ଭୁବନେଶ୍ବର: ଗ୍ରୀଷ୍ମ ଛୁଟି ଶେଷ ହେବା ପରେ ଆଜି ଖୋଲିଛି ସ୍କୁଲ । ବେଲ୍ ବାଜିବା ସହିତ ସ୍କୁଲକୁ ପ୍ରବେଶ କରିଛନ୍ତି ଛାତ୍ରଛାତ୍ରୀ । ତେବେ ଝାଡ଼ାବାନ୍ତି ବ୍ୟାପିଥିବାରୁ ଯାଜପୁର, ଭଦ୍ରକ ପରି ଜିଲ୍ଲାରେ ସ୍କୁଲ ଖୋଲିବା ତାରିଖକୁ ଘୁଞ୍ଚାଇ ଦିଆଯାଇଛି ।
ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ- ତେବେ ସ୍କୁଲ ଛୁଟି ହେବା ପୂର୍ବରୁ ସକାଳୁଆ ସ୍କୁଲ ଚାଲିଥିଲା । ବର୍ତ୍ତମାନ ଛୁଟି ସରିବା ପରେ ଛାତ୍ରଛାତ୍ରୀଙ୍କ ମନରେ ଉତ୍ସାହ ଦେଖାଯାଇଛି । ପୂର୍ବାହ୍ନ 10ଟାରୁ ସ୍କୁଲ ଆରମ୍ଭ ହୋଇଥିବା ବେଳେ ଅପରାହ୍ନ 4ଟା ଯାଏଁ ଚାଲିବ ।
ଟ୍ବିନସିଟିରେ ସ୍କୁଲ ଛୁଟି- ସେହିପରି ଆଜି ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ରହିଥିବାରୁ ଟ୍ବିନ ସିଟିରେ ସମସ୍ତ ସ୍କୁଲକୁ ବନ୍ଦ ରଖାଯାଇଛି । ତେବେ ଆସନ୍ତାକାଲି ଠାରୁ ଭୁବନେଶ୍ବର, କଟକରେ ସ୍କୁଲ ଖୋଲିବ ।
ହଇଜାକୁ ନେଇ ଚିନ୍ତା- ରାଜ୍ୟରେ ଝାଡାବାନ୍ତି, ହଇଜା ବ୍ୟାପୁଥିବା ବେଳେ ସ୍କୁଲ ଖୋଲିବାକୁ ନେଇ ଲୋକମାନଙ୍କ ମନରେ ଛନକା ପସିଛି । ଏନେଇ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ପକ୍ଷରୁ ମଧ୍ୟ ତତ୍ପରତା ଦେଖାଯାଇଛି ।
ପାଠପଢ଼ାକୁ ଗୁରୁତ୍ବ ଦେବା ସହିତ ଛାତ୍ରଛାତ୍ରୀଙ୍କ ସ୍ବାସ୍ଥ୍ୟକୁ ମଧ୍ୟ ଦୃଷ୍ଟି ରଖାଯାଇଛି । ସ୍ବଚ୍ଛତା ପ୍ରତି ଧ୍ୟାନ ଦେବା ସହିତ ସ୍ବଚ୍ଛ ପାନୀୟ ଜଳର ବ୍ୟବସ୍ଥା କରିବାକୁ ମଧ୍ୟ କୁହାଯାଇଛି ।
ସ୍କୁଲ, ହଷ୍ଟେଲ ସହିତ କ୍ଲାସରୁମ, କମନରୁମ, ଅଫିସ ରୁମ,ଲାବ, ଲାଇବ୍ରେରୀ, ବାଥରୁମ, ରୋଷେଇଶାଳା, ଖାଇବା ଗୃହ ଏବଂ ଷ୍ଟୋର ରୁମକୁ ପରିସ୍କାର ରଖିବା ପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି ।