ଡାକ୍ତରଖାନାରେ ରୋଗୀକୁ ନିଶା ଇଞ୍ଜେକ୍ସନ ଦେଇ ବଳାତ୍କାର, CCTV ରେ କଏଦ ହେଲା ସମ୍ପୂର୍ଣ୍ଣ ଘଟଣା
ଚିକିତ୍ସା ପାଇଁ ଡାକ୍ତରଖାନାକୁ ଯାଇଥିବା ଜଣେ ମହିଳାଙ୍କୁ ବେହୋସ କରି କରାଗଲା ବଳାତ୍କାର।
ଉତ୍ତରପ୍ରଦେଶ: ଚିକିତ୍ସା ପାଇଁ ଡାକ୍ତରଖାନାକୁ ଯାଇଥିବା ଜଣେ ମହିଳାଙ୍କୁ ବେହୋସ କରି କରାଗଲା ବଳାତ୍କାର। ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶର ବଳରାମପୁର ଜିଲ୍ଲାରେ।
କୋତୱାଲି ଗାସଡି ଅଞ୍ଚଳର ଜଣେ ମୁସଲିମ ମହିଳାଙ୍କ ଛାତିରେ ଯନ୍ତ୍ରଣା ହେବାରୁ ସେ ଚିକିତ୍ସା ପାଇଁ ପଚପେଡୱା ଥାନା ଅଞ୍ଚଳର ବିମଳା ବିକ୍ରମ ହସ୍ପିଟାଲକୁ ଯାଇଥିଲେ। ସେଠାରେ କାର୍ଯ୍ୟରତ ଥିବା କମ୍ପାଉଣ୍ଡର ଯୋଗେଶ ପାଣ୍ଡେ ତାଙ୍କୁ ଏକ ସିଡେଟିଭ ଇଞ୍ଜେକ୍ସନ ଦେଇଥିଲେ। ଯାହା ଫଳରେ ମହିଳା କିଛି ସମୟ ପାଇଁ ଚେତାଶୂନ୍ୟ ହୋଇଗଲେ। କିନ୍ତୁ ମହିଳାଙ୍କର ଯେତେବେଳେ ଚେତା ଫେରିଲା, ସେ ନିଜକୁ ଅର୍ଦ୍ଧନଗ୍ନ ଅବସ୍ଥାରେ ପାଇଲେ ଏବଂ ହସ୍ପିଟାଲ କମ୍ପାଉଣ୍ଡର ତାଙ୍କ ଉପରେ ଆପତ୍ତିଜନକ ଅବସ୍ଥାରେ ଥିଲେ।
ତାପରେ ମହିଳା ଜଣଙ୍କ ଡରିଯାଇ ହସ୍ପିଟାଲ ଛାଡି ଚାଲିଗଲେ। ଲଜ୍ଜା ଯୋଗୁଁ ସେ କିଛି ଘଣ୍ଟା ପର୍ଯ୍ୟନ୍ତ ଏ କଥା କାହାକୁ କହିପାରିଲେ ନାହିଁ, କିନ୍ତୁ ତା’ପରେ ସେ ସାହସର ସହିତ ତାଙ୍କ ପରିବାରକୁ ସବୁ କଥା କହିଲେ ଏବଂ ପାଚପେଡୱା ଥାନାରେ ପହଞ୍ଚି ଏକ ଅଭିଯୋଗ ଦାଖଲ କଲେ। ପୀଡିତା ମହିଳାଙ୍କ ଅଭିଯୋଗ ଉପରେ ପୋଲିସ ଏକ ମାମଲା ରୁଜୁ କରି କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି ଏବଂ ଅଭିଯୁକ୍ତକୁ ଗିରଫ କରିଛି।