“ବିଜେଡି ସାବତ ଝିଅ ପରି ବ୍ୟବହାର କଲା”, ଦଳରୁ ବାହାରିବା ପରେ ସୁନୀତାଙ୍କ ବଡ଼ ବିବୃତ୍ତି

ବିଜେଡି ପୋଲ୍ ଖୋଲିଲେ ହେମାନନ୍ଦଙ୍କ ଝିଅ ସୁନୀତା ବିଶ୍ୱାଳ

ଭୁବନେଶ୍ୱର: ବିଜେଡି ପୋଲ୍ ଖୋଲିଦେଲେ ହେମାନନ୍ଦଙ୍କ ଝିଅ ସୁନୀତା ବିଶ୍ୱାଳ। ସେ କହିଲେ, “ନବୀନ ବାବୁ ମତେ ଡାକିଲେ ବିଜେଡିରେ ମିଶାଇଥିଲେ। ପରବର୍ତ୍ତୀ ଅବସ୍ଥାରେ ଦଳ ମୋତେ ସାବତ ଝିଅ ପରି ବ୍ୟବହାର କଲା।”

ସେ ଆହୁରି କହିଛନ୍ତି ଯେ, କେବଳ ଲୋକ ଯୋଗାଡ଼ କରିବାକୁ ବ୍ୟବହାର କରାଗଲା ମୋତେ। ପୋଷ୍ଟର ମାରିଲେ ବି ମୋତେ ଅନୁମତି ନାବକୁ କୁହାଗଲା। ଗୁରୁତ୍ୱ ଦେଲେନି, ଅଲୋଡ଼ା ଅନୁଭବ କରି ବିଜେଡି ଛାଡ଼ିଲି।

ସୁନୀତାଙ୍କର ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକ। ତାଙ୍କ ଆତ୍ମା ହେଉଛି କଂଗ୍ରେସ। ସେ ସାଂସଦ ହୋଇଥିଲେ ବି ପଳାଇଥାଆନ୍ତେ ବୋଲି କହିଲେ ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକ।

ପୂର୍ବତନ CM ହେମାନନ୍ଦ ବିଶ୍ବାଳଙ୍କ ଝିଅ ସୁନୀତା ବିଶ୍ବାଳ କଂଗ୍ରେସକୁ ଫେରିଛନ୍ତି । 2019ରେ ବିଜେଡ଼ି ଟିକେଟରେ ସୁନ୍ଦରଗଡ଼ ସଂସଦୀୟ କ୍ଷେତ୍ରରୁ ଲଢିଥିଲେ ସୁନୀତା । କିନ୍ତୁ ପରାଜିତ ହୋଇଥିଲେ।

ଗତକାଲି ବିଜେଡ଼ିରୁ ଇସ୍ତଫା ଦେଇଥିଲେ, ଆଉ ଆଜି କଂଗ୍ରେସରେ ସୁନୀତା ମିଶିଛନ୍ତି । ପିସିସି ସଭାପତି ଭକ୍ତ ଦାସ ଓ ଅନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିତିରେ କଂଗ୍ରେସରେ ମିଶିଲେ ସୁନୀତା ବିଶ୍ବାଳ ।

୨୦୧୯ ସାଧାରଣ ନିର୍ବାଚନରେ ସୁନ୍ଦରଗଡ ଲୋକସଭା ଆସନରୁ ପ୍ରାର୍ଥୀ ହୋଇଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନ୍ଦ ବିଶ୍ବାଳଙ୍କ ଝିଅ ସୁନୀତା ବିଶ୍ବାଳ । କିନ୍ତୁ ଜୁଏଲ ଓରାମଙ୍କ ଠାରୁ ପରାସ୍ତ ହୋଇଥିଲେ । କିନ୍ତୁ ଗତକାଲି ହଠାତ୍ ସେ ଦଳର ସୁପ୍ରିମୋଙ୍କୁ ନିଜର ଇସ୍ତଫା ପତ୍ର ପଠାଇଥିଲେ ।

ସୁନୀତା ବିଶ୍ବାଳଙ୍କ ଭଉଣୀ ଅମିତା କହିଛନ୍ତି, “ମୋ ଭଉଣୀ ନିଜ ଘରକୁ ଫେରିଛନ୍ତି। ଏଥର କଂଗ୍ରେସ ସୁଦୃଢ ହେବ। ବିଜେଡିରେ ସେ ଅଣଦେଖାର ଶିକାର ହୋଇଥିଲେ। ଯାହାକୁ ନେଇ ସେ ବିଜେଡି ଛାଡିଛନ୍ତି। ମୁଁ କଂଗ୍ରେସରୁ ପ୍ରାର୍ଥୀ, ମୋ ଭଉଣୀ ବିଜେଡିରେ। ଯାହାକୁ ନେଇ ଭୋଟର ଅନେକ ପ୍ରଶ୍ନ କରିଥିଲେ। ମୁଁ ଫିଲ୍ଡ ଗଲା ବେଳେ ଏହି ପ୍ରଶ୍ନର ସାମ୍ନା କରୁଥିଲି। ଏବେ ତାହାର ଅବସାନ ହୋଇଛି।”