ମୁମ୍ବାଇ,୧୦ା୭: କମେଡି କିଙ୍ଗ କପିଲ ଶର୍ମାଙ୍କ କାଫେରେ ଗୁଳିକାଣ୍ଡ ହୋଇଛି । ତେବେ ଏହି ଗୁଳିକାଣ୍ଡ ପାଇଁ ହରଜିତ୍ ସିଂ ଲଡ୍ଡି ଦାୟୀ । ତେବେ ପ୍ରଶ୍ନ ଉଠୁଛି କିଏ ସେହି ହରଜିତ୍? କ’ଣ ପାଇଁ ସେ କପିଲଙ୍କ କାଫେରେ ଫାୟାରିଂ କରିଛନ୍ତି । ଜାଣନ୍ତୁ ଏ ସମ୍ପର୍କରେ…
ହରଜିତ୍ ଜଣେ ଖଲିସ୍ତାନୀ ଆତଙ୍କବାଦୀ, ଯିଏ କାନାଡାର ବ୍ରିଟିଶ କଲମ୍ବିଆର ସରେରେ ଥିବା କପିଲ ଶର୍ମାଙ୍କ କ୍ୟାପ୍ସ କାଫେରେ ଫାୟାରିଂ କରିଛନ୍ତି। ଫାୟାରିଂର ଦାୟିତ୍ୱ ନେଇଥିବା ହରଜିତ ଭାରତର ମୋଷ୍ଟ୍ ୱାଣ୍ଟେଡ୍ ଆତଙ୍କବାଦୀ, ଯାହାଙ୍କ ଉପରେ ଦେଶର ସୁରକ୍ଷା ସଂସ୍ଥା NIA ୧୦ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଛି।
ହରଜିତ କେଉଁଠି ରୁହନ୍ତି?
ହରଜିତ ଭାରତରେ ନିଷିଦ୍ଧ ଆତଙ୍କବାଦୀ ସଂଗଠନ ବବର ଖାଲସା ଇଣ୍ଟରନ୍ୟାସନାଲର ସଦସ୍ୟ। ସୁରକ୍ଷା ସଂସ୍ଥା ଅନୁଯାୟୀ, ସେ ଜର୍ମାନୀରେ ରୁହନ୍ତି। କପିଲଙ୍କ କାଫେ ଉପରେ ଗୁଳିକାଣ୍ଡ ପୂର୍ବରୁ ମଧ୍ୟ ବିଶ୍ୱ ହିନ୍ଦୁ ପରିଷଦ ନେତା ବିକାଶ ପ୍ରଭାକର ଓରଫ ବିକାଶ ବଗାଙ୍କ ହତ୍ୟାକାଣ୍ଡରେ ହରଜିତଙ୍କ ନାମ ଆସିଥିଲା। ତା’ପରେ NIA ଏହି ମାମଲାର ତଦନ୍ତ କରି ତାର ଚାର୍ଜସିଟରେ କହିଛି ଯେ ପାକିସ୍ତାନସ୍ଥିତ ବବର ଖାଲସା ଇଣ୍ଟରନ୍ୟାସନାଲର ମୁଖ୍ୟ ୱାଧାୱା ସିଂହ ବବର ଏବଂ ଜର୍ମାନୀରେ ରହୁଥିବା ହରିଜିତ ସିଂହ ଓରଫ ଲଡ୍ଡି ମିଳିତ ଭାବରେ ୧୩ ଏପ୍ରିଲ ୨୦୨୪ରେ ପଞ୍ଜାବର ରୂପନଗର ଜିଲ୍ଲାର ନାଙ୍ଗଲ ଅଞ୍ଚଳରେ VHP ନେତାଙ୍କୁ ହତ୍ୟା କରିଥିଲେ।
ହରଜିତ କାନାଡାର କ୍ୟାପ୍ସ କାଫେରେ ମଧ୍ୟ ଗୁଳି ଚଳାଇଛନ୍ତି ଏବଂ ଏହାର ଦାୟିତ୍ୱ ମଧ୍ୟ ନେଇଛନ୍ତି। ଏହି ଆକ୍ରମଣର ଭିଡିଓ ମଧ୍ୟ ଭାଇରାଲ ହେଉଛି, ଯେଉଁଥିରେ କାଫେ ବାହାରେ ଏକ କାରରେ ବସିଥିବା ଜଣେ ବ୍ୟକ୍ତି ଗୁଳି ଚଳାଇଥିବା ଦେଖାଯାଉଛି। ଯଦିଓ ଆକ୍ରମଣର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ, କିନ୍ତୁ କୁହାଯାଉଛି ଯେ କପିଲଙ୍କ କିଛି ପୁରୁଣା ବୟାନରେ ରାଗି ହରଜିତ କପିଲଙ୍କ ନୂଆ କରି ଖୋଲାଯାଇଥିବା କାଫେରେ ଗୁଳି ଚଳାଇଥିଲେ। ଏବେ ପୋଲିସ ଏହି ସମ୍ପୂର୍ଣ୍ଣ ମାମଲାର ତଦନ୍ତ କରୁଛି, କିନ୍ତୁ ଯଦି ଏହି ଆକ୍ରମଣ ପ୍ରକୃତରେ ବବର ଖାଲସା ଇଣ୍ଟରନ୍ୟାସନାଲ ଦ୍ୱାରା ହୋଇଛି, ତେବେ ଏହା କେବଳ କପିଲ ଶର୍ମାଙ୍କ ପାଇଁ ଚିନ୍ତାର ବିଷୟ ନୁହେଁ, ବରଂ ଭାରତ ପାଇଁ ମଧ୍ୟ ଚିନ୍ତାର କାରଣ।
ବବ୍ବର ଖାଲସା ଇଣ୍ଟରନ୍ୟାସନାଲ ହେଉଛି ସେହି ଖଲିସ୍ତାନୀ ଆତଙ୍କବାଦୀ ସଂଗଠନ ଯିଏ ୨୩ ଜୁନ୍ ୧୯୮୫ରେ ଆୟରଲାଣ୍ଡରେ ଏୟାର ଇଣ୍ଡିଆର କନିଷ୍କ ବିମାନକୁ ବିସ୍ଫୋରଣ କରି ଉଡ଼ାଇ ଦେଇଥିଲା, ଯେଉଁଥିରେ ମୋଟ ୩୨୯ ଜଣଙ୍କର ମୃତ୍ୟୁ ହୋଇଥିଲା। ଏହି ବବ୍ବର ଖାଲସା ହେଉଛି ଏକ ଆତ୍ମଘାତୀ ଆକ୍ରମଣରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ବିଅନ୍ତ ସିଂହଙ୍କୁ ହତ୍ୟା କରିଥିଲା। ଏପରି ପରିସ୍ଥିତିରେ, ଯଦି ବବ୍ବର ଖାଲସା ଇଣ୍ଟରନ୍ୟାସନାଲର ଧମକ ପୁଣି ଥରେ ଶୁଣାଯାଏ, ତେବେ ଏହା ସମସ୍ତଙ୍କ ପାଇଁ ଅସୁବିଧାର କାରଣ ହୋଇପାରେ।