କେହି ଜାଣିନାହାନ୍ତି ମୁଁ କ’ଣ କରିବି…. ସପ୍ତାହେ ଭିତରେ ଇରାନ ଉପରେ ଆକ୍ରମଣ କରିବ ଆମେରିକା
ଇରାନବାସୀ ଏକତ୍ରୀତ ହୋଇ ଶତ୍ରୁ ଆକ୍ରମଣର ମୁକାବିଲା କରିବାକୁ ଆହ୍ୱାନ । ନ୍ୟୁକ୍ଲିୟର ଆଟାକ ନେଇ ବଢ଼ୁଛି ଆଶଙ୍କା । ଇରାନ୍ ଉପରେ ଆକ୍ରମଣକୁ ନେଇ ଟ୍ରମ୍ପ ଅନୁମତି ଦେଇଥିବା ସୂଚନା ।
ୱାଶିଂଟନ୍: ଇରାନ୍- ଇସ୍ରାଏଲ୍ ମଧ୍ୟରେ ଯୁଦ୍ଧ ସ୍ଥିତି ଲାଗି ରହିଛି । ୭ ଦିନ ଧରି ଦୁଇ ଦେଶ ସାମ୍ନା-ସାମ୍ନି ହୋଇଛନ୍ତି । ପରସ୍ପର ଉପରେ ମିଶାଇଲ ମାଡ଼ କରିବା ସହ ଅନେକ ଧନ ଜୀବନ ନଷ୍ଟ ହୋଇସାରିଲାଣି ।
ଯୁଦ୍ଧ ସ୍ଥିତିକୁ ନେଇ ଇରାନ୍ ମୁଖ୍ୟ ଶାସକ ଆୟାତୋଲ୍ଲାହ ଖମାନି କହିଛନ୍ତି, ଏପ୍ରକାର ଘଡ଼ିସନ୍ଧି ମୁହୂର୍ତ୍ତରେ ପୁରା ଦେଶ ଏକାଠି ଅଛି । କୌଣସି ବାହାରୀ ବଳ ଦ୍ୱାରା ଆମେ ଆଦୌ ନଇଁବା ନାହିଁ ।
ଇରାନ୍ ସପର୍ମଣ କରିବା ନେଇ ଆମେରିକା ପକ୍ଷରୁ କୁହାଯିବା ପରେ ଖମାନି କହିଛନ୍ତି, ଆମେରିକା ମିଲିଟାରୀ ପକ୍ଷରୁ ଆମ ଉପରେ ବଡ଼ ଆକ୍ରମଣ ହେବାର ଆଶଙ୍କା କରାଯାଉଛି ।
ଏ ନେଇ ଟ୍ରମ୍ପଙ୍କୁ କରାଯାଇଥିବା ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି, ହଁ ଆମେରିକା ଇରାନ୍ ଉପରେ ଆକ୍ରମଣ କରିପାରେ, ନ କରିପାରେ ମଧ୍ୟ । କାରଣ କେହି ଜାଣି ନାହାନ୍ତି ମୁଁ କ’ଣ କରିବାକୁ ଯାଉଛି ।
ସେପଟେ ଅରାକ୍ ଏବଂ ଖୋଣ୍ଡାବ ଅଞ୍ଚଳକୁ ଖାଲି କରିବା ପାଇଁ ଇସ୍ରାଏଲ ଡିଫେନ୍ସ ଫୋର୍ସ ପକ୍ଷରୁ ୱାର୍ଣ୍ଣିଂ ଜାରି କରାଯାଇଛି । ଇରାନ ସେଣ୍ଟ୍ରାଲର ଲୋକଙ୍କୁ ସ୍ଥାନ ଖାଲି କରିବାକୁ ନିର୍ଦ୍ଦେଶ ଜାରି କରାଯାଇଛି ।
ସୂଚନା ମୁତାବକ ହେଭି ୱାଟର ନ୍ୟୁକ୍ଲିୟର ରିଆକ୍ଟର ଖୋଣ୍ଡାବ ବାହାରେ ରଖାଯାଇଛି । ଯେକୌଣସି ମୁହୂର୍ତ୍ତରେ ଏହାର ପ୍ରୟୋଗ କରାଯାଇପାରେ ।
ଅନ୍ୟପଟେ ଇରାନ୍ ଉପରେ ଆକ୍ରମଣକୁ ନେଇ ଟ୍ରମ୍ପ ଅନୁମତି ଦେଇଥିବା କୁହାଯାଉଛି । ଏ ନେଇ ହ୍ୱାଇଟ ହାଉସ୍ରେ ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି ।
ବରିଷ୍ଠ ଅଧିକାରୀଙ୍କୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଜାରି । ଚୂଡ଼ାନ୍ତ ନିର୍ଦ୍ଦେଶକୁ ଅପେକ୍ଷା କରିବାକୁ ଟ୍ରମ୍ପ ନିର୍ଦ୍ଦେଶ ଦେଇଥିବା କୁହାଯାଉଛି ।