୯ କୋଟି ଜାଲ୍‌ ନୋଟ୍ ଜବତ, ହୋଟେଲରୁ ମିଳିଲା ନୋଟ ଛାପିବା ମେସିନ, ଏପରି ହେଲା ପର୍ଦ୍ଦାଫାସ୍‌

କୋଲକାତାରେ ବିପୁଳ ପରିମାଣର ଜାଲି ନୋଟ୍ ଜବତ

ନୂଆଦିଲ୍ଲୀ: ଏକ ଆଶ୍ଚର୍ଯ୍ୟଜନକ ମାମଲା କୋଲକାତାରୁ ସାମ୍ନାକୁ ଆସିଛି। କୋଲକାତାର ପରଗନା ଜିଲ୍ଲା ସନ୍ଦେଶଖାଲୀ ଥାନାର ପୋଲିସ ଏକ ହୋଟେଲରୁ ନଅ କୋଟି ଟଙ୍କା ମୂଲ୍ୟର ଜାଲ୍‌ ନୋଟ ଜବତ କରିଛି।

ଅଧିକାଂଶ ଜାଲ୍‌ ନୋଟ୍ ୫୦୦ ଟଙ୍କିଆ ବୋଲି ଜଣାପଡ଼ିଛି। ପୋଲିସ ୨ ଜଣଙ୍କୁ ଗିରଫ କରିଛି। ତାଙ୍କ ନାମ ସିରାଜୁଦ୍ଦୀନ ମୋଲ୍ଲା ଏବଂ ଦେବବ୍ରତ ଚକ୍ରବର୍ତ୍ତୀ। ସିରାଜୁଦ୍ଦୀନଙ୍କ ପାଖରେ ଦୁଇଟି ଆଧାର କାର୍ଡ ମଧ୍ୟ ମିଳିଛି। ଜାଲି ନୋଟକୁ ଧରି ଦୁଇ ଜଣ ପାଖ ଦୋକାନକୁ ଜିନିଷ କିଣିବାକୁ ଆସିଥିଲେ।

କିନ୍ତୁ ଦୋକାନୀ ଏହି ଜାଲ୍‌ ନୋଟକୁ ଦେଖି ଚିହ୍ନିପାରିଥିଲେ। ପରେ ସେ ତାଙ୍କୁ ଅଟକ ରଖି ପୋଲିସକୁ ଜଣାଇଥିଲେ। ପୋଲିସ ଏହି ଦୁଇଜଣଙ୍କୁ ଗିରଫ କରିବା ସହ ପଚରାଉଚରା କରି ହୋଟେଲ ଯାଞ୍ଚ କରିଥିଲା।

ଏହାପରେ ଏଠାରୁ ବ୍ୟାଗରେ ଭର୍ତ୍ତି ହୋଇଥିବା ଜାଲ୍‌ ନୋଟ୍ ଏବଂ କିଛି ନେପାଳି ମୁଦ୍ରା ମଧ୍ୟ ଜବତ ହୋଇଥିଲା। ଜାଲ୍‌ ନୋଟ ଛାପୁଥିବା ଏକ ମେସିନ ମଧ୍ୟ ଏଠାରୁ ଜବତ ହୋଇଛି।