ମାତାଲ ଡ୍ରାଇଭରର ଅଜବ କାରନାମା…ଗର୍ଭବତୀଙ୍କୁ ନେଇ ହସ୍ପିଟାଲ ଯାଉଥିଲେ, ନିଶା ଯୋଗୁଁ ଅଧରାସ୍ତାରେ ଶୋଇପଡିଲେ
ମାତାଲ୍ ଡ୍ରାଇଭର ଯୋଗୁଁ ଛଟପଟ ହେଲେ ଗର୍ଭବତୀ ।
ଭୁବନେଶ୍ବର: ସ୍ବାସ୍ଥ୍ୟଅବସ୍ଥାର ବିକଳ ଚିତ୍ର । ରୋଗୀ ନେଇ ଯାଉଥିବା ବେଳେ ଅଧରାସ୍ତାରେ ଶୋଇପଡିଲେ ଡ୍ରାଇଭର । ରୋଗୀଜଣକ ଆମ୍ବୁଲାନ୍ସରେ ଛଟପଟ ହୋଇଥିବା ଦେଖାଯାଇଛି । ଗଜପତି ଜିଲ୍ଲା ଆର୍. ଉଦୟଗିରି ଅଞ୍ଚଳରୁ ସାମ୍ନାକୁ ଆସିଛି ଏହି ଅଭାବନୀୟ ଘଟଣା ।
ଅଭିଯୋଗ ଅନୁସାରେ, ଗଜପତି ଜିଲ୍ଲା ଆର. ଉଦୟଗିରି ବ୍ଲକ୍ କାନିକିପଦର୍ ଗାଁର ବିଜୟ ରଇତଙ୍କ ପତ୍ନୀ ନନ୍ଦିନୀ ରଇତଙ୍କ ଗର୍ଭ ଯନ୍ତ୍ରଣା ହୋଇଥିଲା । ଏହାରି ଭିତରେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ରାତିରେ ଚନ୍ଦ୍ରଗିରିରେ ଭର୍ତ୍ତି କରାଯାଇଥିଲା ।
ତେବେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ସ୍ଥାନାନ୍ତରିତ କରିବା ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ । ୧୦୮ ଆମ୍ବୁଲାନ୍ସରେ ବ୍ରହ୍ମପୁର ଯିବା ବେଳେ ଡ୍ରାଇଭର ଅତ୍ୟଧିକ ମଦ୍ୟପାନ କରିଥିବା ଯୋଗୁଁ ଡ୍ରାଇଭର ଜଣକ ଶୋଇପଡିଲେ ।
ତେବେ ରୋଗୀ ଯନ୍ତ୍ରଣାରେ ଛଟପଟ ହୋଇଥିଲେ ହେଁ ତାଙ୍କର ଖାତିର ନଥିଲା । କେତେ ଉଠାଇବା ପରେ ମଧ୍ୟ ସେ ଉଠିନଥିଲେ । ଏକ ଗାଡ଼ି ଭଡ଼ା କରି ବିଳମ୍ବିତ ରାତିରେ ପତ୍ନୀଙ୍କୁ ବ୍ରହ୍ମପୁର ଆଣିଥିଲେ । ଏହି ଖବର ବର୍ତ୍ତମାନ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି । କିଏ ଏଭଳି ମଦୁଆଙ୍କୁ ଡ୍ରାଇଭର କାର୍ଯ୍ୟରେ ନିୟୋଜିତ କଲେ ସେନେଇ ପ୍ରଶ୍ନ ଉଠିଛି ।