ଆଶ୍ଚର୍ଯ୍ୟ; ବିନା ହେଲମେଟ୍ ରେ କାର୍ ଚଲାଉଥିଲେ, ଫାଇନ୍ ଗଣିଲେ

ଏବେ କାରରେ ବି ହେଲମେଟ୍ ନପିନ୍ଧିଲେ୍ ଜରିମାନା ଦେବାକୁ ପଡୁଛି!

ଉତ୍ତରପ୍ରଦେଶ: ଆପଣମାନେ ବାଇକରେ ଗଲାବେଲେ ହେଲମେଟ୍ ପିନ୍ଧନ୍ତି। କିଛି ଲୋକ ବିନା ହେଲମେଟରେ ବାଇକ୍ ଚଲାଉଥିବାରୁ ସେମାନଙ୍କୁ ଫାଇନ୍ ଦେବାକୁ ପଡ଼େ। ହେଲେ କେବେ ବିନା ହେଲମେଟରେ କାର ଚଲାଉଥିବା ପାଇଁ ଜରିମାନା ଦେଇଛନ୍ତି କିମ୍ୱା ଦେଖିଛନ୍ତି।

ବୋଧହୁଏ ଉତ୍ତର ଆସିବ ନାଁ। କିନ୍ତୁ ଏପରି ଏକ ଘଟଣା ଘଟିଛି। ବିନା ହେଲମେଟରେ କାର୍ ଚଲାଉଥିବା କାରଣରୁ ଜଣେ କାର୍ ମାଲିକଙ୍କୁ ଜରିମାନା ଦେବାକୁ ପଡିଛି। ତାହା ପୁଣି ୧୦୦୦ ଟଙ୍କା।

ହେଲମେଟ୍ ପାଇଁ ଫାଇନ୍: ଉତ୍ତରପ୍ରଦେଶର ଗାଜିଆବାଦରେ ଜଣେ କାର ମାଲିକଙ୍କୁ “ହେଲମେଟ୍ ପିନ୍ଧି ନଥିବା” ପାଇଁ ମୋଟର ଯାନ ଆଇନ ଅନୁଯାୟୀ ୧୦୦୦ ଟଙ୍କା ଜରିମାନା କରାଯାଇଛି।

ତଥାପି ପୋଲିସ ଏହାକୁ ଏକ ମାନବିକ ତ୍ରୁଟି ବୋଲି କହିଛି। ସୋସିଆଲ ମିଡିଆରେ ଏକ ଚାଲାଣର ଫଟୋ ଭାଇରାଲ ହେବା ପରେ ଏହି ମାମଲା ଚର୍ଚ୍ଚାକୁ ଆସିଛି।

ଯେଉଁଥିରେ ଦୁଇ ଚକିଆ ଯାନ ପାଇଁ ଉଲ୍ଲଂଘନ ଉଲ୍ଲେଖ କରାଯାଇଥିଲା କିନ୍ତୁ ଫଟୋଟି ଏକ କାରର ଥିଲା। ଏହି ଫଟୋଟି ସ୍ଥାନୀୟ ପଞ୍ଜୀକରଣ ନମ୍ବର ଥିବା ଏକ କାରର ଥିଲା।

ସୋମବାର ଜାରି ହୋଇଥିବା ଚାଲାଣରେ ଦୁଇ ଚକିଆ ଯାନ ସମ୍ବନ୍ଧୀୟ ଉଲ୍ଲଂଘନ ଉଲ୍ଲେଖ କରାଯାଇଥିଲା ଏବଂ ରାଜ ନଗର ଏକ୍ସଟେନସନର ଅଜ୍ଞାରା ସୋସାଇଟି ଛକ ନିକଟରେ ପାର୍କିଂ ହୋଇଥିବା ଏକ କାରର ଫଟୋ ଥିଲା।

କ’ଣ ହେଉଛି ପୂରା ଘଟଣା: ସୂଚନା ଅନୁଯାୟୀ, ଗାଜିଆବାଦରେ ଜଣେ ଯୁବକ ତାଙ୍କ ଗାଡ଼ି ଚଳାଉଥିଲେ। କିଛି ସମୟ ପରେ ତାଙ୍କ ମୋବାଇଲରେ ଏକ ଚାଲାଣ ମେସେଜ୍ ଆସିଥିଲା।

ଯେତେବେଳେ ସେ ଚାଲାଣ ଦେଖିଲେ ସେଥିରେ ଲେଖାଯାଇଥିଲା ଯେ ସେ ହେଲମେଟ୍ ପିନ୍ଧି ନାହାଁନ୍ତି ତେଣୁ ଚାଲାଣ ଜାରି କରାଯାଇଛି। ଏହା ଦେଖି କାର୍ ଚାଳକ ଆଶ୍ଚର୍ଯ୍ୟ ହୋଇଗଲେ କାରଣ କୌଣସି ନିୟମ ଅନୁଯାୟୀ କାର୍ ଚାଳକଙ୍କ ପାଇଁ ହେଲମେଟ୍ ପିନ୍ଧିବା ବାଧ୍ୟତାମୂଳକ ନୁହେଁ। ଏହି ସମ୍ପୂର୍ଣ୍ଣ ଘଟଣା ସ୍ପଷ୍ଟ କରିଦେଲା ଯେ ଚାଲାଣ ଜାରି କରିବା ସମୟରେ ବହୁତ ଅବହେଳା ହୋଇଛି।

ପୋଲିସ କ’ଣ କହିଲା: ଅଧିକାରୀମାନେ କହିଛନ୍ତି ଯେ ଜଣେ ଟ୍ରାଫିକ୍ ସବ୍-ଇନସ୍ପେକ୍ଟର ନୋ-ପାର୍କିଂ ଜୋନରେ ପାର୍କିଂ ହୋଇଥିବା ଏକ କାରର ଫଟୋ ଉଠାଇଥିଲେ କିନ୍ତୁ ଅସାବଧାନତାବଶତଃ ଏହି ଫଟୋଟି ଏକ ଦୁଇ ଚକିଆ ଯାନର ଚାଲାଣରେ ଲଗାଯାଇଥିଲା।

ଏହି ଘଟଣାର ପ୍ରତିକ୍ରିୟା ଦେଇ ଅତିରିକ୍ତ ଡେପୁଟି ପୋଲିସ କମିଶନର (ଟ୍ରାଫିକ୍) ସଚିଦାନନ୍ଦ କହିଛନ୍ତି, “ଏହା କେବଳ ଏକ ମାନବିକ ତ୍ରୁଟି। ଏହା କିପରି ଘଟିଲା ସେ ବିଷୟରେ ଆମେ ତଦନ୍ତ କରୁଛୁ।”