ରାଷ୍ଟ୍ରପତିରୁ ଡାକ୍ତର ପାଲଟିଲେ ଟ୍ରମ୍ପ; ଗର୍ଭବତୀଙ୍କୁ ପାରାସିଟାମଲ ବ୍ୟବହାର କରିବାକୁ କଲେ ମନା, WHO ରଖିଲା କଡା ଜବାବ
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ କଡ଼ା ଜବାବ ଦେଲା WHO । ଗର୍ଭବତୀଙ୍କୁ ପାରାସିଟାମଲ ବ୍ୟବହାର କରିବାକୁ ମନା କରିବାରୁ WHO ରଖିଲା କଡା ଜବାବ ।
ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ କଡ଼ା ଜବାବ ଦେଲା WHO । ତେବେ ହ୍ୱାଇଟ୍ ହାଉସରେ ଟ୍ରମ୍ପ କହିଥିଲେ ଯେ, ଗର୍ଭବତୀ ମହିଳାମାନେ ପାରାସିଟାମଲ୍ ବ୍ୟବହାର କରିବା ଉଚିତ୍ ନୁହେଁ । ଯାହାର ଜବାବ ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO)।
ଟ୍ରମ୍ପ ଦାବି କରିଛନ୍ତି ଯେ ଗର୍ଭଧାରଣ ସମୟରେ ପାରାସିଟାମଲ୍ ନେବା ଦ୍ୱାରା ପିଲାମାନଙ୍କ ମଧ୍ୟରେ ଅଟିଜିମ୍ ଏବଂ ADHD (ଧ୍ୟାନ ଅଭାବ ହାଇପରଆକ୍ଟିଭିଟି ଡିସଅର୍ଡର) ହେବାର ଆଶଙ୍କା ବୃଦ୍ଧି ପାଇପାରେ।
ଟ୍ରମ୍ପଙ୍କ ଦାବିକୁ WHOର ପ୍ରତ୍ୟାଖ୍ୟାନ
WHO ଟ୍ରମ୍ପଙ୍କ ଦାବିକୁ ପ୍ରତ୍ୟାଖ୍ୟାନ କରିଛି । କହିଛି ଯେ ଗର୍ଭଧାରଣ ସମୟରେ ପାରାସିଟାମଲ୍ ନେବା ଦ୍ୱାରା ପିଲାମାନଙ୍କ ମଧ୍ୟରେ ଅଟିଜିମ୍ ହେବାର ଆଶଙ୍କା ବୃଦ୍ଧି ପାଉଥିବାର ଏପର୍ଯ୍ୟନ୍ତ କୌଣସି ପ୍ରମାଣ ନାହିଁ। ଡାକ୍ତରଙ୍କ ପରାମର୍ଶ ସହିତ ଗର୍ଭଧାରଣ ସମୟରେ ପାରାସିଟାମଲ୍ ନେବାକୁ ନିରାପଦ ବୋଲି ବିବେଚନା କରାଯାଏ।
ରଏଟର୍ସ ରିପୋର୍ଟ ଅନୁଯାୟୀ, WHO ମୁଖପାତ୍ର ତାରିକ ଜାସାରେଭିକ୍ ଜେନେଭାରେ କହିଛନ୍ତି, “ଟିକା ଅଟିଜିମ୍ ସୃଷ୍ଟି କରେ ନାହିଁ, କିନ୍ତୁ ଏହା ଜୀବନ ବଞ୍ଚାଏ। ଏହା ଏପରି କିଛି ଯାହା ବିଜ୍ଞାନ ପ୍ରମାଣିତ କରିସାରିଛି। ଏହି ଜିନିଷଗୁଡ଼ିକୁ ପ୍ରକୃତରେ ପ୍ରଶ୍ନ କରାଯିବା ଉଚିତ୍ ନୁହେଁ।” ୟୁରୋପୀୟ ଔଷଧ ଏଜେନ୍ସି ମଧ୍ୟ ଟ୍ରମ୍ପଙ୍କ ଦାବିକୁ ପ୍ରତ୍ୟାକ୍ଷାନ କରିଛି ।
ଏଫଡିଏ ଏପର୍ଯ୍ୟନ୍ତ ପାରାସିଟାମଲ୍ ଅଟିଜିମର କାରଣ ବୋଲି ଚେତାବନୀ ଜାରି କରିନାହିଁ। ଏଫଡିଏ ସ୍ପଷ୍ଟ କରିଛି ଯେ ଟ୍ରମ୍ପଙ୍କ ଦାବିକୁ ସମର୍ଥନ କରିବା ପାଇଁ କୌଣସି ବୈଜ୍ଞାନିକ ପ୍ରମାଣ ନାହିଁ। ଟ୍ରମ୍ପ ଏକ “ଚମତ୍କାର ଔଷଧ” ଆବିଷ୍କାର କରିଛନ୍ତି ଯାହା ଅଟିଜିମ୍ ରୋଗକୁ ସୁସ୍ଥ କରିପାରିବ ବୋଲି ମଧ୍ୟ ଦାବି କରିଛନ୍ତି। ଏହି ମିଶନର ନେତୃତ୍ୱ ଆମେରିକାର ସ୍ୱାସ୍ଥ୍ୟ ସଚିବ ରବର୍ଟ ଏଫ୍ କେନେଡି ଜୁନିଅରଙ୍କ ଦ୍ୱାରା କରାଯାଉଛି।