ୍ୟ ପାଇଁ ପୁରସ୍କାର ଜିତିଛନ୍ତି।

ଏହି ଜିମରେ ବ୍ୟାୟାମ କରୁଥିବା ଜଣେ ପାରା ଆଥଲେଟ ଅରୁଣ ମୋଝୀ ସମାଚାର ଏଜେନସି ପିଟିଆଇଙ୍କ ସହିତ କଥା ହେବା ସମୟରେ କହିଛନ୍ତି, ଏକ ସାଧାରଣ ଜିମ୍‌ରେ, ଅନେକ ସିଡ଼ି ଥିବ ଯାହାକୁ ଚଢ଼ିବା କଷ୍ଟକର।

ଜିମ୍‌ରେ ବ୍ୟାୟାମ କରୁଥିବା ଅନ୍ୟ ଲୋକମାନେ ମଧ୍ୟ ଆମକୁ ଭିନ୍ନ ଭାବରେ ଦେଖିବେ, ଯାହା ଆମକୁ ଠିକ ଲାଗିବନି। ଏଠାରେ କିନ୍ତୁ ଆମେ ସମ୍ପୂର୍ଣ୍ଣ ଭାବରେ ହ୍ୱିଲଚେୟାରରେ ବୁଲୁଛୁ, ବ୍ୟାୟାମରେ ଭଲ ଭାବରେ ଧ୍ୟାନ ଦେଇ ପାରୁଛୁ ଏବଂ ସମସ୍ତ ଉପକରଣ ମଧ୍ୟ ବ୍ୟବହାର କରିପାରୁଛୁ।

ଏହି ଜିମ ର ସବୁଠୁ ଖାସ କଥା ଏହା ଯେ, ଏଠାରେ ଦିବ୍ୟାଙ୍ଗ ମହିଳାମାନେ ସେହିସବୁ ଅସୁବିଧାକୁ ସାମ୍ନା କରିବେ ନାହିଁ ଯାହା ଅନ୍ୟ କୌଣସି ସାଧାରଣ ଜିମକୁ ଯାଇଥିଲେ ଦେଖିବାକୁ ପଡିଥାନ୍ତା। ଏଠାରେ କାହାର ବିନା ସାହାର୍ଯ୍ୟରେ ମେସିନକୁ ବ୍ୟବହାର କରିହେବ ଏବଂ ଆବଶ୍ୟକୀୟ ବ୍ୟାୟାମ ମଧ୍ୟ କରିହେବ।

ଆଉ ଜଣେ ପାରା ଆଥଲେଟ୍ ଏମ. ନାଦିଆ କୁହନ୍ତି, “ଆମେ ହ୍ୱିଲଚେୟାରରେ ବସି ନିଜେ ବାଇସେପ୍, ଚେଷ୍ଟ ଏବଂ ଷୋଲଡ଼ର୍ସ ପାଇଁ ଆବଶ୍ୟକୀୟ ମେସିନ୍ ବ୍ୟବହାର କରିପାରୁଛୁ ।ଆମେ କାହାଠାରୁ ସାହାଯ୍ୟ ନେଉନାହୁଁ। ଯାହା ଆମକୁ ବହୁତ ଖୁସି ଦେଉଛି।”

କ୍ରୀଡା ସଂଯୋଜକ ମାଟିଲଡା ଫୋନସେକା କୁହନ୍ତି, “ଏଠାରେ ଏହି ପ୍ରକାରର ଜିମ୍ କେବଳ ମହିଳାଙ୍କ ପାଇଁ। ଭବିଷ୍ୟତରେ ପୁରୁଷମାନଙ୍କ ପାଇଁ ମଧ୍ୟ ଏପରି ଜିମ୍ ତିଆରି ହେଲେ ଭଲ ହେବ।