ସ୍କୁଲ ପିଲାଙ୍କୁ ଜୁଲାଇ ୧୫ ସୁଦ୍ଧା ୨ ହଳ ଲେଖାଏଁ ମାଗଣା ଡ୍ରେସ୍ ଦିଆଯିବ

ସ୍ୱୟଂ ସହାୟକ ଗୋଷ୍ଠୀଙ୍କଠାରୁ ପୋଷାକ କିଣାଯାଇ ବିଦ୍ୟାଳୟରେ ପ୍ରଦାନ କରାଯିବ।

ଭୁବନେଶ୍ୱର: ସ୍କୁଲ ପିଲାଙ୍କୁ ମିଳିବ ମାଗଣା ଡ୍ରେସ୍। ଏକାଥରେ ମିଳିବ ୨ ହଳ ଡ୍ରେସ। ଏନେଇ ସମସ୍ତ ଜିଲ୍ଲା ଶିକ୍ଷାଧିକାରୀ ଓ ଜିଲ୍ଲା ପ୍ରକଳ୍ପ ସଂଯୋଜକଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଟେଲରିଂ ୟୁନିଟ୍ ଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କଠାରୁ ପୋଷାକ କିଣାଯାଇ ବିଦ୍ୟାଳୟରେ ପ୍ରଦାନ କରାଯିବ। ଜୁଲାଇ ୧୫ ତାରିଖ ସୁଦ୍ଧା ସରକାରୀ ଓ ସରକାରୀ ଅନୁଦାନ ପ୍ରାପ୍ତ ଛାତ୍ରଛାତ୍ରୀଙ୍କୁ ମାଗଣା ପୋଷାକ ଦିଆଯିବା ନେଇ ସୂଚନା ମିଳିଛି।

ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଛାତ୍ରଛାତ୍ରୀଙ୍କୁ ୨ ହଳ ଲେଖାଏଁ ପୋଷାକ ମିଳିବ। ପିଏମ ଶ୍ରୀ, ସମଗ୍ର ଶିକ୍ଷା, ଗଙ୍ଗାଧର ମେହେର ଶିକ୍ଷା ମାନଙ୍କ ବୃଦ୍ଧି ଯୋଜନାରେ ବଣ୍ଟନ କରାଯିବ।

ହେଲେ ଛାତ୍ରଛାତ୍ରୀଙ୍କ ସ୍କୁଲ ଡ୍ରେସର ରଙ୍ଗ ବଦଳିବନି। ପୂର୍ବରୁ ଯେଉଁ ଡ୍ରେସ ପିନ୍ଧୁଥିଲେ ସେହି ରଙ୍ଗର ଡ୍ରେସ ମିଳିବ। ଛାତ୍ରମାନଙ୍କୁ ନୀଳ ରଙ୍ଗର ପ୍ୟାଣ୍ଟ ଓ ଧଳା ସାର୍ଟ ମିଳିବ। ଏହାସହ ପ୍ରଥମରୁ ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ ଦୁଇ ହଳ ଫ୍ରକ୍ ଓ ଷଷ୍ଠରୁ ଅଷ୍ଟମ ଛାତ୍ରୀଙ୍କୁ ଦୁଇ ହଳ ସାଲୱାର କମିଜ ଓ ଓଢଣୀ ଦିଆଯିବ।